କଟକ : ପୁଲିସ ବିଭାଗରେ କନଷ୍ଟେବଳରୁ ଏଏସଆଇ ପଦୋନ୍ନତି ୧୮ ବର୍ଷ ହେଲା ବନ୍ଦ। କନଷ୍ଟେବଳରୁ ଲାନ୍ସ୍ ନାୟକ ଏବଂ ଏପିଆର ହାବିଲଦାର ପଦୋନ୍ନତି ପ୍ରକ୍ରିୟା ୬ ବର୍ଷ ହେଲା ବନ୍ଦ। ଏଥିପାଇଁ କରାଯାଉଥିବା ଡିଆଇସି(ଡ୍ରିଲ୍ ଇନଷ୍ଟ୍ରକ୍ଟର କୋର୍ସ) ବନ୍ଦ କରି ଦିଆଯାଇଛି। ଏବେ ରାଜ୍ୟରେ ଲାନ୍ସ ନାୟକ, ଏପିଆର୍ ହାବିଲଦାର, ଏଏସଆଇ ଭଳି ପ୍ରାୟ ୨୩ଶହ ପଦବି ଖାଲି ପଡ଼ିଥିବା ବେଳେ ୬ ହଜାରରୁ ଅଧିକ କନଷ୍ଟେବଳ ପଦବି ବି ଖାଲି ପଡିଛି। ପୁଲିସ ବିଭାଗରେ ତଳିଆ କର୍ମଚାରୀଙ୍କୁ ଏଭଳି ଅଲୋଡ଼ା କରିଦେଇ ପଦୋନ୍ନତି ପ୍ରକ୍ରିୟା ବନ୍ଦ କରିଦେବାରୁ କାର୍ଯ୍ୟକ୍ଷେତ୍ରରେ ଏହାର ଗୁରୁତର ପ୍ରଭାବ ପଡୁଛି।
ରାଜ୍ୟ ପୁଲିସ ବିଭାଗରୁ ମିଳିଥିବା ତଥ୍ୟ ମୁତାବକ, ଆଜି ସୁଦ୍ଧା ଓଡ଼ିଶା ପୁଲିସରେ ଏଏସଆଇଙ୍କ ମଞ୍ଜୁରିପ୍ରାପ୍ତ ପଦବି ୬ ହଜାର ଥିବା ବେଳେ ୧୨ ଶହ ପଦବି ଖାଲି ପଡ଼ିଛି। ଉଭୟ କନଷ୍ଟେବଳ ଓ ହାବିଲଦାରଙ୍କ ମଞ୍ଜୁରିପ୍ରାପ୍ତ ପଦବି ୫୩ ହଜାର ଥିବା ବେଳେ ଏବେ ପାଖାପାଖି ୬ ହଜାର ପଦବି ଖାଲି ପଡ଼ିଛି। ଲାନ୍ସ ନାୟକ ୧ ହଜାର ମଞ୍ଜୁରିପ୍ରାପ୍ତ ପଦବିରୁ ୫୦୦ ଏବଂ ଏପିଆର୍ ହାବିଲଦାର୍ ୨୬ଶହରୁ ୬୦୦ ଖାଲି ପଡ଼ିଛି। ପୁଲିସ ବିଭାଗ କନଷ୍ଟେବଳରୁ ଏଏସ୍ଆଇ ସଂରକ୍ଷିତ ବର୍ଗଙ୍କ ପାଇଁ ୨୦୧୩ରେ ଶେଷ ଥର ପାଇଁ ବିଭାଗୀୟ ପଦୋନ୍ନତି ପରୀକ୍ଷା କରିଥିଲା। ସେହିପରି ଅଣସଂରକ୍ଷିତ ବର୍ଗଙ୍କ ପାଇଁ ୨୦୦୨ରେ ଶେଷ ଥର ପାଇଁ ପରୀକ୍ଷା କରାଯାଇଥିଲା। ଏବେ ପରୀକ୍ଷା ନହେବା ଫଳରେ ୧୨ ଶହ ଏଏସ୍ଆଇ ପଦବି ପୂରଣ ହୋଇପାରୁ ନାହିଁ। ସେହିପରି କନଷ୍ଟେବଳରୁ ଲାନ୍ସନାୟକ ଏବଂ ପରେ ଲାନ୍ସ ନାୟକ ପଦବିରୁ ଏପିଆର୍ ହାବିଲଦାର ପଦବିକୁ ପଦୋନ୍ନତି ପାଇଁ ଏକ ଡିଆଇସି(ଡ୍ରିଲ୍ ଇନଷ୍ଟ୍ରକ୍ଟର କୋର୍ସ) କରାଯାଏ। ଏହି କୋର୍ଟ ୨୦୧୪ରେ ଶେଷ ଥର ପାଇଁ ନୟାଗଡ଼ ପିଟିସିରେ ପୁଲିସ ବିଭାଗ ପକ୍ଷରୁ କରାଯାଇଥିଲା। ଆଜି ପର୍ଯ୍ୟନ୍ତ ଟ୍ରେନିଂ ବି ହୋଇନାହିଁ। ଫଳରେ ଉଭୟ ଲାନ୍ସ ନାୟକ ଏବଂ ଏପିଆର ହାବିଲଦାର ୧୧ ଶହ ଖାଲି ପଡ଼ିଛି। ପ୍ରତ୍ୟେକ ବର୍ଷ ପୁଲିସ ବିଭାଗରେ ଏଏସଆଇରୁ ଏସଆଇ, ଏସ୍ଆଇରୁ ଇନସ୍ପେକ୍ଟରକୁ ପଦୋନ୍ନତି ହେଉଛି। କେବଳ ଡିଏସପି ପାହ୍ୟାକୁ ପଦୋନ୍ନତି ପାଇଁ ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଥିବାରୁ ୨୦୧୭ ପରଠାରୁ ବୋର୍ଡ ବସି ନଥିଲା। ୨୦୧୭ ନଭେମ୍ବର ୨୯ ତାରିଖରେ ଶେଷଥର ୧୫୧ ଇନସ୍ପେକ୍ଟର୍ରୁ ଡିଏସ୍ପି ପାହ୍ୟାକୁ ପଦୋନ୍ନତି ହୋଇଥିଲା। ଏମାନେ ଇନଚାର୍ଜ ଡିଏସ୍ପି ଭାବେ କାର୍ଯ୍ୟ କରୁଥିଲେ। ଗଲା ଅଗଷ୍ଟ ୧୮ ତାରିଖରେ ସୁପ୍ରିମକୋର୍ଟରୁ ମାମଲା ପ୍ରତ୍ୟାହାର ପରେ ଏବେ ଡିଏସ୍ପି ପଦୋନ୍ନତିରେ କୌଣସି ପ୍ରକାର ସମସ୍ୟା ରହିବ ନାହିଁ। କିନ୍ତୁ କନଷ୍ଟେବଳ, ହାବିଲଦାରଙ୍କ କ୍ଷେତ୍ରରେ ବିନା କାରଣରେ ଅବିଚାର କରାଯାଉଥିବା ଅଭିଯୋଗ ଉଠିଛି। କନଷ୍ଟେବଳମାନେ ସିଧାସଳଖ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ସହିତ ଜଡ଼ିତ ରହୁଥିବାବେଳେ ହାବିଲଦାରମାନେ ଏସକର୍ଟ ଇନଚାର୍ଜ, ବ୍ୟାଙ୍କ ଗାର୍ଡ, ଟ୍ରେଜେରି ଗାର୍ଡର ଗାର୍ଡ କମାଣ୍ଡର ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ଏସଏସଆଇମାନେ ତଦନ୍ତ ପ୍ରକ୍ରିୟାକୁ ଅଧିକ ତ୍ବରାନ୍ବିତ କରିଥାନ୍ତି। ଉପର ପାହ୍ୟାର ଅଧିକାରୀଙ୍କ ପଦୋନ୍ନତି ପ୍ରକ୍ରିୟା ନିୟମିତ ଭାବେ ଚାଲିଆସୁଥିବା ବେଳେ ତଳ ପାହ୍ୟାର କର୍ମଚାରୀଙ୍କ ପଦୋନ୍ନତି ଏବଂ ତାମିଲ ଅଟକାଇ ରଖିବା ଫଳରେ କର୍ମଚାରୀଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଉଛି।