ବଲାଙ୍ଗୀର/ନୂଆପଡ଼ା/ଭବାନୀପାଟଣା : ପୁଲିସ ଡିଜି ଅଭୟ ବୁଧବାର ବଲାଙ୍ଗୀର, ନୂଆପଡ଼ା ଓ କଳହାଣ୍ଡି ଜିଲ୍ଲା ଗସ୍ତ କରି କୋଭିଡ୍ ପରିଚାଳନା ନେଇ ସମୀକ୍ଷା କରିବା ସହ ମାଓ ଗତିବିଧି ଏବଂ ଆଇନଶୃଙ୍ଖଳା ଉପରେ ଆଲୋଚନା କରିଛନ୍ତି। ଡିଜି ଅଭୟ ପ୍ରଥମେ ବଲାଙ୍ଗୀର ପହଞ୍ଚି ଆଦର୍ଶ ଥାନା ଓ ସଦର ଥାନା ପରିଦର୍ଶନରେ ଯାଇଥିଲେ। ସେଠାରୁ ରିଜର୍ଭ ବାରାକ୍ଠାରେ ଜିଲ୍ଲାର କୋଭିଡ ପରିଚାଳନା ନେଇ ସମୀକ୍ଷା କରିଥିଲେ। ଗଣମାଧ୍ୟମକୁ ଡିଜି କହିଥିଲେ, କୋଭିଡ ସ୍ଥିତି ଗମ୍ଭୀର ହେଉଛି। ଏଣୁ ସମସ୍ତେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧନ୍ତୁ। କୋଭିଡ କଟକଣା ନିୟମ ଯାହା ଜାରି ହୋଇଛି ତାହାକୁ ପାଳନ କରନ୍ତୁ। କରୋନା ମୁକାବିଲାରେ ସମସ୍ତଙ୍କ ସହାୟତା ଦରକାର ବୋଲି କହିଥିଲେ। ଏହି ଅବସରରେ ସେ ଦୁଇଜଣ ଏସ୍ଆଇ ଆର୍.କେ. ସାହୁ, ସବିତା ଲତା ସେଠୀ, ଦୁଇଜଣ ଏଏସ୍ଆଇ ଭିକାରିଚରଣ ପଟେଲ, ଦୟାନନ୍ଦ ଷଡ଼ଙ୍ଗୀଙ୍କୁ ପ୍ରଶସ୍ତିପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ଉତ୍ତରାଞ୍ଚଳ ପୁଲିସ ଆଇଜି ନରସିଂହ ଭୋଳ, ବଲାଙ୍ଗୀର ଏସ୍ପି ଦାୟିତ୍ୱରେ ଥିବା ବରଗଡ଼ ଏସ୍ପି ପଦ୍ମିନୀ ସାହୁ ଉପସ୍ଥିତ ଥିଲେ।
ଏହାପରେ ଡିଜି ନୂଆପଡ଼ା ଜିଲ୍ଲା ପହଞ୍ଚି ଅପରାହ୍ଣରେ ଛତିଶଗଡ଼ ସୀମାନ୍ତରେ ସ୍ଥିତି ଅନୁଧ୍ୟାନ କରିବା ସହ ରିଜର୍ଭ ପୁଲିସ୍ ପଡ଼ିଆରେ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ସହ କୋଭିଡ୍ ମୁକାବିଲା ଉପରେ ଆଲୋଚନା କରିଥିଲେ। ଆଇଜି ଏସ୍ ପ୍ରବୀଣ କୁମାର, ଡିଆଇଜି ଅନିରୁଦ୍ଧ ସିଂ, ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ତିତ, ଏସ୍ପି ରାହୁଲ ଜୈନ୍ ପ୍ରମୁଖ ଉପସ୍ଥିତ ଥିଲେ। ପରେ ଡି଼ଜି ଜୋଙ୍କ୍ ଥାନା ଅଧୀନ ଖରିଆରରୋଡ୍ ରେଲଓ୍ବେ ଫାଟକ ନିକଟ ଜୋଙ୍କ୍ ନଦୀ ତଟରେ ଥିବା ରାଜ୍ୟ ସୀମାନ୍ତର ଚେକ୍ପୋଷ୍ଟ ପରିଦର୍ଶନ କରିଥିଲେ। ସେଠାରେ ଯାତାୟାତ ପ୍ରକ୍ରିୟାକୁ ଅନୁଧ୍ୟାନ କରିଥିଲେ। ରାଜ୍ୟ ବାହାରୁ ଯେଉଁ ଲୋକେ ଜିଲ୍ଲାକୁ ଫେରୁଥିଲେ, ତାଙ୍କର ସବିଶେଷ ତଥ୍ୟ ସଂଗ୍ରହ କରି ଗୃହ ସଂଗରୋଧରେ ରହିବାକୁ ପରାମର୍ଶ ଦେଇଥିଲେ। ମାସ୍କ୍ ବ୍ୟବହାର କରିବା ସହ ସାମାଜିକ ଦୂରତା ଅବଲମ୍ବନ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଥିଲେ। ସେଠାରୁ ଫେରି ଜୋଙ୍କ୍ ଥାନା ପରିଦର୍ଶନ କରିଥିଲେ। ପରେ ରିଜର୍ଭ ଅଫିସ୍ରେ ଜିଲ୍ଲାପାଳ ସ୍ବଧାଦେବ ସିଂଙ୍କ ସହ କୋଭିଡ୍ ମୁକାବିଲା ଉପରେ ଆଲୋଚନା କରିଥିଲେ। ଅପରାହ୍ଣରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସର୍ବଦା ମାସ୍କ ବ୍ୟବହାର, ସାମାଜିକ ଦୂରତା ଅବଲମ୍ବନ କରିବାକୁ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ କହିଥିଲେ। ମୃତ କୋଭିଡ୍ ଯୋଦ୍ଧାମାନଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ରାତି କର୍ଫ୍ୟୁ, ସୀମା ଯାଞ୍ଚ, ପାଟ୍ରୋଲିଂ, ଶନିବାର ଓ ରବିବାର ସଟଡାଉନ୍ କଡ଼ାକଡ଼ି ଚାଲିଥିବା ଡିଆଇଜି ଶ୍ରୀ ପଣ୍ତିତ କହିଥିଲେ ।
ଡିଜି ତାଙ୍କର ଏହି ଦିନିକିଆ ଗସ୍ତର ଶେଷ କାର୍ଯ୍ୟସୂଚୀ ଅନୁସାରେ କଳାହାଣ୍ଡି ପହଞ୍ଚି ଭବାନୀପାଟଣା ଠାରେ ରୁଦ୍ଧଦ୍ୱାର ବୈଠକ କରି ମାଓବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ୍ ହେବା ପାଇଁ ଆହ୍ୱାନ ଦେଇଥିଲେ। କୋଭିଡ୍ ମୁକାବିଲା ପାଇଁ ଜିଲ୍ଲାରେ ଆଇନଶୃଙ୍ଖଳା ସ୍ଥିତି ବିଷୟରେ ସମୀକ୍ଷା କରିଥିଲେ। ବୈଠକରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଅନିରୁଦ୍ଧ ସିଂ , କଳାହାଣ୍ଡି ଜିଲ୍ଲାପାଳ ଡା. ଗାଭାଲି ପରାଗ ହର୍ଷଦ, ଏସ୍ପି ଶ୍ରବଣା ବିବେକ ଏମ୍ ଯୋଗଦେଇଥିଲେ। ଡିଜି ଭବାନୀପାଟଣା ସଦର ଥାନା ଏବଂ ଟାଉନ୍ ଥାନା ସମେତ ଟାଉନ୍ର ଚେକିଙ୍ଗ୍ ପଏଣ୍ଟ ମଧ୍ୟ ବୁଲି ଦେଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/c380f5cc-50c9-4158-bc31-4cc73cc845f1.jpg)