ଫୁଲବାଣୀ: ଆଜି କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଟିକାବାଲି ଥାନା ପରିସରରେ ଥିବା ସରକାରୀ ବାସଭବନରେ ବେକରେ ଦଉଡ଼ି ଦେଇ ଜଣେ କନଷ୍ଟେବଳ ଆତ୍ମହତ୍ୟା କରିବା ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଜଣାପଡୁଥିଲେ ମଧ୍ୟ ପାରିବାରିକ କାରଣ ବୋଲି ଅନୁମାନ କରାଯାଉଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡ଼ିବ ବୋଲି କନ୍ଧମାଳ ଏସ୍‌ପି ଶୁଭେନ୍ଦୁ ପାତ୍ର ସୂଚନା ଦେଇଛନ୍ତି।

Advertisment

ଏସ୍‌ପିଙ୍କ କହିବା ଅନୁସାରେ, ଗତକାଲି ରାତି ପର୍ଯ୍ୟନ୍ତ ସେ ସରକାରୀ ଡ୍ୟୁଟିରେ ଥିଲେ। ଗତକାଲି ‌ସେ ଟିକାବାଲିରେ ଦୋଳଯାତ୍ରା ଡ୍ୟୁଟି ସାରି ସରକାରୀ ବାସଭବନକୁ ଫେରିଥିଲେ। ତେବେ ଆଜି ତାଙ୍କର ମୃତ ଦେହ ଘର ଫ୍ୟାନରେ ଝୁଲୁଥିବାର ଦେଖିବାକୁ ମିଳିଥିଲା। ଆତ୍ମହତ୍ୟା କରିଥିବା କନଷ୍ଟେବଳଙ୍କ ନାମ ଶ୍ରୀନିବାସ ଘୋଟାଲ (୫୦) ହୋଇଥିବାବେଳେ ତାଙ୍କ ନିଜ ଘର ଫୁଲବାଣୀ ସହରର ଡାକପାଲାରେ ବୋଲି ଜଣାପଡ଼ିଛି। ତାଙ୍କର ଗୋଟିଏ ଝିଅ ଏବଂ ଗୋଟିଏ ପୁତ୍ର ସନ୍ତାନ ଅଛନ୍ତି। ବଡ଼ ଝିଅ ଯୁକ୍ତ-୨ ଦ୍ବିତୀୟ ବର୍ଷର ଛାତ୍ରୀ ଥିବାବେଳେ ସାନ ପୁଅ ଶିଶୁ ମନ୍ଦିରରେ ପଢୁଛନ୍ତି।

ଆଜି ଦିନ ୧୧ଟା ସମୟରେ ଟିକାବାଲି ଥାନା ପରିସରରେ ଥିବା ସରକାରୀ ବାସଭବନର ଉପର ମହଲାରେ ଫ୍ୟାନ୍‌ରେ ଗାମୁଛା ‌ଲଗେଇ କନ‌ଷ୍ଟେବଳ ସ୍ବର୍ଗତ ଘୋଟାଲ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଦୀର୍ଘ ଦୁଇ ବର୍ଷ ଧରି ସ୍ବର୍ଗତ ଘୋଟାଲ ଟିକାବାଲି ଥାନାରେ ପୁଲିସ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିଲେ। ଆଜି ଟିକାବାଲି ଥାନାର କର୍ମଚାରୀ କୌଣସି କାମରେ ସ୍ବର୍ଗତ ଘୋଟାଲଙ୍କ ବାସଭବନକୁ ଯାଇଥିବାବେଳେ ଝରକା ଫାଙ୍କରେ ତାଙ୍କର ଝୁଲନ୍ତା ମୃତ ଦେହ ଦେଖିବାକୁ ପାଇଥିଲେ। ସମ୍ପୃକ୍ତ କର୍ମଚାରୀ ତୁରନ୍ତ ଏ ବାବଦରେ ଟିକାବାଲି ଥାନାଧିକାରିଣୀ କଲ୍ୟାଣୀମୟୀ ଷେଣ୍ଢଙ୍କୁ ଜଣାଇଥିଲେ। ଶ୍ରୀମତୀ ଷେଣ୍ଢ ଘଟଣାସ୍ଥଳରେ ପହଞ୍ଚି ଫ୍ୟାନରେ କନଷ୍ଟେବଳଙ୍କ ମୃତ ଦେହ ଝୁଲୁଥିବାର ଦେଖିବାକୁ ପାଇଥିଲେ। ଏହାପରେ ଥାନାଧିକାରିଣୀ ଶ୍ରୀମତୀ ଷେଣ୍ଢ ଏସ୍‌ପିଙ୍କୁ ଜଣାଇବା ପରେ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଘୁ.ଉଦୟଗିରି ଏସ୍‌ଡିପିଓ ଡି. ତିରୁପତି ରାଓ ପଟ୍ଟନାୟକଙ୍କୁ ଏହି ଘଟଣାର ତଦନ୍ତ ଭାର ପ୍ରଦାନ କରାଯାଇଥିଲା। ଘଟଣାସ୍ଥଳରେ ଘୁ.ଉଦୟଗିରି ଏସ୍‌ଡିପିଓ ଶ୍ରୀ ରାଓ ପହଞ୍ଚିବା ପରେ ତଦନ୍ତ ଆରମ୍ଭ କରାଯାଇଥିଲା। ମୃତ କନଷ୍ଟେବଳଙ୍କ ଶବକୁ ଫୁଲବାଣୀସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ନିମନ୍ତେ ଅଣାଯାଇଛି।

ଏହି ଘଟଣା ସମ୍ପର୍କରେ ଖବର ପାଇ କ‌ନଷ୍ଟେବଳ ସ୍ବର୍ଗତ ଶ୍ରୀନିବାସଙ୍କ ପତ୍ନୀ ଏବଂ ତାଙ୍କ ସମ୍ପର୍କୀୟ ଟିକାବାଲି ଥାନାରେ ପହଞ୍ଚିଥିଲେ। ସ୍ତ୍ରୀ ଓ ସମ୍ପର୍କୀୟଙ୍କ ଉପସ୍ଥିତିରେ ଆତ୍ମହତ୍ୟା କରିଥିବା କୋଠରୀର କବାଟ ଖୋଲାଯାଇ ମୃତ ଦେହକୁ ଉଦ୍ଧାର କରାଯାଇଥିଲା। ଏ ନେଇ ଟିକାବାଲି ଥାନାରେ ଏକ ମାମଲା (୧/୨୦୨୩) ରୁଜୁ କରାଯାଇଛି। ତଦନ୍ତ ଜାରି ରହିଛି ଏବଂ ମୃତ୍ୟୁର ସଠିକ କାରଣ ଜଣାପଡ଼ିନି ବୋଲି ଘୁ.ଉଦୟଗିରି ଏସ୍‌ଡିପିଓ ଶ୍ରୀ ରାଓ ପଟ୍ଟନାୟକ କହିଛନ୍ତି। ସୂଚନାଯୋଗ୍ୟ, ଗତ ବର୍ଷ ଅଗଷ୍ଟ ୨୭ ତାରିଖ ଦିନ ଘୁ.ଉଦୟଗିରି ଥାନାର ମହିଳା ଏସ୍‌ଆଇ ସ୍ବାଗତିକା ବେହେରା ନିଜ ସରକାରୀ ବାସଭବନରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ସମ୍ପୃକ୍ତ ମହିଳା ଥାନାଧିକାରିଣୀ କାହିଁକି ଆତ୍ମହତ୍ୟା କରିଥିଲେ ତାହାର କାରଣ ଏଯାଏ ସ୍ପଷ୍ଟ ହୋଇ ନଥିବାବେଳେ ସାତ ମାସ ପରେ ଆଜି ଟିକାବାଲି ଥାନାରେ କାର୍ଯ୍ୟରତ ଜଣେ ପୁଲିସ କନଷ୍ଟେବଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯିବା କନ୍ଧମାଳ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି।