ଜେଲ୍‌ଗଲେ କୋଟିପତି ପୁଲିସ କନେଷ୍ଟବଳ, ୧.୬୯ କୋଟିର ଆୟ ବହିର୍ଭୂତ ସମ୍ପତ୍ତି ଠାବ

ବ୍ରହ୍ମପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଥିବା କୋଟିପତି ପୁଲିସ କନେଷ୍ଟବଳ ସୁଦର୍ଶନ ପ୍ରଧାନଙ୍କୁ ଗିରଫ କରାଯାଇଛି। ବ୍ରହ୍ମପୁର ଭିଜିଲାନ୍ସ ବିଭାଗ କେସ୍ ନମ୍ବର ୧୮/୨୧ରେ ତାଙ୍କୁ କୋର୍ଟ ଚାଲାଣ କରିଛି। ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଆସନ୍ତା ୧୩ତାରିଖ ପର୍ଯ୍ୟନ୍ତ କନେଷ୍ଟବଳ ସୁଦର୍ଶନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ କନେଷ୍ଟବଳ ସୁଦର୍ଶନଙ୍କ ସଦର ଥାନା ଲୋଚାପଡ଼ାରେ ଥିବା ଏକ ୩ ମହଲା ଘର, ନିମଖଣ୍ଡି କେନାଲ ରୋଡ଼ ଥିବା ୩ଟି ଘର ଏବଂ ଭଞ୍ଜନଗର ଥାନା ଗାମୁଣ୍ଡି ଗ୍ରାମରେ ଥିବା ପୈତୃକ ବାସଭବନରେ ଚଢ଼ଉ କରାଯାଇଥିଲା। ଯାଞ୍ଚ ପରେ ମୋଟ ୨କୋଟି ୧୬ଲକ୍ଷ ୧ହଜାର ୪୨୫ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ରହିଥିବା ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ତାଲିକା ପ୍ରସ୍ତୁତ କରିଥିଲା। ଯାଞ୍ଚ ସରିବା ପରେ କନେଷ୍ଟବଳ ସୁଦର୍ଶନ ଓ ପରିବାରବର୍ଗଙ୍କ ନାମରେ ମୋଟ ୧କୋଟି ୬୯ଲକ୍ଷ ୬୮ହଜାର ୯୨୦ ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି ଥିବା ନେଇ ଭିଜିଲାନ୍ସ ବିଭାଗ ଆକଳନ କରିଛି। ଯାହାକି ତାଙ୍କର ଆୟ ଠାରୁ ୧୭୪ ପ୍ରତିଶତ ଅଧିକ ବୋଲି ଭିଜିଲାନ୍ସ ଏସ୍‌.ପି. ତ୍ରିଲୋଚନ ସ୍ବାଇଁ ସୂଚନା ଦେଇଛନ୍ତି। ତାଙ୍କର ପ୍ରକୃତ ଆୟ ହେଉଛି ୯୭ଲକ୍ଷ ୩୫ହଜାର ୧୧୧ ଟଙ୍କା। କନେଷ୍ଟବଳ ସୁଦର୍ଶନଙ୍କ ପତ୍ନୀ ସବିତା ପ୍ରଧାନଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଥିବା ଭିଜିଲାନ୍ସ ଏସ୍‌.ପି. କହିଛନ୍ତି।

ସମ୍ବନ୍ଧିତ ଖବର