ଶୀତକାଳୀନ ବିଧାନସଭା ଅଧିବେଶନ ଲାଗି ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କଲେ ପୁଲିସ୍ ଡିଜି

ଭୁବନେଶ୍ବର: ଶୀତକାଳୀନ ବିଧାନସଭା ଅଧିବେଶନ ଲାଗି କମିଶନରେଟ ପୁଲିସ୍‌ କରିଥିବା ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିଛନ୍ତି ପୁଲିସ୍‌ ଡିଜି ସୁନିଲ ବଂଶଲ। ତାଙ୍କ ସହ ଆଇନ ଶୃଙ୍ଖଳା ଏଡିଜି , ଗୁଇନ୍ଦା ଡିଆଇଜି, ପୁଲିସ କମିଶନର, ଭୁବନେଶ୍ୱର ଡିସିପି, ଟ୍ରାଫିକ ଡିସିପି ଓ ବରିଷ୍ଠ ଅଧିକାରୀ ସାମିଲ ଥିଲେ ।

ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ। ଏହା ଡିସେମ୍ବର ୩୧ ତାରିଖ ଯାଏ ଚାଲିବ। ଶୀତକାଳୀନ ଅଧିବେଶନର ସୁରକ୍ଷା ବ୍ୟବସ୍ଥା ପାଇଁ କମିସନରେଟ୍‌ ପୁଲିସ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛି। ଏହି ସମୟରେ ୩ ଥାକିଆ ସୁରକ୍ଷା ବଳୟ ମଧ୍ୟରେ ରହିବ ବିଧାନସଭା। ବିଧାନସଭା ଏବଂ ଆଖପାଖ ଅଞ୍ଚଳକୁ ପୁଲିସ ଛାଉଣି କରାଯିବ। ଏଥିପାଇଁ ୩୪ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହେବ। ସେହିପରି ଷ୍ଟ୍ରାଇକିଂ ଫୋର୍ସ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍‌ ସ୍କ୍ବାଡ୍‌, ଅଗ୍ନିଶମ ବିଭାଗ ଆଦି ସବୁ ଦିଗ ଉପରେ ତୀକ୍ଷ୍ଣ ନଜର ରଖିବେ। କେବଳ ଏତିକି ନୁହେଁ, ବିଧାନସଭାଠାରୁ ଆରମ୍ଭ କରି ଲୋୟର ପିଏମ୍‌ଜି, ରବୀନ୍ଦ୍ରମଣ୍ଡପ ଛକ ଏବଂ ସଂଲଗ୍ନ ରାସ୍ତାରେ ସିସିଟିଭି ଖଞ୍ଜା ଯାଇଛି।

ସୁରକ୍ଷାକୁ ଅଧିକ କଡ଼ାକଡ଼ି ପାଇଁ ବିଧାନସଭା ଗେଟ୍‌, ରବୀନ୍ଦ୍ରମଣ୍ଡପ ଗେଟ୍‌, ଲୋୟର ପିଏମ୍‌ଜି ଆଦି ୫ଟି ସ୍ଥାନରେ ୫ଟି ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ ରୁମ୍‌ କରାଯାଇଛି।‌ ଡିସିପି ପ୍ରତୀକ ସିଂଙ୍କ ନେତୃତ୍ବରେ ୫ଜଣ ଅତିରିକ୍ତ ଡିସିପି, ୧୧ଜଣ ଡିଏସ୍‌ପି ପାହ୍ୟାର ଅଧିକାରୀ, ୧୩ଜଣ ଆଇଆଇସିଙ୍କୁ ମିଶାଇ ୧୦୦ରୁ ଅଧିକ ଅଧିକାରୀ ଦାୟିତ୍ବରେ ରହିବେ। ଡିସିପି ଶ୍ରୀ ସିଂ କହିଛନ୍ତି, ଚଳିତଥର ବିଧାନସଭା ଅଧିବେଶନ ପାଇଁ ବିଧାନସଭା ଚାରିପଟେ ସଶସ୍ତ୍ର ସୁରକ୍ଷା ବାହିନୀ ଅହୋରାତ୍ର ଜଗି ରହିବେ। ବିଧାନସଭା ଛାତ ଉପରେ ମଧ୍ୟ ପୁଲିସ ରହିବେ। ପ୍ରବେଶ ପଥରେ ଦୁଇଟି ଚେକ୍‌ପୋଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର