ରାୟଗଡ଼ାରେ ପୁଲିସ୍ ଡିଜି ଅଭୟ; ନକ୍ସଲ ଗତିବିଧି, ଆଇନ ଶୃଙ୍ଖଳା ସ୍ଥିତି ସମୀକ୍ଷା

ସହିଦ୍ ପରିବାରଙ୍କୁ ଭେଟିଲେ, ଭଲ ଅଫିସରଙ୍କ ପ୍ରଶଂସା କଲେ

ରାୟଗଡ଼ା: କୋରାପୁଟ, ରାୟଗଡ଼ା, ମାଲକାନଗିରିରେ ମାଓ କାର୍ଯ୍ୟକଳାପ ହ୍ରାସ ପାଇଛି। ନକ୍ସଲଙ୍କ ଗତିବିଧି ଉପରେ ତୀକ୍ଷଣ୍ ନଜର ରଖିଛୁ। ନକ୍ସଲଙ୍କ ବିରୁଦ୍ଧରେ ସଂଗ୍ରାମ ଜାରି ରହିବ। ଏଥି ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ଦିଗରେ ପୁଲିସ୍ ଉଦ୍ୟମ ଜାରି ରଖିଛି। ଦିନିକିଆ ରାୟଗଡ଼ାରେ ଗସ୍ତରେ ଆସି ରାଜ୍ୟ ପୁଲିସ୍ ମହାନିର୍ଦେଶକ ଅଭୟ ଏହି ସୂଚନା ଦେଇଛନ୍ତି।

ଆଜି ମଧ୍ୟାହଣରେ ଜେକେପୁର ରିଜର୍ଭ ପୁଲିସ୍ ଅଫିସରେ ଅଭୟ ପହଞ୍ଚିବା ପରେ ମାଓ କାର୍ଯ୍ୟକଳାପ ଓ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଥିଲେ। ରାୟଗଡ଼ା-କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଅଞ୍ଚଳରେ ମାଓବାଦୀ ଆଡ୍ଡା ଜମାଇବା ସହ ଅଘଟଣ ଘଟାଇବା ଆଶାରେ ଯାତାୟାତ କରୁଥିବାରୁ ଗୁଇନ୍ଦା ସୂଚନାକୁ ଆଧାରରେ କମ୍ବିଂ ଓ ସର୍ଚ୍ଚ ଅପରେସନକୁ ଜୋରଦାର୍ କରିବାକୁ ପୁଲିସ୍ ମହାନିର୍ଦେଶକ ଅଭୟ ନିର୍ଦେଶ ଦେଇଥିଲେ।

ସମୀକ୍ଷା ପରେ ଜିଲ୍ଲା ପୁଲିସ୍ ମୁଖ୍ୟାଳୟ ପରିସରରେ ନିର୍ମିତ ଡିଷ୍ଟ୍ରିକ୍ଟ୍ ଇଣ୍ଟେଲଜେନସ୍ ଅପରେସନ୍ ସଣ୍ଟେରକୁ ଅଭୟ ଉଦଘାଟନ କରିଥିଲେ। ମାଓ ମୁକାବିଲାରେ ସହିଦ୍ ହୋଇଥିବା ହାବିଲଦାର୍ ଧନମାଳି ନାଗ, ସହକାରୀ ଡ୍ରାଇଭର୍ କେ. ପ୍ରହଲ୍ଲାଦ ରେଡ୍ଡୀ, ଗ୍ରାମରକ୍ଷୀ ସୁବାଷ ଚନ୍ଦ୍ର ବେହେରା, ଏସପିଓ ଆନନ୍ଦ ମାଣ୍ଡାଙ୍ଗି, କନେଷ୍ଟବଳ ସଞ୍ଜୟ ମାଝିଙ୍କ ପରିବାରକୁ ଅଭୟ ସାକ୍ଷାତ କରିବା ସହ ସେମାନଙ୍କ ସହ ଆଲୋଚନା କରିଥିଲେ।

ଏଥି ସହିତ ଗଞ୍ଜେଇ ଚୋରା ଚାଲାଣ ରୋକିବା, କୋଭିଡ଼୍ ଦାୟିତ୍ବ ସୂଚାରୁରୂପେ ତୁଲାଇବା, ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାମ କରିଥିବା ଶେଷଖାଲ ଥାନା ଇନସପେକ୍ଟର୍ ବିଜୟଲକ୍ଷ୍ମୀ ହିକକା, ପୁଟାସିଂ ଥାନା ଇନସପେକ୍ଟର୍ ପଦ୍ମା ମୁଥୁ, ଏଏସଆଇ କୈଳାସ ଚନ୍ଦ୍ର ବେହେରା, ହାବିଲଦାର କ୍ଷୀରୋଦ ଚନ୍ଦ୍ର ମହାନ୍ତି, ଚିତ୍ତରଂଜନ ରଥ, କନେଷ୍ଟବଳ ଅର୍ଜୁନ ମେଲେକା, ଭବାନୀ ଟିକ୍କା, କିରଣ ଚନ୍ଦ୍ର ପାତ୍ର, ହୋମଗାର୍ଡ ଉଦୟ କୁମାର ପାଡୁକା, ଗୌରୀ ଶଙ୍କର ପିଡିକାଙ୍କୁ ପୁଲିସ୍ ମହାନିର୍ଦେଶକ ସାକ୍ଷାତ କରିବା ସହ ଭଲ କାମ ପାଇଁ ପ୍ରଶଂସା କରିଥିଲେ।

ସମୀକ୍ଷା ବୈଠକରେ ପୁଲିସ୍ ମହାନିର୍ଦେଶକ ଅଭୟଙ୍କ ସହିତ ଏଡିଜି (ଗୁଇନ୍ଦା) ଆର୍. କେ. ଶର୍ମା, ଆଇଜି (ଅପରେସନ୍) ଅମିତାଭ ଠାକୁର, ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ସିଆରପିଏଫ ୮ମ ବାଟାଲିୟନ୍ କମାଣ୍ଡାଣ୍ଟ୍ ଏନ୍. କେ. ସିଂ, ୪ର୍ଥ ବାଟାଲିୟନ୍ କମାଣ୍ଡାଣ୍ଟ୍ ମନୋଜ ଯାଦବ, ସିଆରପିଏଫ୍ ଡିଆଇଜି କାର୍ଯ୍ୟାଳୟର ପି. କେ. ସାହୁ, ବିଏସଏଫ୍ କମାଣ୍ଡାଣ୍ଟ୍ ଯୋଗେନ୍ଦ୍ର ଅଗ୍ରୱାଲ୍ ପ୍ରମୁଖ ଉପସ୍ଥିତ ଥିଲେ।

 

ସମ୍ବନ୍ଧିତ ଖବର