ଦେବସ୍ନାନ ପୂଣ୍ଣିମା ପାଇଁ ପୁଲିସ ବିଭାଗର ପ୍ରସ୍ତୁତି: ମୁତୟନ ହେବେ ୫୦ ପ୍ଲାଟୁନ୍‌ ପୁଲିସ ଫୋର୍ସ

କଟକ : ଆସନ୍ତା ୧୪ ତାରିଖ ଦିନ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଦେବସ୍ନାନ ପୂଣ୍ଣିମ‌ା ପାଇଁ ପୁଲିସ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶୁକ୍ରବାର ଦିନ ରାଜ୍ୟ ପୁଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନିଲ କୁମାର ବଂଶଲଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥର ଭକ୍ତଙ୍କ ଗହଣରେ ଦେବସ୍ନାନ ପୂଣ୍ଣିମା ଅନୁଷ୍ଠିତ ହେଉଥିବାରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶୃଙ୍ଖଳିତ ଢଙ୍ଗରେ କାର୍ଯ୍ୟକ୍ରମ ପରିଚାଳନା ପାଇଁ ପୁରୀରେ ୫୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ। ଏଥି ସହିତ ୩ଜଣ କମାଣ୍ଡାଣ୍ଟ, ୭ଜଣ ଅତିରିକ୍ତ ଏସ୍‌ପି, ୧୪ଜଣ ଡିଏସପି ଓ ୩୦ ଜଣ ଇନ୍‌ସପେକ୍ଟରଙ୍କୁ ନିୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଶୁକ୍ରବାର ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ-ଶୃଙ୍ଖଳା) ଆର୍‌ କେ ଶର୍ମା, ଆଇଜି କେନ୍ଦ୍ରାଞ୍ଚଳ ନରସିଂହ ଭୋଳ, ପୁରୀ ଏସ୍‌ପି ଡକ୍ଟର କନୱର ବିଶାଲ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଶୃଙ୍ଖଳିତ ନୀତିକାନ୍ତି ଉପରେ ଡିଜିପି ଗୁରୁତ୍ବାରୋପ କରିଥିଲେ। ଏହି ଅବସରରେ ମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥ‌ା କିଭଳି କଡାକଡି କରାଯିବ ସେଥିପ୍ରତି ଧ୍ୟାନ ଦେବାକୁ ଡିଜିପି ପରାମର୍ଶ ଦେଇଥିଲେ। ଭୋର ସମୟରେ ମହାପ୍ରଭୁଙ୍କ ପରମାଣିକ ଦର୍ଶନଠାରୁ ଆରମ୍ଭ କରି ପହଣ୍ଡି, ଗଜପତି ମହାରାଜାଙ୍କ ଆଗମନ, ହାତୀବେଶ, ଭୋଗ, ସାହାଣ ମେଲା ଓ ସୁରକ୍ଷା ବ୍ୟବସ୍ଥା କିଭଳି ଶୃଙ୍ଖଳିତ ହେବ ସେଥିପ୍ରତି ଦୃଷ୍ଟିଦେବାକୁ କହିଥିଲେ। ସ୍ନାନ ବେଦୀ ନିକଟକୁ ଭକ୍ତଙ୍କୁ ବାରଣ କରିବା, ଆଇନଶୃଙ୍ଖଳା ପରିସ୍ଥିତି ସଂପର୍କରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ-ଶୃଙ୍ଖଳା) ଆର୍‌ କେ ଶର୍ମା ମତ ବ୍ୟକ୍ତ କରିଥିଲେ। ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା, ମନ୍ଦିର ବାହାରେ ଓ ଭିତରେ ସିସିଟିଭି ବ୍ୟବସ୍ଥା କରିବାକୁ ଆଇଜି ଶ୍ରୀ ଭୋଳ କହିଥିଲେ।

ସମ୍ବନ୍ଧିତ ଖବର