ଫୁଲବାଣୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଖମଣଖୋଲ ସିଆର୍ପିଏଫ୍ କ୍ୟାମ୍ପ୍ରେ ପୁଲିସ ମହାନିର୍ଦ୍ଦେଶକ ଅଭୟ ମାଓ ଦମନ କାର୍ଯ୍ୟର ସମୀକ୍ଷା କରିଥିଲେ। କନ୍ଧମାଳରେ ପୂର୍ବ ଅପେକ୍ଷା ମାଓ କାର୍ଯ୍ୟକଳାପ କମିଛି। ତଥାପି ଏବେ ବି ମାଓବାଦୀ ମଝିରେ ମଝିରେ ଉପସ୍ଥିତି ଜାହିର କରିବାକୁ ଉଦ୍ୟମ ଚଳାଇ ଥିବାରୁ ସେମାନଙ୍କୁ ମୂଳପୋଛ ପାଇଁ ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ସେ ଯବାନମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ସେ ବନ୍ଧୁକ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ଆହ୍ବାନ ଦେଇଥିଲେ। ଆତ୍ମସମର୍ପଣ କଲେ ସରକାରଙ୍କ ଘୋଷଣା ଅନୁଯାୟୀ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ଆତ୍ମନିର୍ଭରଶୀଳ ହେବା ପାଇଁ ସବୁ ସହଯୋଗ କରାଯିବ। ଯଦି ହିଂସା ଘଟାଇବାକୁ ଉଦ୍ୟମ କରନ୍ତି, ଆଉ ନିରୀହ ଲୋକଙ୍କୁ ଟାର୍ଗେଟ କରନ୍ତି, ତାହା ହେଲେ ପୁଲିସ ସେମାନଙ୍କୁ କଡ଼ା ଜବାବ ଦେବାକୁ ସବୁ ସମୟରେ ପ୍ରସ୍ତୁତ ବୋଲି ସେ କହିଥିଲେ।
ମାଓ ଦମନ ସମୀକ୍ଷା ପରେ ସେ ସୈନିକ ସମ୍ମେଳନରେ ଯୋଗ ଦେଇଥିଲେ। ଜିଲ୍ଲାରେ ଓ ସୀମାନ୍ତ ଇଲାକାରେ ମାଓଦମନ ଅଭିଯାନରେ ସଫଳତା ପାଇଁ ସେ ଯବାନ୍ ମାନଙ୍କୁ ସାବାସି ଦେଇଥିଲେ। ଆଗକୁ ସଫଳତାର ସହ ମାଓଦମନ ଅଭିଯାନ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ। ଏହି ଅବସରରେ ଜିଲ୍ଲାରେ ମାଓ ଦମନ ଅଭିଯାନରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଥିବା କନେଷ୍ଟବଳ ଜିତେନ୍ଦ୍ର ନାୟକ ଓ ତପନ ପ୍ରଧାନଙ୍କ ସହ ବ୍ୟକ୍ତିଗତ ଆଲୋଚନା କରି ଭଲମନ୍ଦ କଥା ପଚାରି ବୁଝିଥିଲେ। ସିଆର୍ପିଏଫ୍ ସ୍ବତନ୍ତ୍ର ଡିଜି କୁଲଦୀପ ସିଂ, ଗୁଇନ୍ଦା ନିର୍ଦ୍ଦେଶକ ଆର.କେ ଶର୍ମା, ଆଇଜି(ଅପରେସନ) ଅମିତାଭ୍ ଠାକୁର, ଆଇଜି ସିଆର୍ପିଏଫ୍ ଏସ.କେ ମହାନ୍ତି, କନ୍ଧମାଳ ଏସ୍.ପି ଭିନୀତ୍ ଅଗ୍ରୱାଲ୍, ପ୍ରୋବେସନର ଆଇପିଏସ୍ ନିତେଶ ୱାଧାରିନ୍, ଆଇପିଏସ୍ ଅଭିନାମ ଶଙ୍କର, ସିଆର୍ପିଏଫ୍ କମାଣ୍ଡାଣ୍ଟ୍ ପ୍ରମୋଦ କୁମାର ସାହୁଙ୍କ ସମେତ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/kandhamal.jpg)