ପୁଲିସ ବିଭାଗ ଅସହାୟ ନା ଅକ୍ଷମ? ପଦୋନ୍ନତି ପରେ ବି ପୋଷ୍ଟିଂ ନାହିଁ

ପୁଣି ପଦୋନ୍ନତି ପାଇଁ ମନୋନୟନ ଆହ୍ବାନ

କଟକ, (କୃଷ୍ଣପ୍ରସାଦ ଦାସ) : ରାଜ୍ୟ ପୁଲିସ ବିଭାଗ ଏବେ ଅସହାୟ ନା ନିଷ୍ପତ୍ତି ନେବାକୁ ଅକ୍ଷମ? ବିଭାଗର ବିଭିନ୍ନ କ୍ଷେତ୍ରରେ ଯେଉଁ ଅଚଳାବସ୍ଥା ସୃଷ୍ଟି ହୋଇଛି, ତାହାକୁ ନେଇ ଏବେ ଏଭଳି ଗୁରୁତର ପ୍ରଶ୍ନ ମୁଣ୍ଡ ଟେକୁଛି। ପଦୋନ୍ନତି ତାଲିକା ପ୍ରକାଶ ପାଉଛି କିନ୍ତୁ ପୋଷ୍ଟିଂ ହୋଇପାରୁନି। ବୋର୍ଡ ବସୁଛି କିନ୍ତୁ ପଦୋନ୍ନତି ତାଲିକା ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରାଯାଉନି। ମାସ ମାସ ଧରି ନିଷ୍ପତ୍ତି ଅଟକି ରହୁଛି। ୱେବସାଇଟରେ ବିଜ୍ଞପ୍ତି ସଂକ୍ରାନ୍ତ ତଥ୍ୟ ଉପଲବ୍ଧ ହେଉ ନାହିଁ। ରାଜ୍ୟ ସରକାରଙ୍କ ୫-ଟିରେ ଦକ୍ଷତା ଆଉ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ କରିବା କଥା କୁହାଯାଉଥିବା ବେଳେ ସବୁଠୁ ଗୁରୁତ୍ବପୂର୍ଣ୍ଣ ଗୃହ ବିଭାଗ ଆଉ ତା ଅଧୀନରେ ଥିବା ପୁଲିସ ବିଭାଗରେ ଏ ସ୍ଥିତି କାହିଁକି?

ରାଜ୍ୟ ପୁଲିସ ବିଭାଗକୁ ଅଧିକ ସକ୍ରିୟ ଆଉ ଦାୟିତ୍ବ ସଂପନ୍ନ କରିବାକୁ ୨୦୦୭ରେ ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ପୂର୍ବରୁ ପ୍ରଥମ ଶ୍ରେଣୀ କନିଷ୍ଠ ବର୍ଗର ଅଧିକାରୀ ଅର୍ଥାତ ଡିଏସପି ପାହ୍ୟାର ଅଧିକାରୀଙ୍କ ପୋଷ୍ଟିଂ ଗୃହ ବିଭାଗ ହାତରେ ଥିବା ବେଳେ ସେହି ବର୍ଷ ବିଜ୍ଞପ୍ତି (ନଂ ୧୮୪୦୭, ୬/୪/୨୦୦୭) ଜାରି କରି ଏହି ଅଧିକାର ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ଦିଆଯାଇଥିଲା। କିନ୍ତୁ ପୂର୍ବରୁ ଏହି କାର୍ଯ୍ୟ ଯେତେ ସରଳ ହେଉଥିଲା, ବର୍ଷକୁ ବର୍ଷ ପ୍ରକ୍ରିୟା ଜଟିଳ ହେବାରେ ଲାଗିଛି। ଅଦାଲତି ବିବାଦ ଏବଂ ଅନ୍ୟ ବିଭିନ୍ନ କାରଣରୁ ୨୦୧୪ ପରଠାରୁ ଡିଏସପି ବୋର୍ଡ ବସି ପାରି ନଥିଲା। ଅତି ଆବଶ୍ୟକ ପଡିବାରୁ ୨୦୧୮ରେ ଇନ୍ସପେକ୍ଟର ଦରମାରେ ରଖି ଇନଚାର୍ଜ ଡିଏସପି ଦାୟିତ୍ବରେ ଅଧିକାରୀ ମାନଙ୍କୁ ରଖାଗଲା। ୨୦୧୫ରୁ ୨୦୨୦ ପର୍ଯ୍ୟନ୍ତ ୬ ବର୍ଷକୁ ବିଚାରକୁ ନେଇ ୨୦୨୧ ଜାନୁଆରି ୩୦ ତାରିଖରେ ୩୦୧ ଜଣଙ୍କୁ ଡିଏସପି ପଦୋନ୍ନତି ମିଳିଲା। କିନ୍ତୁ ଏହାକୁ ନେଇ ସ୍ଥିତି ସୁଧୁରିବା ବଦଳରେ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଗୃହ ବିଭାଗ ପଦୋନ୍ନତି ତାଲିକା ପ୍ରକାଶ କରି ପୋଷ୍ଟିଂ ଦାୟିତ୍ବ ଡିଜିଙ୍କୁ ଦେଇଥିବା ବେଳେ ତାହା ଏବେ ଝୁଲି ରହିଛି। ଫେବ୍ରୁଆରି ୧୩ ତାରିଖରେ ୧୨୦ ଜଣ ଅଧିକାରୀଙ୍କୁ ପୋଷ୍ଟିଂ ଦିଆଯିବା ପରେ ବିଭାଗ ହାତ ବାନ୍ଧି ବସିଛି। ଦେଢ ମାସ ପରେ ବି ୧୮୦ ଅଧିକାରୀ ଡିଏସପି ପ ଦୋନ୍ନତି ପାଇ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି। ଫାଇଲ୍ ଗଡୁନି କି ନିଷ୍ପତ୍ତି ହେଉନି। ଏଭଳି ଅଚଳାବସ୍ଥା ଭିତରେ ସେପଟେ ୨୦୨୧ ବର୍ଷର ପଦୋନ୍ନତି ପାଇଁ ଗୃହ ବିଭାଗ ମନୋନୟନ ଆହ୍ବାନ କଲାଣି। ଫେବ୍ରୁଆରି ୧୯ ତାରିଖରେ (ନଂ ୬୯୩୧) ଡିଏସ୍‌ପି ପ ଦୋନ୍ନତି ପାଇଁ ମନୋନୟନ ଆହ୍ବାନ କରାଯାଇଛି। ପଦୋନ୍ନତି ପାଇଥିବା ୧୮୦ ଅଧିକାରୀଙ୍କୁ ପୋଷ୍ଟିଂ ମିଳି ପାରୁ ନ ଥିବାବେଳେ ଏ ମନୋନୟନ ଆହ୍ବାନ ପ୍ରହସନ କାହିଁକି ବୋଲି ଅଧିକାରୀଙ୍କ ମଧ୍ୟରେ ପ୍ରଶ୍ନ ଉଠୁଛି।

dacoromania.org

ଇନ୍ସପେକ୍ଟର ପଦୋନ୍ନତିରେ ବି ଅନୁରୂପ ସ୍ଥିତି। ପଦୋନ୍ନତି ବୋର୍ଡ ବସି ସାରିଥିବା ବେଳେ ପଦୋନ୍ନତି ତାଲିକା ବିଜ୍ଞପ୍ତି ଜାରି ପ୍ରକ୍ରିୟା କିନ୍ତୁ ଗଡି ଚାଲିଛି। ଫଳରେ ବିଭାଗର ଉଭୟ ଗୁରୁତ୍ବପୂର୍ଣ୍ଣ ପଦବିର ପଦୋନ୍ନତିରେ ଅଚଳାବସ୍ଥା ସୃଷ୍ଟି ହୋଇଥିବା ବେଳେ ଏହା ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି ପ୍ରକ୍ରିୟାରେ ମଧ୍ୟ ବିବାଦ ସୃଷ୍ଟିର ବାଟ ଫିଟାଉଛି। ୨୦୧୫ରୁ ୨୦୨୧ ଯାଏ ୬ ବର୍ଷର ବୋର୍ଡକୁ ଅଲଗା ଅଲଗା ଭାବେ ପଦୋନ୍ନତିରେ ବିଚାରକୁ ନ ନେଇ ସମସ୍ତଙ୍କୁ ଗୋଟିଏ ତାଲିକାରେ ଡିଏସପି ପଦୋନ୍ନତି ଦିଆଯାଇଥିବା ବେଳେ ଆଗକୁ ବରିଷ୍ଠତା ନିର୍ଦ୍ଧାରଣରେ ହୁଏତ ବିବାଦ ‌ସୃଷ୍ଟି ଆଶଙ୍କା କରାଗଲାଣି। ପୁଲିସ ବିଭାଗରେ ଏଭଳି ନିଷ୍କ୍ରିୟତା ସୃଷ୍ଟି ହୋଇଥିବା ବେଳେ ଗୃହ ବିଭାଗ ଆଉ ୫-ଟି ବିଭାଗର ନିରବତା ସମସ୍ତ ପ୍ରକ୍ରିୟାକୁ ଜଟିଳ କରିବା ସହିତ ଅଧିକାରୀଙ୍କ ମଧ୍ୟରେ କାର୍ଯ୍ୟଦକ୍ଷତା ଆଉ ମନୋବଳକୁ ଦୁର୍ବଳ କରୁଥିବା ଅଭିଯୋଗ ହେଉଛି। ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ମତାମତ ରଖାଯାଉ ନ ଥିବାବେଳେ ଏ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର