ରାଜ୍ୟର ୩୦୪ ଆଶ୍ରୟସ୍ଥଳୀ ଯାଞ୍ଚ ନିର୍ଦ୍ଦେଶ, ଯୌନ ଶୋଷଣ ପ୍ରସଂଗରେ ଡିଜିଙ୍କ ସମୀକ୍ଷା

ଗଠନ ହେବ ୪ ଜଣିଆ କମିଟି, ସାପ୍ତାହିକ ଭିତ୍ତିରେ ଏସ୍‌ପି କରିବେ ସମୀକ୍ଷା

କଟକ: ଉତ୍ତର ପ୍ରଦେଶ ଓ ବିହାରର ଆଶ୍ରୟସ୍ଥଳୀରେ ନାବାଳିକାଙ୍କୁ ଯୌନ ଶୋଷଣ ପରେ ଓଡ଼ିଶାର ଶିଶୁଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଫୁଲବାଣୀ, ମାଲ୍‌କାନଗିରି, କୋରାପୁଟ୍‌ ଏବଂ ମୟୁରଭଞ୍ଜରେ ଥିବା ଆଶ୍ରୟସ୍ଥଳୀର ଅନ୍ତେବାସୀଙ୍କୁ ଯୌନ ଶୋଷଣ ଅଭିଯୋଗ ମଧ୍ୟ ପୂର୍ବରୁ ରହିଛି। ଏଭଳି ପରିସ୍ଥିତିରେ ରାଜ୍ୟରେ ଥିବା ମୋଟ ୩୦୪ଟି ଶିଶୁଙ୍କ ଆଶ୍ରୟସ୍ଥଳୀକୁ ଯାଞ୍ଚ କରାଯିବାକୁ ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ଆର୍‌.ପି. ଶର୍ମା ଆଜି ନିର୍ଦ୍ଦେଶ ଦେଇଛନ୍ତି।

ଏଥିପାଇଁ ଏକ ଚାରି ଜଣିଆ କମିଟି ଗଠନ କରାଯିବ। ଏହି କମିଟି ଆଶ୍ରୟସ୍ଥଳୀ ଗସ୍ତ କରିବ। ଅନ୍ତେବାସୀଙ୍କ ସହିତ ସିଧାସଳଖ ଆଲୋଚନା କରି କୌଣସି ଯୌନ ଶୋଷଣ ଅଭିଯୋଗ ଥିଲେ ତୁରନ୍ତ ମାମଲା ରୁଜୁ କରାଯିବ। ଏତଲା ପଞ୍ଜିକରଣରେ ଯେଭଳି ବିଳମ୍ବ ନହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲା ଏସ୍‌ପିଙ୍କୁ ଡିଜିିପି ନିର୍ଦ୍ଦେଶ ଦେଇଛନ୍ତି। ଏ ପ୍ରଂସଗରେ କଟକ ଓ ଭୁବନେଶ୍ୱର କମିସନରେଟ୍‌ ପୁଲିସ ଡିସିପି, ରାଉରକେଲା ଓ କଟକ ରେଳବାଇ ଏସ୍‌ପିଙ୍କ ସମେତ ରାଜ୍ୟର ମୋଟ ୩୫ଟି ପୁଲିସ ଜିଲ୍ଲାକୁ ନେଇ ଆଜି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଯଦି ଅନୁଷ୍ଠାନର କର୍ତ୍ତୃପକ୍ଷ କିମ୍ବା କୌଣସି ସଦସ୍ୟଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ହୁଏ, ତେବେ ତାଙ୍କ ବିରୋଧରେ ଜୁଭେନାଇଲ୍‌ ଜଷ୍ଟିସ୍‌ ଆକ୍ଟ ୨୦୦୫ର ଧାରା ୭୫ରେ ମାମଲା ରୁୁଜୁ କରାଯିବ। ଅଭିଯୁକ୍ତଙ୍କୁ ୩ ବର୍ଷ କାରାଦଣ୍ଡ କିମ୍ବା ୧ ଲକ୍ଷ ଟଙ୍କା ଜରିମାନା ଅଥବା ଉଭୟ କାରାଦଣ୍ଡ ଏବଂ ଅର୍ଥଦଣ୍ଡରେ ଦଣ୍ଡିତ କରାଯିବ। ପୋକ୍‌ସୋ ଆକ୍ଟ ୨୦୧୨ର ଧାରା ୧୯ ଆଧାରରେ ଯେକୌଣସି ବ୍ୟକ୍ତି ଏସ୍‌ଜେପିୟୁ(ସ୍ପେଶାଲ ଜୁଭେନାଇଲ୍‌ ପୁଲିସ ୟୁନିଟ୍‌) ଏବଂ ସ୍ଥାନୀୟ ପୁଲିସକୁ ଅବଗତ କରିପାରିବେ। ଅନ୍ୟପଟେ ଆଇୟୁସିଏଡବ୍ଲୁ(ଇନ୍‌ଭେଷ୍ଟିଗେଟିଭ୍‌ ୟୁନିଟ୍‌ ଅନ୍‌ କ୍ରାଇମ୍‌ସ୍‌ ଏଗେନଷ୍ଟ ଓମ୍ୟାନ୍‌), ଆଇଏଏଚ୍‌ଟିୟୁ(ଇଣ୍ଟିଗ୍ରେଟେଡ୍‌ ଆଣ୍ଟି ହ୍ୟୁମାନ୍‌ ଟ୍ରାଫିକିଂ ୟୁନିଟ୍‌) ଏବଂ ଏସ୍‌ଜେପିୟୁର ମହିଳାଙ୍କ ଅଫିସର୍‌ଙ୍କୁ ନେଇ ଜିଲ୍ଲା ଓ୍ଵାରିଂ ଏକ ଟିମ୍‌ ଗଠନ କରାଯିବ। ଏହି ଟିମ୍‌ ନିଜ ଜିଲ୍ଲାରେ ଥିବା ଶିଶୁଙ୍କ ଥଇଥାନ କେନ୍ଦ୍ରକୁ ଯାଞ୍ଚ କରାଯିବ। କମିଟି ଯାଞ୍ଚ କରିବା ପରେ ଏ ସଂକ୍ରାନ୍ତ ଏକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ, ଡିଜିପିଙ୍କ ନିର୍ଦ୍ଦେଶ ଆଧାରରେ ଗଠିତ କମିଟି ପ୍ରକୃତରେ କେତେ ସଂଖ୍ୟାରେ ଅନ୍ତେବାସୀ ରହୁଛନ୍ତି, ସେମାନଙ୍କ ସଂଖ୍ୟା ରେକର୍ଡ କରାଯିବ। ତାଙ୍କ ସହିତ ଏକ ବନ୍ଧୁତାପୂର୍ଣ୍ଣ ବାତାବରଣରେ ଆଲୋଚନା କରି ଭଲମନ୍ଦ ପଚାରି ବୁଝିବ। କମିଟିରେ ଥିବା ଜଣେ ମହିଳା କର୍ମଚାରୀ ନାବାଳିକା ଅନ୍ତେବାସୀଙ୍କ ସହିତ ଆଲୋଚନା କରିବେ। ନିର୍ଦ୍ଦିଷ୍ଟ ଭାବେ ସେମାନଙ୍କୁ କୌଣସି ଯୌନ ଶୋଷଣ କରାଯାଉଛି କି ନାହିଁ, ସେ ସମ୍ପର୍କରେ ପଚାରି ବୁଝିବେ। ଉଭୟ ଅନ୍ତେବାସୀ ଏବଂ ସଂସ୍ଥାର କର୍ତ୍ତୃପକ୍ଷଙ୍କ ସହିତ ନମ୍ରତାର ସହିତ ଆଲୋଚନା କରିବେ କମିଟର ସଦସ୍ୟ। କମିଟିର ସଦସ୍ୟ ଶିଶୁ ଥଇଥାନ କେନ୍ଦ୍ରକୁ ଗସ୍ତ ପୂର୍ବରୁ ଜିଲ୍ଲାପାଳଙ୍କୁ ଅନୁରୋଧ କରି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ(ସିଡିପିଓ)ଙ୍କୁ ଟିମ୍‌ରେ ନେବାକୁ କୁହାଯାଇଛି। ଜିଲ୍ଲାର ଏସ୍‌ପିମାନେ ସାପ୍ତାହିକ ଭିତ୍ତିରେ କମିଟିର ଗସ୍ତକୁ ଅନୁଧ୍ୟାନ କରିବା ସହିତ ଏ ସଂକ୍ରାନ୍ତ ରିପୋର୍ଟ କଟକ ପୁଲିସ ମୁଖ୍ୟାଳୟରେ ଦାଖଲ କରିବେ। ଯଦି କୌଣସି ଯୌନ ଶୋଷଣ ଘଟଣା ସାମ୍‌ନାକୁ ଆସିଲା, ତେବେ ଥାନା ପୁଲିସ ବିଳମ୍ବ ନକରି ତୁରନ୍ତ ମମାମଲା ରୁଜୁ ସହିତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ସମ୍ବନ୍ଧିତ ଖବର