ବାଲିପାଟଣା : କରୋନାକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତା ଏକମାତ୍ର ଅସ୍ତ୍ର ହୋଇଥିବାରୁ ସରକାର ଲକ୍ଡାଉନ୍ ଘୋଷଣା କରିଛନ୍ତି। ଲକ୍ଡାଉନ୍କୁ ସୁନିଶ୍ଚିତ କରାଇବା ଦାୟିତ୍ବ ପୁଲିସ ଉପରେ ନ୍ୟସ୍ତ କରାଯାଇଛି। ଏଥିପାଇଁ ପୁଲିସକୁ ଅଖଣ୍ଡ କ୍ଷମତା ଦେଇଛନ୍ତି ସରକାର। କିନ୍ତୁ କିଛି ଅଧିକାରୀ କ୍ଷମତାର ଅପବ୍ୟବହାର କରି ପୂରା ପୁଲିସ୍ ବିଭାଗକୁ ବଦନାମ୍ କରିବାକୁ ପଛାଉ ନାହାନ୍ତି। ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଭିଡିଓଟିରେ ବନମାଳିପୁର ଫାଣ୍ଡି ଅଧିକାରୀ ପ୍ରକାଶ ଚନ୍ଦ୍ର ପୃଷ୍ଟି ଜଣେ ଗ୍ରାମବାସୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କୁ ଧମକ ଦେଉଥିବା ଦେଖାଯାଉଛି। ଭିଡିଓଟି ବାଲିପାଟଣା ବ୍ଲକ ଅନ୍ତର୍ଗତ ବନମାଳି ଭେଙ୍କଟରାୟପୁର ଭୋଇସାହି ଗ୍ରାମରେ ସୁଟିଂ ହୋଇଛି। ଗତ ୧୩ ତାରିଖରେ ଏହି ଘଟଣା ଘଟିଥିଲେ ହେଁ ଏବେ ପଦାକୁ ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଫାଣ୍ଡି ଅଧିକାରୀଙ୍କ ଏପରି କାରନାମାକୁ ବୁଦ୍ଧିଜୀବୀମହଲରେ ନାପସନ୍ଦ କରାଯାଇଛି। ତେବେ ଏ ସଂପର୍କରେ ସଂପୃକ୍ତ ଫାଣ୍ଡି ଅଧିକାରୀ ଶ୍ରୀ ପୃଷ୍ଟିଙ୍କୁ ପଚାରିବାରୁ ସେ ଏହି ଘଟଣା ସତ ବୋଲି ସ୍ବୀକାର କରିଛନ୍ତି। ସେ କହିଛନ୍ତି ଯେ ପରିସ୍ଥିତିରେ ଏପରି କରିବାକୁ ବାଧ୍ୟ ହୋଇଥିଲି।
ସୂଚନା ଅନୁଯାୟୀ, ଗତ ୧୩ ତାରିଖ ରାତି ପ୍ରାୟ ସାଢ଼େ ୯ଟା ବେଳେ ବନମାଳି ଭେଙ୍କଟରାୟପୁର ଭୋଇସାହି ଗ୍ରାମ ନିକଟରେ ବନମାଳିପୁର ପୁଲିସ ପାଟ୍ରୋଲିଂ କରୁଥିଲା। ଏହି ସମୟରେ କିଛି ଯୁବକ ଗୋଟିଏ ବାଇକ୍ରେ ଯାଉଥିବା ଦେଖି ସେମାନଙ୍କୁ ପୁଲିସ୍ ଅଟକାଇବା ପାଇଁ ଚେଷ୍ଟା କରିଥିଲା। କିନ୍ତୁ ଯୁବକମାନେ ଗାଡ଼ି ଛାଡ଼ି ଗାଁ ଭିତରକୁ ଦଉଡ଼ି ପଳାଇଥିଲେ। ଏହା ପରେ ପୁଲିସ ଗାଁ ଭିତରେ କିଛି ଲୋକଙ୍କୁ ପଚରାଉଚରା କରିବାରୁ ଗ୍ରାମବାସୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ପରେ ଏହା ଉଗ୍ରରୂପ ନେବାରୁ ଫାଣ୍ତି ଅଧିକାରୀ ଶ୍ରୀ ପୃଷ୍ଟି ନିଜ ସଭିର୍ସ ରିଭଲବର୍ କାଢ଼ି ଜଣେ ଯୁବକଙ୍କ ମୁଣ୍ଡରେ ଲଗାଇ ଦେଇଥିଲେ। ଖାଲି ସେତିକି ନୁହେଁ, ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମଧ୍ୟ ମାରିଥିଲେ।