ଭୁବନେଶ୍ବର: ଓଡ଼ିଶାରେ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ହତ୍ୟା, ଯୌନ ନିର୍ଯାତନା, ଲୁଟ୍ ଭଳି ଘଟଣା ବୃଦ୍ଧି ପାଉଥିବାବେଳେ ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ନିଦା ବିଷ୍ଣୁ ପାଲଟି ଯାଇଛନ୍ତି। ଦିନ ଦ୍ବିପ୍ରହରରେ ସଂଗିନ ଅପରାଧ ଘଟୁଛି। ଏହାକୁ ନିୟନ୍ତ୍ରଣ କରିବାରେ ପୁଲିସ ବିଫଳ ହୋଇଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ଏକ ବିବୃତିରେ ସେ କହିଛନ୍ତି ଯେ ରାଜ୍ୟରେ ଅପରାଧ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ସବୁତକ ରେକର୍ଡରେ ସ୍ଥାନ ପାଉନାହିଁ। ୨୦୧୩ରେ ଓଡ଼ିଶାରେ ପଞ୍ଜୀକୃତ ଅପରାଧ ସଂଖ୍ୟା ୭୧, ୭୧୮ ଥିବାବେଳେ ୨୦୧୮ ସେପ୍ଟେମ୍ବର ସୁଦ୍ଧା ପଞ୍ଜୀକୃତ ଅପରାଧର ସଂଖ୍ୟା ୭୯,୯୯୮କୁ ବୃଦ୍ଧି ପାଇଛି। ଶ୍ରୀ ପଟ୍ଟନାୟକ କହିଛନ୍ତି, ୨୦୦୦୧ରେ ସର୍ବ ଭାରତୀୟସ୍ତରରେ ମୋଟ ଅପରାଧ ରେକର୍ଡରେ ଓଡ଼ିଶାର ସ୍ଥାନ ୧୩, ହତ୍ୟାରେ ୧୪, ଦୁଷ୍କର୍ମରେ ୯ମ, ଲୁଟ୍ରେ ୬ଷ୍ଠ, ଚୋରିରେ ୧୩, ଅପହରଣରେ ୧୩ ଓ ଦଙ୍ଗାରେ ୧୩ ତମ ସ୍ଥାନରେ ଥିଲା। ୨୦୧୩ ମସିହାରେ ମୋଟ ଅପରାଧରେ ସାରା ଦେଶରେ ୧୫ ନମ୍ବର ସ୍ଥାନରେ ଥିବାବେଳେ ଦୁଷ୍କର୍ମ ଓ ଲୁଟ୍ରେ ୬ଷ୍ଠ, ଡକାୟତିରେ ୪ର୍ଥ, ଅପହରଣ ଓ ଦଙ୍ଗାରେ ୧୧ ତମ ସ୍ଥାନ ଅଧିକାର କରିଥିଲା
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟରେ ୨୦୦୧ ମସିହାରେ ୭୯୦ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବାବେଳେ ୨୦୧୫ରେ ୨୨୫୧କୁ ବୃଦ୍ଧି ପାଇଥିଲା। ଏଥିରୁ ରାଜ୍ୟରେ ମହିଳାମାନେ କେତେ ସୁରକ୍ଷିତ ତାହା ପ୍ରମାଣିତ ହୋଇଛି। ରାଜ୍ୟ ସରକାର କେବଳ ମିଛ ଡିଣ୍ଡିମ ପିଟି ଚାଲିଛନ୍ତି। ନିକଟରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ରାଜ୍ୟରେ ୨୦୧୮ରେ ୭୯,୯୯୮ଟି ମାମଲା ରୁଜୁ ହୋଇଛି ବୋଲି କହିଥିଲେ। ଏଥିରୁ ରାଜ୍ୟରେ ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ସରକାରଙ୍କ ଆନ୍ତରିକତା ଓ ପୁଲିସର ପାରିବାପଣିଆ ସ୍ପଷ୍ଟ ହେଉଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି। ଏହା ସହିତ ପୁଲିସ ଭଳି ଏକ ଗୁରୁତ୍ବପୂର୍ଣ ବିଭାଗର କର୍ମଚାରୀ ଠିକାରେ ନିଯୁକ୍ତି ପାଉଛନ୍ତି। ଏବେ ରାଜ୍ୟରେ ପ୍ରାୟ ୭୮୮୩ ଜଣ ପୁଲିସ କର୍ମଚାରୀ ଠିକାରେ କାମ କରୁଛନ୍ତି। ରାଜ୍ୟରେ ଅପରାଧ ବୃଦ୍ଧି ପାଇବା ଏବଂ ତାକୁ ରୋକିବାରେ ପୁଲିସର ବିଫଳତା ପାଇଁ ନିଜେ ମୁଖ୍ୟମନ୍ତ୍ରୀ ଦାୟୀ ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି।