କଲ୍‌ ସେଣ୍ଟରରେ ପୁଲିସ ଡିଜି, ତାଗିଦ୍ ପରେ ବି ସୁଧୁରି ନାହାନ୍ତି

ଅଭିଯୋଗକାରୀଙ୍କ ସହ କଥା ହେଲେ, ଥାନା କାର୍ଯ୍ୟ ନେଇ ଅସନ୍ତୋଷ ମିଳିଲା

ଭୁବନେଶ୍ବର: ମୁଁ ପୁଲିସ ଡିଜି ବିକେ ଶର୍ମା କହୁଛି। ଆପଣ ଥାନାକୁ କେତେବେ‌ଳେ ଯାଇଥିଲେ? ଥାନାରେ କାହାକୁ ସାକ୍ଷାତ କଲେ? ଆଇଆଇସିଙ୍କ ସହ ଆପଣଙ୍କର ଦେଖା ହେଲା କି? ଆପଣଙ୍କ ସହ ଥାନାରେ କିଭଳି ବ୍ୟବହାର କରାଗଲା? ଆପଣଙ୍କୁ କେହି ଚଢ଼ା ଗଳାରେ କଥାବାର୍ତା କଲେ କି? ଆପଣଙ୍କୁ ଏତଲା କପି ମିଳଛି ନା ନାହିଁ? ଥାନାରେ ଆପଣଙ୍କୁ ଚୌକି ଓ ପାଣି ଦେଲେ ନା ନାହିଁ? ମାମଲା ରୁଜୁ କରିବାକୁ କେହି ଆପଣଙ୍କୁ ଥାନାରେ ଟଙ୍କା ମାଗିଲେ କି? ଥାନା ବାବୁଙ୍କ ତଦନ୍ତରେ ଆପଣ ସନ୍ତୁଷ୍ଟ କି? ଆପଣଙ୍କ ଥାନା ଓ ଥାନାବାବୁଙ୍କୁ କେତେ ନମ୍ବର ଦେବେ?
ଏହିଭଳି କେତେ‌କ ପ୍ରଶ୍ନ ଆଜି ପୁଲିସ ଡିଜି ବିକେ ଶର୍ମା ରାଜ୍ୟର ବିଭିନ୍ନ ଥାନାରେ ଅଭିଯୋଗ କରିଥିବା ଅଭିଯୋଗକାରୀଙ୍କୁ ସିଧାସଳଖ ଫୋନ ଯୋଗେ ପଚାରିଥିଲେ। ଅଭିଯୋଗକାରୀଙ୍କଠାରୁ ପାଇଥିବା ଉତ୍ତର ଓ ନମ୍ବର ଆଧାରରେ ସଂପୃକ୍ତ ଥାନାବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କିମ୍ବା ପୁରସ୍କୃତ କରାଯିବ।

ଆଜି ଅପରାହ୍‌ଣ ୪ଟା ବେଳେ ପୁଲିସ ଡିଜି ଶ୍ରୀ ଶର୍ମା ରସୁଲଗଡ଼ଠାରେ ଥିବା ଷ୍ଟେଟ୍‌ କ୍ରାଇମ୍‌ ରେକର୍ଡ ବ୍ୟୁରୋ କାର୍ଯ୍ୟାଳୟ‌‌ରେ ଥିବା କଲ୍‌ ସେଣ୍ଟର୍‌ରେ ପହଞ୍ଚିଥିଲେ। ସେଠାରେ ସେ ୩ଜଣ
ଅଭିଯୋଗକାରୀଙ୍କ ସହିତ କଥା ହୋଇଥିଲେ। ପ୍ରଥମେ ଡିଜି ଶ୍ରୀ ଶର୍ମା କମିସନରେଟ୍‌ ପୁଲିସର ଧଉଳି ଥାନାର ଜଣେ ଅଭିଯୋଗକାରିଣୀ ମିଲି ମହାପାତ୍ରଙ୍କୁ ଟେଲିଫୋନ୍ କରିଥିଲେ। କିନ୍ତୁ ପୁଲିସ ଡିଜିଙ୍କ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ସେ ନକାରାତ୍ମକ ଢଙ୍ଗରେ ଦେଇଥିଲେ। ତାଙ୍କ କଥାବାର୍ତାରୁ ପୁଲିସ ପ୍ରତି ତାଙ୍କର ତୀବ୍ର ଅସନ୍ତୋଷ ଥିବା ବାରି ହୋଇପଡ଼ୁଥିଲା। ଥାନାକୁ ବାରମ୍ବାର ଦୌଡ଼ିଥିଲେ ମଧ୍ୟ ସେ ନିରାଶ ହୋଇଥିଲେ। ୪ଥର ଥାନାକୁ ଯିବା ପରେ ଇନ୍ସପେକ୍ଟରଙ୍କ ଦେଖା ମିଳିଥିଲା। ଥାନାରେ ଯେଉଁଭଳି ଭାବେ ସେବା ମିଳିବା କଥା, ତାହା ମିଳି ନଥିଲା। ପୁଲିସ ଡିଜି ଶ୍ରୀ ଶର୍ମା ଯେତେବେଳେ ପଚାରିଥିଲେ, ଆପଣ ଥାନା ଓ ଥାନାବାବୁଙ୍କ ତଦନ୍ତକୁ କେତେ ନମ୍ବର ଦେବେ, ଏହାର ଉତ୍ତରରେ ମିଲି କହିଥିଲେ ଶୂନ ନମ୍ବର।

ଏହା ପରେ ଡିଜିଙ୍କ ଫୋନ୍‌ ଯାଇଥିଲା ନୟାଗଡ଼ ଜିଲ୍ଲାର ଆଲୋକ କୁମାର ସାହୁଙ୍କ ନିକଟକୁ। ଆଲୋକ ଖଣ୍ଡପଡ଼ା ଥାନାରେ ଏକ ଗଣ୍ଡଗୋଳ ଓ ମାରପିଟ ଜନିତ ଅଭିଯୋଗ କରିଥିଲେ। ପୁଲିସ ଡିଜି ଶ୍ରୀ ଶର୍ମାଙ୍କ ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ପ୍ରଥମେ ଥାନା‌‌ରେ କେହି ମାମଲା ରୁଜୁ କରୁନଥିଲେ। ଥାନାବାବୁଙ୍କ ନିର୍ଦେଶ ପରେ ଥାନାରେ ମାମଲା ରୁଜୁ ହୋଇଥିଲା। ପୁଲିସ ତଦନ୍ତରେ ସେ ଖୁସି, ଥାନାରେ ଥଣ୍ଡା ପାଣି ମିଳିଥିଲା। ଇନ୍ସପେକ୍ଟର ଅତ୍ୟନ୍ତ ଭଦ୍ର ବ୍ୟବହାର କରିଥିଲେ। କେତେ ନମ୍ବର ଦେବେ ବୋଲି ପ୍ରଶ୍ନରେ ଆଲୋକଙ୍କ ଉତ୍ତର ଥିଲା ଥାନାକୁ ୧ ନମ୍ବର, କିନ୍ତୁ ଇନ୍ସପେକ୍ଟରଙ୍କୁ ୪ ନମ୍ବର ଦିଅନ୍ତୁ। ପୁଲିସ ଡିଜିଙ୍କ ପରବର୍ତୀ ଫୋନ୍ କଲ୍ ଥିଲା ନବରଙ୍ଗପୁର ଥାନାର ହେମାଳ ହରିଜନଙ୍କୁ। ଏକ ଦୁର୍ଘଟଣା ଜନିତ ମାମଲାର ସେ ଥିଲେ ଅଭିଯୋଗକାରୀ। ଡିଜିଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ। କିନ୍ତୁ ଯେତେବେଳ ନମ୍ବର ଦେବାକୁ କୁହାଯାଇଥିଲା, ସେ କହିଥିଲେ ମୁଁ ଆଜ୍ଞା ପୁଲିସ ବିରୋଧରେ କୌଣସି ନମ୍ବର ଦେଇପାରିବି ନାହିଁ।
ପୁଲିସ ଡିଜି ଆଜି ରାଜ୍ୟର ୩ ଜଣ ଅଭିଯୋଗକାରୀଙ୍କ ସହିତ କଥାବାର୍ତା ହୋଇ ୩ ପ୍ରକାରର କଥା ଶୁଣିବାକୁ ପାଇଥିଲେ।

ଏ ସମ୍ପର୍କରେ ପୁଲିସ ଡିଜି ଶ୍ରୀ ଶର୍ମା ଗଣମାଧ୍ୟମକୁ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ‘ମୋ ସରକାର’ ଅଭିଯାନରେ ଲୋକଙ୍କଠାରୁ ଫିଡବ୍ୟାକ୍ ନିଆଯାଉଛି। ଆମର ଏହି ଫିଡବ୍ୟାକ୍ ସିଷ୍ଟମ ଜିଲ୍ଲା ସ୍ତରରେ, ଆଇଜି, ଡିଆଇଜି, କମିସନରେଟ ପୁଲିସ ଓ ରାଜ୍ୟସ୍ତରରେ କାମ କରୁଛି। ରାଜ୍ୟସ୍ତରର କଲ୍‌ ସେଣ୍ଟର୍‌ ଏଠାରେ କାର୍ଯ୍ୟ କରୁଛି। ଆଜି ଏହି କଲ ସେଣ୍ଟର କେମିତି କାମ କରୁଛି, ପରିଦର୍ଶନ କରିଥିଲି। ଏହି ଅବସରରେ ୩ଜଣ ଅଭିଯୋଗକାରୀଙ୍କ ସହ ବିସ୍ତୃତ କଥା ହୋଇଥିଲି। ତାଙ୍କ ସହିତ କଥାବାର୍ତା କରି ଥାନାରେ ଯେଉଁ ଅନୁଭୂତି ଥିଲା, ତାହା ସଂଗ୍ରହ କରାଯାଇଛି। କିଛି ଅଭିଯୋଗକାରୀ ନିଜ ଅନୁଭୂତି କହୁଛନ୍ତି, ଆଉ କିଛି କହିବାକୁ ସଙ୍କୋଚ କରୁଛନ୍ତି। ତେବେ ଅଭିଯୋଗକାରୀଙ୍କ ଫିଡବ୍ୟାକ ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇ ଗଲାଣି। ଯେଉଁଠି ଭଲ ବ୍ୟବହାର କରାଯାଉଛି ସେଠାରେ ପୁରସ୍କୃତ ମଧ୍ୟ କରାଯାଉଛି’। ଗଣମାଧ୍ୟମକୁ ଡିଜିଙ୍କଏଭଳି ସୂଚନା ପରେ ଧଉଳି ଥାନା ଇନ୍ସପେକ୍ଟର ଜୟଦେବ ବିଶ୍ବଜିତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଆଶଙ୍କା ଦେଖାଦେଇଛି। ଅନ୍ୟପକ୍ଷରେ ବିଶେଷ ସୂତ୍ରରୁ ଯାହା ସୂଚନା ମିଳିଛି, ମିଲି ମହାପାତ୍ର ଧଉଳି ଥାନାରେ ଏକ ଯୌତୁକ ଜନିତ ଅଭିଯୋଗ କରିଥିଲେ। ପୁଲିସ ତାଙ୍କ ଅଭିଯୋଗକୁ ଗ୍ରହଣ କରି ଏକ ମାମଲା ରୁଜୁ କରିଥିଲା। ମିଲି ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଚାହିଁଥିଲେ। କିନ୍ତୁ ପୁଲିସ ଅଭିଯୁକ୍ତମାନଙ୍କୁ ନୋଟିସ୍ କରିବାରୁ ମିଲି ଏଥିରେ ଅସନ୍ତୁଷ୍ଟ ହୋଇଥିଲେ। ପ୍ରକାଶଥାଉକି ଆସନ୍ତା ଅକ୍ଟୋବର ୨ ତାରିଖରୁ ସାରା ରାଜ୍ୟରେ ‘ମୋ ସରକାର’ କାର୍ଯ୍ୟକ୍ରମ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିଜେ ଲୋକଙ୍କୁ ଫୋନ୍ କରି ସମସ୍ୟା ସମ୍ପର୍କରେ ପଚାରି ବୁଝିବେ। ବିଶେଷକରି ଥାନା-ଫାଣ୍ଡିକୁ ନ୍ୟାୟ ପାଇଁ ଆସୁଥିବା ଲୋକ କିପରି ହଇରାଣ ହରକତ ନ ହେବେ, ସେ ନେଇ ଅଧିକ ଗୁରୁତ୍ବ ଦିଆଯାଉଛି। ପୁଲିସ ଡିଜି ଆଜି ଏହି କଲ୍ ସେଣ୍ଟରରେ ‘ମୋ ସରକାର’ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ଏହି ସମୟରେ ତାଙ୍କ ପାଖରେ କ୍ରାଇମ ରେକର୍ଡ ବ୍ୟୁରୋର ନିର୍ଦେଶକ ରାଜେଶ କୁମାର ଓ ଆଇପିଏସ ସତୀଶ ଗଜଭିଏ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର