ଭୁବନେଶ୍ବର : ସାମୁଦ୍ରିକ ବାତ୍ୟା ଫନି ପାଇଁ ପୁଲିସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମାଏକ ଜରୁରିକାଳୀନ ବୈଠକ କରିଛନ୍ତି। ପୁଲିସ ଡିଜିଙ୍କ କ୍ୟାମ୍ପ ଅଫିସରରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ବାତ୍ୟା ସମୟରେ କିଭଳି ସାଧାରଣ ଲୋକେ ସୁରକ୍ଷିତ ରହିବେ, ରିଲିଫ ବଣ୍ଟନ ବେଳେ ଯେମିତି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନ ହୁଏ, ତଳିଆ ଅଞ୍ଚଳରୁ ସ୍ଥାନାନ୍ତର ବେଳେ କିଭଳି ଅନ୍ୟ ବିଭାଗ ସହିତ ମିଳିମିଶି କାମ କରାଯାଇ ପାରିବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏହାଛଡ଼ା ପୁଲିସ ବିଭାଗ କେତେକ ନିୟମ ପାଳନ କରିବାକୁ ମଧ୍ୟ ନିର୍ଦେଶ ହୋଇଛି। ବଡ଼ କଥା ହେଉଛି ବାତ୍ୟା ଦିନ ଓ ତା’ର ପରବର୍ତୀ କିଛି ଦିନ ପୁଲିସ କନଷ୍ଟେବଲଙ୍କଠାରୁ ଆରମ୍ଭ କରି ଆଇପିଏସ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ଯେଉଁମାନେ ଛୁଟିରେ ଅଛନ୍ତି, ସେମାନେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ପୁଲିସ ଡିଜି ସମସ୍ତ ଆଇଜି, ଡିଆଇଜି ଓ ଏସପିମାନଙ୍କୁ ନିର୍ଦେଶ ଦେଇଛନ୍ତି।
ଡିଜି ଶ୍ରୀ ଶର୍ମାଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଫନି ପ୍ରଭାବିତ ଜିଲ୍ଲାଗୁଡିକର ତଦାରଖ କରିବାକୁ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ସେମାନେ ବାତ୍ୟା ବେଳେ ଜିଲ୍ଲା ମୁଖ୍ୟାଳୟରେ ଉପସ୍ଥିତ ରହି ଜିଲ୍ଲାପାଳ ଓ ଅନ୍ୟାନ୍ୟ ବିଭାଗର ମୁଖ୍ୟଙ୍କ ସହିତ ମିଶି କାମ କରିବେ। ଆଜି ସମସ୍ତ ପ୍ରଭାବିତ ଜିଲ୍ଲାକୁ ପୁଲିସ ଫୋର୍ସ ପଠାଯାଇଛି। ସେମାନେ ଜିଲ୍ଲା ପ୍ରଶାସନ ସହିତ ମିଶି ସ୍ଥାନାନ୍ତର କାମ କରିବା ସହିତ ରିଲିଫ ସାମଗ୍ରୀର ସୁରକ୍ଷା ଓ ବଣ୍ଟନରେ ସହଯୋଗ କରିବେ। ପ୍ରଭାବିତ ଅଞ୍ଚଳରେ ୧୩୫ ପ୍ଲାଟୁନ୍ ଫୋର୍ସ ମୁତୟନ ହେବ। ରାଜ୍ୟରେ ଥିବା ୨୦ ୟୁନିଟ- ଓଡ୍ରାଫ ଟିମର ଦୁଇ ଦୁଇଟି ଟିମ୍କୁ ପ୍ରଭାବିତ ଜିଲ୍ଲାକୁ ପଠାଇ ଦିଆଯାଇଛି। କେତୋଟି ଅତ୍ୟନ୍ତ ପ୍ରଭାବିତ ଜିଲ୍ଲାକୁ ୩ ୟୁନିଟ ଓଡ୍ରାଫ ଟିମ ଯାଇଛନ୍ତି। ସେମାନେ ବାତ୍ୟା ପରବର୍ତୀ ସମସ୍ୟାର ସମାଧାନ ପାଇଁ ସମସ୍ତ ପ୍ରକାର ଯନ୍ତ୍ରପାତି ସାଙ୍ଗରେ ନେଇଛନ୍ତି। କୌଣସି ସ୍ଥାନରେ ଯେମିତି ଗଛ ପଡି ରାସ୍ତା ଅବରୋଧ ନ ହୁଏ ସେଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ କୁହାଯାଇଛି। ଏହା ଛଡ଼ା ପୁଲିସ କଣ୍ଟ୍ରୋଲ ରୁମ କର୍ମଚାରୀ ପ୍ରତ୍ୟେକ ମୁହୂର୍ତରେ ସତର୍କ ରହିବାକୁ ନିର୍ଦେଶ ହୋଇଛି। କୌଣସି ସ୍ଥାନରେ ସମ୍ଭାବ୍ୟ ଗଣ୍ଡଗୋଳ ବା ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଜିଲ୍ଲା ଗୁଇନ୍ଦା ବିଭାଗ ନଜର ରଖିବ। ଜିରୋ କାଜୁଆଲିଟିକୁ ନଜରରେ ରଖି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି।
ମିଳିଥିବା ସୂଚନା ମୁତାବକ, ଯାଜପୁର ଜିଲ୍ଲା ଦାୟିତ୍ବରେ ଅଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ କୁମାର ଉପାଧ୍ୟାୟ, ଜଗତ୍ସିଂହପୁର ଦାୟିତ୍ବରେ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ, ଭଦ୍ରକ ପାଇଁ ବିନୟତୋଷ ମିଶ୍ର, ଖୋର୍ଧା ପାଇଁ ଆରପି କୋଚେ, ପୁରୀରେ ରହିବେ ଆଇଜି ଏସ.କେ ପ୍ରିୟଦର୍ଶୀ, କେନ୍ଦ୍ରାପଡ଼ା ଦାୟିତ୍ବରେ ଆଇଜି ଅରୁଣ ବୋଥ୍ରା, ଗଞ୍ଜାମରେ ରହିବେ ଆଇଜି ଅମିତାଭ ଠାକୁର, ନୟାଗଡ଼ ପାଇଁ ଆଇଜି ଘନଶ୍ୟାମ ଉପାଧ୍ୟାୟ, ବାଲେଶ୍ବର ଦାୟିତ୍ବରେ ଅମିତେନ୍ଦ୍ର ନାଥ ସିହ୍ନା, କଟକ ଦାୟିତ୍ବରେ ଡିଆଇଜି ନିଖିଲ କାନୋଡିଆ, ମୟୂରଭଞ୍ଜ ପାଇଁ ଡିଆଇଜି ସଫିନ୍ନ ଅହମ୍ମଦ ଦାୟିତ୍ବରେ ରହିବେ ବୋଲି ପୁଲିସ ଡିଜିଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/dg-meeting.jpg)