ପୁରୀ ହାଜତ ମୃତ୍ୟୁ ଘଟଣା: ପିଟି ମାରିଥିବା ପୁଲିସ୍ କର୍ମଚାରୀଙ୍କ ନାଁରେ ୩୦୨ରେ ମାମଲା ରୁଜୁ କରିବାକୁ ଦାବି କଲା ବିଜେପି

ପୁରୀ: ଗତ ନଭେମ୍ବର ୧୮ ତାରିଖରେ ବାସେଳି ସାହି ଥାନା ହାଜତରେ ଅଭିଯୁକ୍ତ କେ ରମେଶକୁ ପୁଲିସ ବାଡ଼େଇ ବାଡ଼େଇ ମାରି ଦେବାପରେ ପ୍ରମାଣ ନଷ୍ଟ କରି ହତ୍ୟାକୁ ଭିନ୍ନ ରୂପ ଦେବା ପାଇଁ ଚେଷ୍ଟା କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଆଜି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିବା ସହିତ ଅଭିଯୁକ୍ତଙ୍କ ଗିରଫ ଦାବି କରିଛନ୍ତି। କେ ରମେଶକୁ ପିଟି ମାରିଥିବା ପୁଲିସ୍ କର୍ମଚାରୀଙ୍କ ନାଁରେ କାହିଁକି ୩୦୨ରେ ମାମଲା ହେଉନି ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ ଜୟନ୍ତ ଷଡ଼ଙ୍ଗୀ। ସେ ଅଭିଯୋଗ କରିଛନ୍ତି ଯେ, ବିଜେପି ଓ ଅନ୍ୟାନ୍ୟ ସଙ୍ଗଠନ ଦୃଢ଼ ପ୍ରତିବାଦ ଆନ୍ଦୋଳନ କରିବା ପରେ ସରକାର କେବଳ ତତ୍କାଳୀନ ଏସପିଙ୍କୁ ବଦଳି କରି ଦେଇ ଚୁପ୍ ବସିଛନ୍ତି।

ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଆହୁରି ମଧ୍ୟ କହିଛନ୍ତି ଯେ, ତତ୍କାଳୀନ ଏସପି ଯୋଜନାବଦ୍ଧ ଭାବରେ ଏହା ପୁଲିସ ସହ ସଂଘର୍ଷଜନିତ ମୃତ୍ୟୁ ବୋଲି ଏକ ମିଥ୍ୟା କାହାଣୀ ବର୍ଣ୍ଣନା କରିଛନ୍ତି। ସବୁଠାରୁ ବଡ଼ କଥା ଯେଉଁ ଆଇଆଇସିଙ୍କ ଦ୍ବାରା ହତ୍ୟାକାଣ୍ଡ ଘଟିଥିଲା, ସେ ପଛ ତାରିଖରେ ଛୁଟି ଦରଖାସ୍ତ ଦେଇ ପଳାଇଥିଲେ ବୋଲି ବି ଜଣାପଡ଼ିଛି। ତାଙ୍କୁ ଉକ୍ତ ଥାନାରେ ପୁଣି ଯୋଗ ଦେଇ ସମସ୍ତ ପ୍ରମାଣ ନଷ୍ଟ କରିବାକୁ ସୁଯୋଗ ଦିଆଯାଇଥିଲା। ସେଠାରେ ରହି କିଛି ବିଜେଡ଼ି ଯୁବ ନେତାମାନଙ୍କୁ ଉତ୍ସାହିତ କରି ତାଙ୍କ ଦ୍ବାରା ଘଟିଥିବା ହତ୍ୟାକାଣ୍ଡକୁ ଯଥାର୍ଥ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରିଛନ୍ତି। ମୃତକର ବାପା ମା’ଙ୍କୁ ସିନେମା ଢ଼ଙ୍ଗରେ ଘରୁ ଉଠାଇ ନେଇ ଭୟ ଓ ଲୋଭ ଦେଖାଇ ଜନସାଧାରଣଙ୍କ ଠାରୁ ଦୂରେଇ ରଖି ସତ୍ୟତାକୁ ଲୁଚେଇବାକୁ ଚେଷ୍ଟା କରିଛନ୍ତି। ଶେଷରେ ସରକାରଙ୍କୁ ପ୍ରଭାବିତ କରି ପାଞ୍ଚ ଲକ୍ଷ ଟଙ୍କା ଦେଇ ତାଙ୍କ ସ୍ବରକୁ ବନ୍ଦ କରିଦେବାକୁ ଚେଷ୍ଟା କରିଛନ୍ତି।

ସମ୍ବନ୍ଧିତ ଖବର