ଆସୁଛି ଅମ୍ଫାନ୍‌ : ପୁଲିସ ବିଭାଗ ସଜ‌ାଗ, ଅଗ୍ନିଶମ କର୍ମଚାରୀଙ୍କ ଛୁଟି ବାତିଲ୍‌

୪ ବରିଷ୍ଠ ଆଇପିଏସ୍‌ଙ୍କୁ ୪ ଜିଲ୍ଲାର ସ୍ବତନ୍ତ୍ର ଦାୟିତ୍ବ

କଟକ : ଅମ୍ଫାନ୍‌ ପାଇଁ ସମସ୍ତ ଜିଲ୍ଲାର ପୁଲିସ ଅଧିକାରୀଙ୍କୁ ପୁଲିସ ମୁଖ୍ୟାଳୟ ପକ୍ଷରୁ ସତର୍କ କରିଦିଆଯାଇଛି। ସ୍ଥିତିର ମୁକାବିଲା ଓ ଉଦ୍ଧାର କାର୍ଯ୍ୟରେ ଏମାନେ ସହଯୋଗ କରିବେ। ଇଷ୍ଟର୍ଣ୍ଣ ରେଞ୍ଜ ଆଇଜି ଦୀପ୍ତେଶ କୁମାର ପଟ୍ଟନାୟକଙ୍କୁ ବାଲେଶ୍ବର, ଇଓଡବ୍ଲୁ ଆଇଜି ଘନଶ୍ୟାମ ଉପାଧ୍ୟାୟଙ୍କୁ ଭଦ୍ରକ, ସେଣ୍ଟ୍ରାଲ ରେଞ୍ଜ ଡିଆଇଜି ଆଶିଷ କୁମାର ସିଂହଙ୍କୁ କେନ୍ଦ୍ରାପଡ଼ା ଓ ଏସ୍‌ଟିଏଫ୍ ଡିଆଇଜି ଜୟନାରାୟଣ ପଙ୍କଜଙ୍କୁ ଜଗତସିଂହପୁର ଜିଲ୍ଲା ଦାୟିତ୍ବ ଦିଆଯାଇଛି।ଅନ୍ୟପକ୍ଷରେ, ରାଜ୍ୟର ୩୩୮ ଅଗ୍ନିଶମ କେନ୍ଦ୍ରର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରି ଦିଆଯାଇଛି। କଟକ ଓ ଭୁବନେଶ୍ବର ସମେତ ୧୨ଟି ପ୍ରଭାବିତ ଜିଲ୍ଲାର ୧୧୯ ଅଗ୍ନିଶମ କେନ୍ଦ୍ରଗୁଡ଼ିକରେ ହାଇ ଆଲର୍ଟ ଜାରି କରାଯାଇଛି।

ଅନ୍ୟପଟେ ଉଭୟ ପଶ୍ଚିମାଞ୍ଚଳ ଏବ˚ ଦକ୍ଷିଣାଞ୍ଚଳର ଅଗ୍ନିଶମ କେନ୍ଦ୍ରର ୩୦ଟି ଟିମ୍‌ ପ୍ରଭାବିତ ଜିଲ୍ଲାକୁ ପଠାଇ ଦିଆଯାଇଛି। କଟକ, ଭୁବନେଶ୍ବର ଓ ପୁରୀ ସହରରେ ଜଳବନ୍ଦୀ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଏହିପାଇଁ ସେହି ଜିଲ୍ଲାଗୁଡ଼ିକୁ ୫୦ଟି ପାଣି ପମ୍ପ୍‌ ପଠାଯାଇଛି। ଜଳ ନିଷ୍କାସନ କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ‘ଅମ୍ଫାନ୍‌’ ପାଇଁ ପୁଲିସ ଡିଜି ଅଭୟ, ସ୍ବତନ୍ତ୍ର ଡିଜି ଗୁଇନ୍ଦା, ଅତିରିକ୍ତ ଡିଜି ରେଳବାଇ, ସମସ୍ତ ରେଞ୍ଜ ଆଇଜି, ଡିଆଇଜି ଏବ˚ ରାଜ୍ୟର ସମସ୍ତ ପୁଲିସ ଏସ୍‌ପି/ଡିସିପିଙ୍କ ସହିତ ଆଲୋଚନା କରିଛନ୍ତି। ସ୍ଥିତି ସମୀକ୍ଷା ପରେ ପଶ୍ଚିମାଞ୍ଚଳର ୧୫ଟି ଟିମ୍‌କୁ ଭଦ୍ରକ ଓ ବାଲେଶ୍ବର ପଠାଯାଇଛି। ସେହିଭଳି ଦକ୍ଷିଣାଞ୍ଚଳରୁ ୧୫ଟି ଟିମ୍‌ ଗଠନ କରାଯାଇ ୫ଟି ଜଗତସିହ˚ପୁର, ୫ଟି କେନ୍ଦ୍ରପଡ଼ା, ୩ଟି ଯାଜପୁର ପଠାଯାଇଥିବା ବେଳେ ଦୁଇଟି ଟିମ୍‌ ଭୁବନେଶ୍ବରରେ ରଖାଯାଇଛି। ଏବେ ଗଜପତି, ଗଞ୍ଜାମ, ଖୋର୍ଧା, ଭୁବନେଶ୍ବର, କଟକ, ପୁରୀ, ଜଗତସି˚ହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଭଳି ୧୨ଟି ଜିଲ୍ଲାରେ ଥିବା ୧୧୯ ଅଗ୍ନିଶମ କେନ୍ଦ୍ରକୁ ସତର୍କ କରାଯାଇଛି। ଅନ୍ୟପଟେ ଜଳବନ୍ଦୀ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖାଯାଇ ୩୦ଟି ପମ୍ପ ଭୁବନେଶ୍ବରରେ, ୧୦ଟି କଟକରେ, ୧୦ଟି ପମ୍ପ ପୁରୀରେ ରଖାଯାଇଛି। ଭୁବନେଶ୍ବରସ୍ଥିତ ଓଡ଼ିଶା ଫାୟାର ଆଣ୍ତ ଡିଜାଷ୍ଟର ରେସପନ୍ସ ଏକାଡେମିର ୮ଟି ଟିମ୍‌ରେ ୮୦ କର୍ମଚାରୀ ଏବ˚ ନରାଜସ୍ଥିତ ଓଡ଼ିଶା ଫାୟାର ଡିଜାଷ୍ଟର ଇନଷ୍ଟିଚ୍ୟୁଟର ୪୫ କର୍ମଚାରୀ ଗଛକଟା ପାଇଁ କରତ ସହିତ ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ଉପକରଣ ସହିତ ସଜାଗ ହୋଇ ଅଛନ୍ତି।

ସମ୍ବନ୍ଧିତ ଖବର