ଭୁବନେଶ୍ବର: ତଟସୁରକ୍ଷାକୁ ନେଇ କୋଷ୍ଟଗାର୍ଡ ଓ ଓଡିଶା ପୁଲିସର ଅଫିସର୍‌ମାନଙ୍କୁ ନେଇ ଏକ ସ୍ବତନ୍ତ୍ର ବୋର୍ଡ ଅଫ୍ ଅଫିସର୍‌ ଗଠନ କରାଯିବ। ଏହି ଦୁଇ ବିଭାଗର ଅଧିକାରୀମାନେ ସଂପୂର୍ଣ୍ଣ  ଉପକୂଳ ଅଞ୍ଚଳକୁ ତନ୍ନତନ୍ନ କରି ଯାଞ୍ଚ କରିବେ। ଉପକୂଳ ସୁରକ୍ଷା ପାଇଁ ପାଟ୍ରୋଲିଂ ଓ ଆକାଶ ମାର୍ଗରୁ ନୀରିକ୍ଷଣକୁ ବୃଦ୍ଧି କରାଯିବା ସହ ଆଦେଶ ଅନୁଯାୟୀ ଉପକୂଳ ନିୟନ୍ତ୍ରଣ ବ୍ୟବସ୍ଥାକୁ ଅଧିକ ତ୍ବରାନ୍ବିତ  କରାଯିବ। ସେହିପରି ତଟ ସୁରକ୍ଷା ବାହିନୀ ଓ ଭାରତୀୟ ନୌସେନା ବାହିନୀରୁ ଅବସର ନେଇସାରିଥିବା ଯବାନମାନଙ୍କୁ ଆଗାମୀ ଦିନରେ ମୋରାଇନ ଥାନା ଗୁଡ଼ିକରେ ପୁନଃନିଯୁକ୍ତି ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଆଜି ପୂର୍ବାହ୍ନରେ ଭୁବନେଶ୍ବର ଡିଜିପି କ୍ୟାମ୍ପ ଅଫିସ୍‌ଠାରେ ପୁଲିସ୍‌ ମହାନିର୍ଦ୍ଦେଶକ ଵାଇବି ଖୁରାନିଆ ଓ ପୂର୍ବସମୁଦ୍ର ତଟର କୋଷ୍ଟଗାର୍ଡ କମାଣ୍ଡର ଏଡିଜି ଡନି ମିଚେଲଙ୍କ ମଧ୍ୟରେ ଏକ ଗୁରୁତୂପୂର୍ଣ୍ଣ ବୈଠକ ବସିଥିଲା। ଉପକୂଳ ସୁରକ୍ଷା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଆଯାଉଥିବା ପଦକ୍ଷେପ ସଂପର୍କରେ ଏଠାରେ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ଉପକୂଳ ସୁରକ୍ଷା ଦିଗରେ ଉଭୟ ବିଭାଗ ମଧ୍ୟରେ କିପରି ସମନ୍ବୟ ରଖାଯାଇ ପାରିବ ତାହା ଉପରେ ବୈଠକରେ ଆଲୋଚନା ହୋଇଛି।

ଉପକୂଳ ଓ ଆକାଶ ମାର୍ଗରେ ସୁରକ୍ଷା ବଢ଼ିବ

Advertisment

ଅନୁପ୍ରବେଶକାରୀ ଓ ଅନ୍ୟ ଅସାଧୁ କାର୍ଯ୍ୟକଳାପକୁ ରୋକିବା ପାଇଁ ସମୁଦ୍ର କୂଳକୁ ସୁରକ୍ଷିତ ରଖିବା ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ସେଥିପାଇଁ ଓଡିଶା ପୁଲିସ୍‌ ପକ୍ଷରୁ ବିଭିନ୍ନ ସୁରକ୍ଷା ଜନିତ ଯୋଜନା କରାଯାଇଛି। ଏସବୁକୁ ଆଖି ଆଗରେ ରଖି ଆଗକୁ ପାଟ୍ରୋଲିଂ, ଏରିଅଲ ସର୍ଭେ ଓ କମାଣ୍ଡାଣ୍ଟ କଣ୍ଟୋଲ ସିଷ୍ଟମ ସେଟ୍‌ଅପ୍‌ କରିବା ପାଇଁ ବଡ ଧରଣର ଯୋଜନା ଚ‌ାଲିଛି। ବିଭିନ୍ନ ଅଞ୍ଚଳରେ ସୁରକ୍ଷାର ତଦାରଖ ସହ ପାଟ୍ରୋଲିଂ ପାଇଁ କେଉଁ ପ୍ରକାର ବୋଟ୍ ଆବଶ୍ୟକ ହେଉଛି, ରିପୋର୍ଟ ପାଇବା ପରେ ଆବଶ୍ୟକତା ଅନୁଯାୟୀ ବୋଟ୍‌ ଗୁଡ଼ିକୁ ମେରାଇନ୍‌ ପୁଲିସ୍‌କୁ ଯୋଗାଇ ଦିଆଯିବ। ଏହାଛଡା ତଟ ସୁରକ୍ଷାରେ ମାନବ ସମ୍ବଳ ଏକ ବଡ ସମସ୍ୟା ଭାବେ ଉଭା ହୋଇଛି। ତେଣୁ ଏହାକୁ ପୂରଣ ପାଇଁ କୋଷ୍ଟଗାର୍ଡର ଅବସରପ୍ରାପ୍ତ କର୍ମଚାରୀଙ୍କ ସହାୟତା ନିଆଯିବ। ଏସବୁ ସହଯୋଗ କୋଷ୍ଟ୍‌ଗାର୍ଡ ପକ୍ଷରୁ ମିଳିପାରିଲେ ତଟ ସୁରକ୍ଷା ସମସ୍ୟା ଦୂର ହୋଇପାରିବ ବୋଲି ଡିଜିପି ଶ୍ରୀ ଖୁରାନିଆ କହିଛନ୍ତି। ସେହିପରି ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଓଡିଶା ଉପକୂଲରେ ୧୦ଟି ଦ୍ବୀପ ଚିହ୍ନଟ ହୋଇଛି। ଏହି ଦ୍ବୀପ ଗୁଡ଼ିକରେ କୌଣସି ଲୋ‌କ ବସବାସ କରୁନାହାନ୍ତି। ପୁଲିସ୍‌ ଟିମ୍‌ ସେଠାରେ ଯାଇ ସର୍ଭେ କରିଛି। ୨୬ ତାରିଖରେ ଓଡ଼ିଶା ପୁଲିସ୍‌ ଏହି ଦ୍ବୀପ ଗୁଡ଼ିକରେ ତ୍ରିରଙ୍ଗା ଉଡ଼ାଇବ ବୋଲି ଜଣାପଡ଼ିଛି।