ରାତି ଅଧିଆ ବଦଳି କଲେ ଏସ୍ପି
ରେମୁଣାରେ ପୁଲିସକୁ ଢେଲାମାଡ଼
ଭୁବନେଶ୍ୱର/ବାଲେଶ୍ୱର : ଆଜି ରାତିରେ ପୁଲିସକୁ ନେଇ ଦୁଇ ଦୁଇଟି ଅଭାବନୀୟ ଘଟଣା ଘଟିଛି। ବାଲେଶ୍ୱର ଜିଲ୍ଲା ରେମୁଣା ଅଞ୍ଚଳରେ ଏକ ଆଇନଶୃଙ୍ଖଳା ପରିସ୍ଥିତିକୁ ରୋକିବାକୁ ଯିବା ବେଳେ ମାଡ଼ ଖାଇଛି ପୁଲିସ। ଗଣ୍ଡଗୋଳକାରୀଙ୍କ ଟେକା ପଥର ମାଡ଼ରେ ଦୁଇଜଣ ପୁଲିସ ଅଧିକାରୀ ଗୁରୁତର ଆହତ ହୋଇଛନ୍ତି। ଏପଟେ କିନ୍ତୁ ପୁରୀ ତାଳବଣିଆ ଥାନା ଅଧିକାରୀ ରାଜଧାନୀର କ୍ୟାପିଟାଲ ହସ୍ପିଟାଲରେ ନିଜେ ଅଭାବନୀୟ କାଣ୍ଡ ଘଟାଇଛନ୍ତି। ଭୁବନେଶ୍ୱର ଉପକଣ୍ଠ ଧଉଳି ଛକ ନିକଟରେ ଦୁର୍ଘଟଣାର ଶିକାର ହୋଇଥିବା ଥାନା ଅଧିକାରୀ ରମାକାନ୍ତ ପାତ୍ର ଜଣେ ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି। ଏହି ଘଟଣାକୁ ନେଇ କ୍ୟାପିଟାଲ ହସ୍ପିଟାଲ କର୍ମଚାରୀ ଓ ସାମ୍ବାଦିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବ ବୋଲି ପୁଲିସ କମିସନର ଓ୍ଵାଇ ବି ଖୁରାନିଆ କହିଛନ୍ତି।
ପୁଲିସ ମହାନିର୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି, ଏସ୍ପିଙ୍କ ରିପୋର୍ଟ ଆଧାରରେ ସଂପୃକ୍ତ ଥାନାଧିକାରୀଙ୍କ ବିରୋଧରେ ପଦକ୍ଷେପ ନିଆଯିବ। ଆମ ପୁରୀ ପ୍ରତିନିଧିଙ୍କ ଖବର ଅନୁସାରେ, ଖବର ପାଇ ଏସ୍ପି ସାର୍ଥକ ଷଡଙ୍ଗୀ ତାଙ୍କୁ ରାତିଅଧିଆ ବଦଳି କରିଛନ୍ତି। ଶ୍ରୀ ପାତ୍ରଙ୍କୁ ଜିଲ୍ଲା ପୁଲିସ ହେଡ୍କ୍ୱାର୍ଟର୍ସରେ ନୂଆ ନିଯୁକ୍ତି ମିଳିଛି।
ଆମ ବାଲେଶ୍ୱର ପ୍ରତିନିଧିଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରେମୁଣା ଥାନା ଅଧୀନ ଗନିପୁରରେ ଆଜି ରାତି ୯ଟା ବେଳେ ଏକ ନିର୍ଦିଷ୍ଟ ସମ୍ପ୍ରଦାୟର ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଭୟଙ୍କର ରୂପ ନେଇଥିଲା। ଖବରପାଇ ସେଠାରେ ରେମୁଣା ଥାନା ପୁଲିସ୍ ପହଞ୍ଚିଥିଲା। ହେଲେ ପରିସ୍ଥିତି ନିୟନ୍ତ୍ରଣ କରୁଥିବା ବେଳେ ପୁଲିସ ଉତ୍ତ୍ୟକ୍ତ ଲୋକଙ୍କ ଶିକାର ହୋଇଥିଲା। ଉଭୟ ଗୋଷ୍ଠୀର ଟେକା, ପଥର ମାଡ଼ରେ ସବ୍ଇନ୍ସପେକ୍ଟର ନଗରଦୀପ ସେଠୀ ଓ ଏଏସ୍ଆଇ ଉପେନ୍ଦ୍ର ବେହେରା ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଥିବା ସୂଚନା ମିଳିଛି। ଗୋଷ୍ଠୀ ସଂଘର୍ଷ ଘଟଣାର ନିର୍ଦିଷ୍ଟ କାରଣ ଜଣାପଡ଼ିନାହିଁ। ରିପୋର୍ଟ ଲେଖାହେବା ବେଳକୁ ପରିସ୍ଥିତି ନିୟନ୍ତ୍ରଣରେ ରହିଥିବା ସୂଚନା ମିଳିଛି।
ଏପଟେ ଆମ ଭୁବନେଶ୍ୱର ପ୍ରତିିନିଧି ଜଣାଇଛନ୍ତି, ରବିବାର ସନ୍ଧ୍ୟାରେ ଥାନା ଅଧିକାରୀ ଶ୍ରୀ ପାତ୍ର ଭୁବନେଶ୍ୱରରୁ ପୁରୀ ଯାଉଥିବା ସମୟରେ ଦୟା ନଦୀ ବ୍ରିଜ୍ ଉପରେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ସ୍ଥାନୀୟ ଲୋକମାନେ ଥାନା ଅଧିକାରୀଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ। ତେବେ ଜଣେ ଥାନା ଅଧିକାରୀ ଦୁର୍ଘଟଣାର ଶିକାର ହୋଇଥିବା ଖବର ପାଇ କେତେକ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ହସ୍ପିଟାଲରେ ପହଞ୍ଚିଥିଲେ। ଏକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ଶୁଭକାନ୍ତ ପଢ଼ିହାରୀ ମଧ୍ୟ ହସ୍ପିଟାଲ ଯାଇଥିଲେ। ସେଠାରେ ଶୁଭକାନ୍ତ ହୁଇଲ୍ ଚେୟାର୍ରେ ଯାଉଥିବା ଥାନା ଅଧିକାରୀ ଶ୍ରୀ ପାତ୍ରଙ୍କ ଭିଜୁଆଲ ନେଇଥିଲେ। ଶୁଭକାନ୍ତ ଭିଜୁଆଲ୍ ନେଉଥିବା ଦେଖି ଥାନା ଅଧିକାରୀ ହଠାତ୍ ଉତ୍କ୍ଷିପ୍ତ ହୋଇପଡ଼ିଥିଲେ। ହଠାତ୍ ହୁଇଲ୍ ଚେୟାରରୁ ଉଠିପଡ଼ି ଶୁଭକାନ୍ତଙ୍କୁ ଆକ୍ରମଣ କରିଥିଲେ। ତାଙ୍କ କ୍ୟାମେରା ଭାଙ୍ଗିବା ସହ ମୋବାଇଲ୍ ଫୋନ୍ ଛଡ଼ାଇ ଫୋପାଡ଼ି ଦେଇଥିଲେ। ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ସେଠାରୁ ଚାଲିଯିବାକୁ ଧମକ ଦେଇଥିଲେ। ଖବର ପାଇ ଗଣମାଧ୍ୟମ ପ୍ରତିନିଧିମାନେ କ୍ୟାପିଟାଲ୍ ଥାନାରେ ପହଞ୍ଚି ଆଇଆଇସିଙ୍କ ଏଭଳି ବ୍ୟବହାରକୁ ପ୍ରତିବାଦ କରିବା ସହ ତାଙ୍କୁ ଗିରଫ ଦାବି କରିଥିଲେ। ଏନେଇ ସଂଘ ପକ୍ଷରୁ ଅଭିଯୋଗ ପରେ କ୍ୟାପିଟାଲ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/iic.jpg)