ଭୁବନେଶ୍ବର: ସେଣ୍ଟ୍ରାଲ୍ ଏନ୍‌ଫୋର୍ସମେଣ୍ଟ ମନିଟରିଂ କମିଟି(ସିଇଏମ୍‌ସି)ର ବୈଠକ ବିଡ଼ିଏ ଉପାଧ୍ୟକ୍ଷ ତଥା ମନିଟରିଂ କମିଟିର ଅଧ୍ୟକ୍ଷ ଡ. ତିରୁମାଲା ନାୟକଙ୍କ ଅଧ୍ୟକ୍ଷତାରେ ଆଜି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃ୍ପକ୍ଷ(ବିଡିଏ) ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସିଇଏମ୍‌ସିର ସମସ୍ତ ଅଂଶୀଦାର ଯଥା ସାଧାରଣ ପ୍ରଶାସନ ବିଭାଗ, ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଇଡ୍‌କୋ, ରେଳବାଇ, ଆର୍ ଆଣ୍ଡ୍ ବି, ବିଏମ୍‌ସି, ଓୟୁଏଟିର ଅଧିକାରୀମାନେ ଉପସ୍ଥିତ ଥିଲେ। ଅଧିକାରୀମାନେ ସରକାରୀ ଜମି ଜବରଦଖଲ ଓ ଉଚ୍ଛେଦ ବେଳେ ସୃଷ୍ଟି ହେଉଥିବା ସମସ୍ୟା ସମ୍ପର୍କରେ ବିଭିନ୍ନ ପ୍ରସ୍ତାବ ରଖିଥିଲେ। ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଥିବା ସରକାରୀ ଜମିକୁ ଅବରୋଧମୁକ୍ତ କରିବା ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି। 

Advertisment

ସିଇଏମ୍‌ସିର ଆବାହକ ତଥା ବିଡିଏର ଏନ୍‌ଫୋର୍ସମେଣ୍ଟ ଯୁଗ୍ମ ଆୟୁକ୍ତ ରଞ୍ଜନ କୁମାର ଜେନା ସିଇଏମ୍‌ସି ଦ୍ୱାରା ଗତ ଜୁଲାଇ ୩୦ରୁ ଅକ୍ଟୋବର ୮ ମଧ୍ୟରେ କରାଯାଇଥିବା ବିଭିନ୍ନ ଉଚ୍ଛେଦର ବିବରଣୀ ପ୍ରଦାନ କରିଥିଲେ। ଏହି ୩ ମାସ ଭିତରେ କାର୍ଯ୍ୟକାରୀ ହୋଇଥିବା ଓ କାର୍ଯ୍ୟକାରୀ ହୋଇ ନଥିବା ଉଚ୍ଛେଦ କାର୍ଯ୍ୟକ୍ରମର ବିସ୍ତୃତ ଆଲୋଚନା ହୋଇଥିଲା। ପୁଲିସର ଅସହଯୋଗ କାରଣରୁ ଅଧିକାଂଶ ଉଚ୍ଛେଦ କାର୍ଯ୍ୟ ଆଗକୁ ବଢ଼ି ପାରୁ ନଥିବା ଅଭିଯୋଗ ହୋଇଥିଲା। ଏଣୁ ଉଚ୍ଛେଦ କାର୍ଯ୍ୟ ପାଇଁ ନିୟମିତ ପୁଲିସ ଫୋର୍ସ ଯୋଗାଇ ଦେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। 

ତଥ୍ୟ ଅନୁଯାୟୀ, ଗତ ୩ ମାସ ମଧ୍ୟରେ ସିଇଏମ୍‌ସି ୫୬ଟି ସ୍ଥାନରେ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ହାତକୁ ନେଇଥିଲା। ଏଥିରୁ ୨୯ଟି ସ୍ଥାନରେ ଉଚ୍ଛେଦ ହୋଇଛି ଓ ୨୫ ଏକର ୩୪ ଡେସିମାଲ୍ ସରକାରୀ ଜମିକୁ ଜବରଦଖଲମୁକ୍ତ କରାଯାଇଛି। ପୁଲିସ ବଳର ଅଭାବ ଓ ଅନ୍ୟାନ୍ୟ କାରଣରୁ ୨୭ଟି ସ୍ଥାନରେ ଉଚ୍ଛେଦ ହୋଇପାରିନି। ସେହିପରି ବ୍ଲୁଇସ୍ ଆପ୍‌ରେ ୪୫ଟି ଉଚ୍ଛେଦ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଏଥିରୁ ୨୫ଟି ସ୍ଥାନକୁ ଉଚ୍ଛେଦ କରାଯାଇ ୫ ଏକର ୩୨୫ ଡେସିମିଲ୍ ସରକାରୀ ଜମି ଜବରଦଖଲମୁକ୍ତ କରାଯାଇଛି। ୨୦ ସ୍ଥାନରେ ଜବରଦଖଲ ଉଚ୍ଛେଦ ହୋଇପାରିନି। ପୁଲିସର ସହଯୋଗ ମିଳିଲେ, ସଂପୂର୍ଣ୍ଣ ଉଚ୍ଛେଦ ସମ୍ଭବପର ହୋଇପାରିବ ବୋଲି ଅଧିକାରୀମାନେ ମତ ଦେଇଥିଲେ। ବୈଠକରେ ବିଡିଏ ସଚିବ ମାନସ ରଞ୍ଜନ ପାଢୀଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।