ବନ୍ଧକ ସୁନା ପାଇବାକୁ ହିତାଧିକାରୀ ନୟାନ୍ତ, ଥାନା ଅଧିକାରୀ ମାଗୁଛନ୍ତି ଟଙ୍କା!

ରାୟଗଡ଼ା: ଟଙ୍କା ପାଇଁ ବନ୍ଧା ପଡିଥିବା ସୁନା ଫେରାଉନି ସୁନାରି। ହିତାଧିକାରୀ ଏକ ବର୍ଷରୁ ଉର୍ଧ୍ବ ସମୟ ଧରି କଲ୍ୟାଣସିଂହପୁର ଥାନା ସହ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି, ରାୟଗଡ଼ା ଏସପିଙ୍କ ଦ୍ବାରସ୍ଥ ହେବା ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ସୁନା ବନ୍ଧକ ରଖିଥିବା ସୁନାରି ପି. ସାଇ କୁମାର ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ କଲ୍ୟାଣସିଂହପୁର ଥାନା ଅଧିକାରୀ ସୁକୁମା ହାଂସଦା ସୁନାରିକୁ ସହଯୋଗ କରୁଥିବାରୁ ସୁନା ମିଳିବାରେ ବିଳମ୍ବ ହେଉଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି।

ସୂଚନା‌ ମୁତାବକ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ବିଜେପୁର ଥାନା ଅଞ୍ଚଳର ବିଭିନ୍ନ ଗାଁ  ଲୋକ କଲ୍ୟାଣସିଂହପୁରର ସୁନା ବ୍ୟବସାୟୀ ପି. ସାଇ କୁମାରଙ୍କ ନିକଟରେ ନିଜର ସୁନା ବନ୍ଧକ ରଖି ଟଙ୍କା ନେଇଥିଲେ। ମନାଙ୍ଗପଦର ଗାଁର ଅଭି ନାୟକ ଦେଢ଼ ତୋଳା ସୁନା ବନ୍ଧକ ରଖି ୧୭ ହଜାର, ଗରିବ ନାୟକ ଅଧ ତେଳା ସୁନା ରଖି ୬ ହଜାର, ବରପଦର ଗାଁର ରତ୍ନାକର ନାୟକ ଗୋଟିଏ ତୋଳା ରଖି ୧୫ ହଜାର, ନିରାଶ ନାୟକ ଏକ ତୋଳା ପାଇଁ  ୩୦ ହଜାର, ରାଧାମୋହନ ନାୟକ ଏକ ତୋଳା ପାଇଁ ୧୦ ହଜାର, ଲୋକନାଥ ମାଝି ଏକ ତୋଳା ପାଇଁ ୧୫ ହଜାର, ଗାଟିକୁଣ୍ଡୁର ଗାଁର ଧବେଶ୍ବର ନାୟକ ୨ ତୋଳା ଦେଇ ୩୦ ହଜାର, ପଣିବାହାରି ଗାଁର ଆମର ହରିଜନ ଅଧ ତୋଳା ସୁନା ପାଇଁ ୧୫ ହଜାର ଟଙ୍କା ନେଇଥିଲେ। ଏପରି ୨୦ରୁ ଉର୍ଧ୍ବ ହିତାଧିକାରୀ ପି. ସାଇ କୁମାରଙ୍କ ନିକଟରେ ସୁନା ବନ୍ଧକ ରଖି ଟଙ୍କା ନେଇଥିଲେ।

୨୦୨୧ ଜୁଲାଇ ୭ ତାରିଖରେ କିଛି ହିତାଧିକାରୀ ବନ୍ଧକ ସୁନା ମୁକୁଳାଇବା ପାଇଁ ପି. ସାଇ କୁମାରଙ୍କ ଘରେ ପହଞ୍ଚିଥିଲେ। ସାଇ କୁମାର ବନ୍ଧକ ସୁନା, ରୂପା ନେଇ ରାୟଗଡ଼ା ଚାଲି ଯାଇଥିବା ପରିବାର ଲୋକ ସୂଚନା ଦେବା ପରେ ହିତାଧିକାରୀମାନେ ଏ ନେଇ କଲ୍ୟାଣସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହିତାଧିକାରୀମାନେ ଏ ସଂପର୍କରେ ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ୨୦୨୧ ଅଗଷ୍ଟ ୧୭ ତାରିଖରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବନ୍ଧକ ସୁନା ଉଦ୍ଧାର କରି ହିତାଧିକାରୀଙ୍କୁ ପ୍ରଦାନ କରିବାକୁ କଲ୍ୟାଣସିଂହପୁର ଥାନା ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ।

ଏସପିଙ୍କ ନିର୍ଦେଶକ୍ରମେ ଅଗଷ୍ଟ ୨୮ ତାରିଖରେ ଥାନା ଅଧିକାରୀ ରାୟଗଡ଼ାସ୍ଥିତ ପି. ସାଇ କୁମାରଙ୍କ ଘରେ ପହଞ୍ଚି ବନ୍ଧକ ସୁନା ଉଦ୍ଧାର କରିବା ସହ ସାଇ କୁମାରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଉଦ୍ଧାର ସୁନା ଥାନାରେ ଥିବା ଦେଖି ହିତାଧିକାରୀ ଆଶ୍ବସ୍ତ ହୋଇଥିଲେ। କିନ୍ତୁ ସୁନା ବନ୍ଧକ ବାବଦକୁ ନେଇଥିବା ଟଙ୍କାର ୧୫ରୁ ୨୦ ପ୍ରତିଶତ ସୁଧ ଦେବା ପରେ ହିଁ ସୁନା ମିଳିବ ବୋଲି କହି ଥାନାଧିକାରୀ ସୁକୁମା ହାଂସଦା ହିତାଧିକାରୀଙ୍କୁ ଫେରାଇ ଦେଇଥିଲେ। ମୂଳ ସହିତ ସୁଧ ଟଙ୍କା ହିତାଧିକାରୀ ଦାଖଲରେ ବିଫଳ ହେବା ପରେ ଡିଆଇଜିଙ୍କ ଦ୍ବାରସ୍ଥ ହୋଇଥିଲେ। ବର୍ଷକ ମଧ୍ୟରେ ହିତାଧିକାରୀମାନେ ନିଜ ସୁନା ଫେରି ପାଇବା ପାଇଁ ୩ ଥର ଡିଆଇଜି, ଏସପିଙ୍କ ଦ୍ବାରସ୍ଥ ହେଲେଣି। କିନ୍ତୁ ନିଜ ସୁନା ପାଇବାରେ ସଫଳ ହୋଇପାରୁନାହାନ୍ତି।

ଗିରଫ ପରେ ଜାମିନରେ ଆସି ପି. ସାଇ କୁମାର କଲ୍ୟାଣସିଂହପୁର ଥାନା ଅଧିକାରୀଙ୍କ ସହ ସଲାସୁତୁରା ହୋଇ ହିତାଧିକାରୀଙ୍କୁ ସୁନା ଫେରାଉ ନଥିବା ଅଭିଯୋଗ ହୋଇଛି। ଏପରିକି ପି. ସାଇ କୁମାର ନିୟମିତ ଥାନାକୁ ଯାଇ ଉଦ୍ଧାର ବନ୍ଧକ ସୁନା ପ୍ୟାକେଟ୍ ହିସାବ କରି ଫେରୁଛନ୍ତି। ଯାହାର ଭିଡ଼ିଓ ଫୁଟେଜ୍ ହିତାଧିକାରୀଙ୍କ ପାଖରେ ଅଛି। ଏ ସଂପର୍କରେ କଲ୍ୟାଣସିଂହପୁର ଥାନା ଅଧିକାରୀ ସୁକୁମା ହାଂସଦାଙ୍କୁ ପଚାରିବାରୁ ସୁଧ ଟଙ୍କା ହିତାଧିକାରୀଙ୍କୁ ମାଗିବା ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି। ପି. ସାଇ କୁମାରଙ୍କ ପରିବାର ମଧ୍ୟରେ ଲାଗି ରହିଥିବା ବିବାଦ ଯୋଗୁ ଏହି ଘଟଣା ଅନ୍ୟ ମୋଡ଼ ନେଉଛି। ଏପରିକି ଉଦ୍ଧାର ସୁନା ଫେରାଇବା ପାଇଁ ସୁନାରି ପି. ସାଇ କୁମାର ହିତାଧିକାରୀଙ୍କ ନିକଟକୁ ଯାଉଛନ୍ତି। କିନ୍ତୁ କିଛି ଟଙ୍କା ନ ଫେରାଇ ମାଗଣାରେ ସୁନା ଦେବା ପାଇଁ ହିତାଧିକାରୀ କହୁଥିବା ଥାନା ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର