ଗଞ୍ଜାମ ଏନ୍‌କାଉଣ୍ଟର ପରେ ପୁଲିସ-ଅପରାଧୀ ମୁହାଁମୁହିଁ : ଅପରେସନ୍‌ ‘ପଞ୍ଚୁପାଣ୍ଡବ’

ପଲଟଣ ସହ ଶଙ୍କର ଖସିଗଲା, ବିପୁଳ ଗହଣା, ମାରଣାସ୍ତ୍ର ଜବତ; ୩ ବର୍ଷରେ ୫୭ ଏନ୍‌କାଉଣ୍ଟର୍

ଜଗନ୍ନାଥପ୍ରସାଦ : ଏନ୍‌କାଉଣ୍ଟରରେ ବାବୁ ନାଇକର ମୃତ୍ୟୁ ପରେ ତା’ର ଅନ୍ୟ ସହଯୋଗୀଙ୍କ ପଛରେ ପଡ଼ି ଯାଇଛି ଗଞ୍ଜାମ ପୁଲିସ୍‌। ଗତକାଲି ସର୍ଚ୍ଚ ଅପରେସନ୍ ବେଳେ ଜଗନ୍ନାଥପ୍ରସାଦ ଥାନା ବେଗୁନିଆ ଗ୍ରାମ ନିକଟଟ ଘଞ୍ଚ ‘ପଞ୍ଚୁପାଣ୍ଡବ’ ଜଙ୍ଗଲରେ ପୁଲିସ ବାବୁର ବିଶାଳ ଆଡ୍ଡା ଠାବ କରିଛି। ଗୁଳି ବିନିମୟ ପରେ ବାବୁର ମୁଖ୍ୟ ସହଯୋଗୀ ଶଙ୍କର ଓ ତା’ର ପଲଟଣ ଖସି ପଳାଇଯିବାକୁ ସକ୍ଷମ ହୋଇଛନ୍ତି। ତେବେ, ଚଢାଉ ବେଳେ ପୁଲିସ ଲକ୍ଷାଧିକ ଟଙ୍କାର ସୁନାରୁପା ଗହଣା, ବୋମା, ବିଭିନ୍ନ ମାରଣାସ୍ତ୍ର, ବୋମା ତିଆରି ସାମଗ୍ରୀ ଆଦି ଜବତ କରିଛି।

ବାବୁର ମୁଖ୍ୟ ସହଯୋଗୀ ଥିଲା ଶଙ୍କର। ସେ ନିଜ ଗ୍ୟାଙ୍ଗ୍‌ ସହ ପଞ୍ଚୁପାଣ୍ଡବ ଜଙ୍ଗଲ ଆଡ୍ଡାରେ ଥିବା ସୂଚନା ମିଳିବା ପରେ ଭଞ୍ଜନଗର ଏସଡିପିଓ ଉତ୍କଳ କେଶରୀ ଦାଶଙ୍କ ନେତୃତ୍ବରେ ଅପରେସନ୍ ଆରମ୍ଭ ହୋଇଥିଲା। ପୁଲିସ ବାହିନୀକୁ ଦେଖି ଅପରାଧୀ ଗ୍ୟାଙ୍ଗ୍ ପ୍ରଥମେ ୨ ରାଉଣ୍ଡ ଗୁଳି ଚଳାଇଥି‌େଲ। ସେମାନଙ୍କୁ ଆତ୍ମସମର୍ପଣ କରିବାକୁ ପୁଲିସ ଚେତାବନୀ ଦେଇଥିଲା। ହେଲେ ଏହାକୁ ଭ୍ରୂକ୍ଷେପ ନକରି ଅନ୍ୟପଟୁ ଅପରାଧୀମାନେ ବୋମା ମାଡ଼ କରିବା ପରେ ପୁଲିସ ପକ୍ଷରୁ ୩ରାଉଣ୍ଡ ବ୍ଲାଙ୍କ ଫାୟାରିଂ ହୋଇଥିଲା। ଏହାପରେ ଶଙ୍କର ସମେତ ପଲଟଣ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ସେମାନଙ୍କ ଆଡ୍ଡାକୁ ପୁଲିସ କବ୍‌ଜାକୁ ନେଇ ଛାନଭିନ୍ କରିଥିଲା। ଆଡ୍ଡାରୁ ୨ଟି ସୁନାହାର, ୨୬ଟି ମଙ୍ଗଳସୂତ୍ର, ୭୯ଟି ମୁଦି, ୧୨ଟି ସୁନାଚୁଡ଼ି, ନାକଫୁଲ, କିଛି ଗୁଣ୍ଡସୁନା ଓ ପୁରୁଣା ସୁନା ଏଭଳି ଭାବେ ୩୭୭ ଗ୍ରାମ୍ ଓଜନର ସୁନା ଅଳଙ୍କାର ଜବତ ହୋଇଛି। ଏହାର ହାରାହାରି ମୂଲ୍ୟ ୭.୫୪ ଲକ୍ଷ ହେବ। ‌

ସେହିପରି ୧.୮୦ ଲକ୍ଷ ଟଙ୍କାର ୬କେଜି ୭ଶହ ଗ୍ରାମ ଓଜନର ରୁପା ଅଳଙ୍କାର ସମେତ ତେଣ୍ଟା, ଖଣ୍ଡା, ବୋମା, ସୁତୁଲି, କାଚଗୁଣ୍ଡ, ପଥରଗୁଣ୍ଡ, ଛୁରୀ, ଲୁହାକଣ୍ଟା ଭଳି ଅନେକ ମାରଣାସ୍ତ୍ର ଜବତ ହୋଇଥିବା ନେଇ ଏସଡିପିଓ ଶ୍ରୀ ଦାଶ ସୂଚନା ଦେଇଛନ୍ତି।

୩ ବର୍ଷରେ ୫୭ ଏନ୍‌କାଉଣ୍ଟର୍

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାକୁ ଅପରାଧମୁକ୍ତ କରିବା ପାଇଁ ପୁଲିସ ହାତକୁ ନେଇଛି ଅପରେସନ୍ ‘କ୍ରିମିନାଲ୍ କ୍ଲିନ୍’। ଉଭୟ ବ୍ରହ୍ମପୁର ଓ ଗଞ୍ଜାମ ପୁଲିସ ଦୁର୍ଦାନ୍ତ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରି ତାଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏ ଦିଗରେ ପୁଲିସକୁ ବେଶ୍ ସଫଳତା ମଧ୍ୟ ମିଳିଛି। ଅପରାଧୀ ଧରପଗଡ଼ ଅଭିଯାନ ବେଳେ ଉଭୟ ପକ୍ଷରୁ ଗୁଳି ବିନିମୟ ମଧ୍ୟ ଘଟିଛି। ପୁଲିସ ଗୁଳିରେ ଏ ପର୍ଯ୍ୟନ୍ତ ୫୭ଜଣ ଦୁର୍ଦାନ୍ତ ଅପରାଧୀ ଆହତ ହୋଇଥିବାବେଳେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ଅପରାଧୀମାନେ ହେଲେ ଶ୍ରୀକାନ୍ତ ରଣା ଓ ବାବୁ ନାଇକ। ସେହିପରି ଏହି ଅପରେସନ୍ ବେଳେ ପୁଲିସ ମଧ୍ୟ ଅପରାଧୀଙ୍କ ଗୁଳିରୁ ନିଜକୁ ରକ୍ଷା କରିବାକୁ ଯାଇ ଆହତ ହୋଇଛି।ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାରେ ଚଳିତବର୍ଷ ପୁଲିସ ଏନ୍‌କାଉଣ୍ଟର‌୍‌ରେ ୧୯ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଥିବାବେଳେ ୨ଜଣଙ୍କ ମୃତ୍ୟୁ ଘଟିଛି। ଏହାପୂର୍ବରୁ ଗତ ୨୦୧୫ରେ ୩ଟି ଏନ୍‌କାଉଣ୍ଟର‌୍‌ ହୋଇଥିଲା। ୨୦୧୬ରେ ୧୪ଟି ଏନ୍‌କାଉଣ୍ଟର୍ ହୋଇଥିବାବେଳେ ୧୫ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଧରାପଡ଼ିଥିଲେ। ୨୦୧୭ରେ ୧୭ଟି ଏନ୍‌କାଉଣ୍ଟର୍ ହୋଇଥିବା ପୁଲିସ୍‌ ରେକର୍ଡରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର