ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ପୁଲିସ ଡିଜି ସୁନୀଲ ବଂଶଲ ଗୁରୁବାର ସନ୍ଧ୍ୟାରେ ଭବାନୀପାଟଣାସ୍ଥିତ ପୁଲିସ ମୁଖ୍ୟାଳୟରେ ମାଓ ପରିସ୍ଥିତିର ମୁକାବିଲା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କଳାହାଣ୍ଡି, ନୂଆପଡା, ବଲାଙ୍ଗୀର ଓ ନବରଙ୍ଗପୁର ଜିଲ୍ଲାର ମାଓ ସ୍ଥିତି ଓ ମୁକାବିଲା ଏବଂ ଆଗାମୀ ରଣନୀତି ଉପରେ ସମୀକ୍ଷା କରିଥିଲେ। ଏଥିରେ ସିଆର୍ପିଏଫ୍ର ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ।
ଏହି ସମୀକ୍ଷା ବୈଠକରେ ରାଜ୍ୟ ପୁଲିସ ଗୁଇନ୍ଦା ନିର୍ଦେଶକ ସଞ୍ଜୀବ ପଣ୍ଡା, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣଜିତ ମିନା, ଡିଆଇଜି ଉମାଶଙ୍କର ଦାସଙ୍କ ସହ କଳାହାଣ୍ଡି, ନୂଆପଡା, ବଲାଙ୍ଗୀର ଓ ନବରଙ୍ଗପୁର ଜିଲ୍ଲା ପୁଲିସ୍ ଏସ୍ପି ଉପସ୍ଥିତ ଥିଲେ। ପରେ ପୁଲିସ ଡିଜି ଶ୍ରୀ ବଂଶଲ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ଗୁରୁବାର ସକାଳେ ଫୁଲବାଣୀ ଓ ବୌଦ୍ଧ ଜିଲ୍ଲାର ସମୀକ୍ଷା ହୋଇଥିଲା। ସନ୍ଧ୍ୟାରେ ୪ଟି ଜିଲ୍ଲାର ମାଓ ସ୍ଥିତି ଉପରେ ସମୀକ୍ଷା ହୋଇଥିଲା।
ଆଜି ଫୁଲବାଣୀରେ ୨ ଜଣ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ଛତିଶଗଡ଼ ସୀମାରୁ ମାଓବାଦୀମାନେ ଓଡ଼ିଶାକୁ ଯିବା ଆସିବା କରୁଛନ୍ତି। ବିଭିନ୍ନ ସମୟରେ ପୋଷ୍ଟର ଲଗାଇ ନିଜର ସ୍ଥିତି ଜାହିର କରୁଛନ୍ତି। ସେମାନଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଓଡ଼ିଶାରେ ଆହୁରି ୧୧ ଟି ନୂଆ ପୁଲିସ କ୍ୟାମ୍ପ ସ୍ଥାପନ କରାଯିବ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତାରେ ପାଣ୍ଠି ଯୋଗାଇ ଦିଆଯାଉଛି। ଏହି ପାଣ୍ଠିରେ ସଡ଼କ ଯୋଗାଯୋଗ ଓ ମୋବାଇଲ ନେଟୱର୍କ ସଂଯୋଗ ନିମନ୍ତେ ପଦକ୍ଷେପ ନିଆଯାଉଛି। ରାଜ୍ୟର ୧୦ ଟି ଜିଲ୍ଲାରେ ନକ୍ସଲ ଗତିବିଧି ରହିଛି। ନକ୍ସଲ ମୂଳତ୍ପାଟନ ନିମନ୍ତେ ଓଡ଼ିଶା ପୁଲିସ ବଦ୍ଧ ପରିକର ରହିଛି। କନ୍ଧମାଳରେ ଆଜି ସକାଳେ ଏକ ମାଓ କ୍ୟାମ୍ପ ଠାବ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି। ଏଥିରେ ବିସ୍ଫୋରକ ସାମଗ୍ରୀ ଓ ୟୁନିଫର୍ମ ମିଳିଛି। ସର୍ଚ୍ଚ ଅପରେସନ ଶେଷ ହେବା ପରେ ସବିଶେଷ ତଥ୍ୟ ମିଳିବ ବୋଲି କହିଥିଲେ। କଳାହାଣ୍ଡି, ବଲାଙ୍ଗୀର, ନବରଙ୍ଗପୁର ଜିଲ୍ଲାର ଦୁର୍ଗମ ପାହାଡ଼ ଅଞ୍ଚଳରେ ଆଂଶିକ ମାଓ କାର୍ଯ୍ୟକଳାପ ଚାଲିଛି କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବେ ପୁଲିସର ନିୟନ୍ତ୍ରଣରେ ରହିଛି ବୋଲି ସୂଚନା ଦେଇଥିଲେ।