ବଣ୍ଡାଘାଟିରେ ପୁଲିସ ଡିଜି ଅଭୟ

ନକ୍ସଲ ଦମନ ନେଇ ରୁଦ୍ଧଦ୍ବାର ବୈଠକ
ମୁଖ୍ୟସ୍ରୋତକୁ ଫେରିବା ପାଇଁ ପୁଣି ଆହ୍ବାନ
ଜନସଂପର୍କ ଶିବିରରେ ଯୋଗଦେଲେ

ମାଲକାନଗିରି/ଖଇରପୁଟ : କିଛିଦିନର ବ୍ୟବଧାନ ପରେ ପୁଣି ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି ପୁଲିସ ଡିଜି ଅଭୟ। ଏଥର ବଣ୍ଡାଘାଟିରେ ସ୍ଥିତି ସମୀକ୍ଷା କରିବା ସହ ନକ୍ସଲ ଦମନ ନିମନ୍ତେ ରଣନୀତି ପ୍ରସ୍ତୁତ କରିଛନ୍ତି। ସେହିପରି ବିଏସଏଫ ପକ୍ଷରୁ ଆୟୋଜିତ ଜନସଂପର୍କ ଶିବିରରେ ଯୋଗ ଦେଇଛନ୍ତି।

ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆଜି ମଧ୍ୟାହ୍ନରେ ବଣ୍ଡାଘାଟି ପହଞ୍ଚିଥିଲେ ଡିଜି ଅଭୟ। ଏଠାରେ ବଣ୍ଡା ଯୁବକ, ଯୁବତୀ ଭବ୍ୟ ସ୍ବାଗତ ଜଣାଇ ମୁଦୁଲିପଡ଼ା ସ୍ଥିତ ବିଏସ୍‌ଏଫ୍‌ କ୍ୟାମ୍ପକୁ ପାଛୋଟି ନେଇଥିଲେ। କ୍ୟାମ୍ପରେ ମହିଳାଙ୍କୁ ଶାଢ଼ି, କମ୍ବଳ ଏବଂ ଯୁବକଙ୍କୁ କ୍ରୀଡ଼ା ସାମଗ୍ରୀ ବଣ୍ଟନ କରିଥିଲେ। ସେହିପରି ଅଣ୍ଡ୍ରାହାଲ ପଞ୍ଚାୟତ ଅନ୍ତର୍ଗତ କାତାଙ୍ଗଗୁଡ଼ାରେ ବିଏସ୍ଏଫ୍ ପକ୍ଷରୁ ଆୟୋଜିତ ଜନସମ୍ପର୍କ ଶିବିରରେ ମଧ୍ୟ ଯୋଗ ଦେଇଥିଲେ। ବଣ୍ଡାଘାଟିର ବାସ୍ତବ ସ୍ଥିତି ସଂକ୍ରାନ୍ତରେ ସ୍ଥାନୀୟ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ବଣ୍ଡାଘାଟିରେ ସ୍ଥାପିତ ଦୁଇଟି କ୍ୟାମ୍ପର ବିଏସଏଫ ଅଧିକାରୀଙ୍କ ସହ ଏହି ଅବସରରେ ରୁଦ୍ଧଦ୍ବାର ବୈଠକରେ ନକ୍ସଲ ଦମନ ନିମନ୍ତେ ଆଲୋଚନା କରିଥିଲେ। ଏସଓଜି କମାଣ୍ଡାଣ୍ଟ ଅନିରୁଦ୍ଧ ସିଂହ, ଆଇଜି ଅପରେସନ ଅମିତାଭ ଠାକୁର, ମାଲକାନଗିରି ଏସ୍‌ପି ଋଷିକେଶ ଖିଲାରୀ ଓ ବିଏସ୍‌ଏଫ୍‌ କମାଣ୍ଡାଣ୍ଟ ପ୍ରମୁଖ ଉପସ୍ଥିତ ରହି ନକ୍ସଲଙ୍କ ପତିଆରା ଏହି ଅଞ୍ଚଳରେ କମିଥିବା ସୂଚନା ଦେଇଥିଲେ। ଏହାପରେ ଆଗାମୀ ରଣନୀତି ପ୍ରସ୍ତୁତ କରାଯାଇ ବିଏସ୍‌ଏଫ୍‌ ଏବଂ ଓଡ଼ିଶା ପୁଲିସ ମିଳିତ ଭାବେ ଅପରେସନ କରିବାକୁ ଜୋର ଦିଆଯାଇଥିଲା। କୌଣସି ପରିସ୍ଥିତିରେ ମଧ୍ୟ ଉନ୍ନୟନ କାର୍ଯ୍ୟ ଯେମିତି ଅଟକିବ ନାହିଁ ସେଥିପ୍ରତି ଧ୍ୟାନ ରଖିବାକୁ ବି କୁହାଯାଇଥିଲା।

ଫେରିବା ପୂର୍ବରୁ ଡିଜି ଅଭୟ ସମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ୧୯୯୨ ମସିହାରେ ମାଲକାନଗିରି ଏସ୍‌ପି ଥିବା ସମୟରେ ସେ ବଣ୍ଡାଘାଟିକୁ ଗସ୍ତ କରିଥିଲେ। ୨୯ବର୍ଷ ପରେ ପୁଣି ବଣ୍ଡାଘାଟିକୁ ଆସିଛନ୍ତି। ସରକାର ବଣ୍ଡାଘାଟି ଏବଂ ସ୍ବାଭିମାନ ଅଂଚଳର ବିକାଶ ପାଇଁ ପ୍ରୟାସ ଜାରି ରଖିଛନ୍ତି। ଉଭୟ ଅଞ୍ଚଳରେ ରାସ୍ତା, ପାନୀୟ ଜଳ, ସ୍ବାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ସରକାର ଗୁରୁତ୍ବ ଦେଇଛନ୍ତି। ବିକାଶର ଏହି ପଥରେ ନକ୍ସଲ ପ୍ରତିବନ୍ଧକ ସୃଷ୍ଟି ନ କରିବା ପାଇଁ ଆହ୍ବାନ ଦେଇଥିଲେ। ହିଂସା ଛାଡ଼ି ମୁଖ୍ୟସ୍ରୋତକୁ ଫେରି ବାକି ଜୀବନ ସୁଖରେ କାଟନ୍ତୁ ବୋଲି ପରାମର୍ଶ ଦେଇଥିଲେ। ସେହିପରି ମାସକ ମଧ୍ୟରେ ବଣ୍ଡାଘାଟିରେ ଦୁଇ ବିଏସ୍‌ଏଫ୍‌ କ୍ୟାମ୍ପ ପ୍ରତିଷ୍ଠା ହେବା ବଡ଼ ସଫଳତା ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର