ବିଚ୍ଛିନ୍ନାଞ୍ଚଳରେ ପୁଲିସ ଡିଜି, ନକ୍ସଲ ଦମନ ରଣନୀତି ପ୍ରସ୍ତୁତ

ମାଲକାନଗିରି/ଚିତ୍ରକୋଣ୍ଡା : ଗତ ୨୫ତାରିଖ ରାତିଠାରୁ ଅଶାନ୍ତ ରହିଛି ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳ। ସପକ୍ଷ ଏବଂ ବିପକ୍ଷ ଗୋଷ୍ଠୀ ଭାବେ ଲୋକେ ଦୁଇ ଭାଗ ହୋଇ ଯାଇଛନ୍ତି। ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପ୍ରତ୍ୟେକ ଗତିବିଧି ଉପରେ ପୁଲିସ ଏବଂ ପ୍ରଶାସନର ନଜର ରହିଛି। ଏମିତି ସ୍ଥିତିରେ ଆଜି ହଠାତ୍ ବିଚ୍ଛିନ୍ନାଞ୍ଚଳରେ ପହଞ୍ଚିଥିଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ। ଡିଜିପିଙ୍କ ଏହା ଔପଚାରିକ ଗସ୍ତ ବୋଲି କୁହାଯାଉଥିଲେ ମଧ୍ୟ ଏହା ପଛରେ ଅନେକ କାରଣ ରହିଥିବା କୁହାଯାଉଛି।

ଗୁରୁପ୍ରିୟା ସେତୁ ଉଦ୍‌ଘାଟନ ପରେ ବାରମ୍ବାର ଚର୍ଚ୍ଚାକୁ ଆସୁଛି ବିଚ୍ଛିନ୍ନାଞ୍ଚଳ। କେତେବେଳେ ବିକାଶମୂଳକ କାର୍ଯ୍ୟକୁ ନେଇ ତ ଆଉ କେତେବେଳେ ନକ୍ସଲ ହିଂସାକାଣ୍ଡ ପାଇଁ। ପୁଲିସ ଓ ନକ୍ସଲ ତଥା ନକ୍ସଲ ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବା ସମୟରେ ଆଜି ବରିଷ୍ଠ ଅଧିକାରୀଙ୍କ ସହ ଜିଡିପି ଚିତ୍ରକୋଣ୍ଡା ବ୍ଲକ୍‌ ବିଚ୍ଛିନ୍ନାଞ୍ଚଳରେ ରହିଥିବା ପେପରମେଟଲା ଥାନାକୁ ଯାଇଥିଲେ। ଏହି ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଡିଜିପିଙ୍କ ସହ ଅତିରିକ୍ତ ଡିଜିପି ସତ୍ୟଜିତ ମହାନ୍ତି, ବିନୟତୋଷ ମିଶ୍ର, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ରାଧାକୃଷ୍ଣ ଶର୍ମା, ଆଇଜି ରେଖା ଲୋହାନୀ, ଗୁଇନ୍ଦା ଡିଆଇଜି ଅନିରୁଦ୍ଧ ସିଂହ, ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ସଫିନ ଅହମ୍ମଦ, ଆଇଜି ଅପରେସନ ଅମିତାଭ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ। ବିଏସ୍‌ଏଫ୍‌ ଏବଂ ପୁଲିସ ମଧ୍ୟରେ ସମନ୍ବୟ ରକ୍ଷା କରିବା ସହ ମାଓ ଦମନକୁ ଜୋରଦାର କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା। ସେଠାରୁ ଡିଜିପି ଗୁରୁପ୍ରିୟା ସେତୁ ପରିଦର୍ଶନରେ ଯାଇ ସୁରକ୍ଷା ସଂପର୍କରେ ପଚାରି ବୁଝିଥିଲେ। ବଡ଼ପଡ଼ା ଥାନାରେ ସ୍ଥିତିର ଅନୁଧ୍ୟାନ ସହ ବିଏସ୍‌ଏଫ୍‌ କ୍ୟାମ୍ପ୍‌ରେ କିଭଳି ଅପରେସନ ଚାଲିଛି ତାହାର ସମୀକ୍ଷା କରିଥିଲେ। ୨୫ ତାରିଖ ରାତିର ଘଟଣା ବିଷୟରେ ପଚାରିବା ସହ ଲୋକଙ୍କ ସୁରକ୍ଷା ନେଇ ଆଲୋଚନା କରିଥିଲେ।

ବିଚ୍ଛିନ୍ନାଞ୍ଚଳରୁ ଫେରିବା ପରେ ଡିଜିପି ମାଲକାନଗିରିରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଚ୍ଛିନ୍ନାଞ୍ଚଳରେ କେଉଁଭଳି ସ୍ଥିତି ରହିଛି ତାହା ଗଣମାଧ୍ୟମକୁ ଜଣାଇଥିଲେ। ଜିଲ୍ଲାରେ ମାଓବାଦୀଙ୍କ କାର୍ଯ୍ୟକଳାପ କମିବାରେ ଲାଗିଛି। ବିଚ୍ଛିନ୍ନାଞ୍ଚଳରେ ମଧ୍ୟ ମାଓବାଦୀ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଛନ୍ତି। ତେଣୁ ବିକାଶମୂଳକ କାର୍ଯ୍ୟକୁ ଗୁରୁତ୍ବ ଦେଇ ମାଓ ଦମନକୁ ତ୍ବରାନ୍ବିତ କରାଯିବ ବୋଲି ଡିଜିପି ଏଠାରେ କହିଥିଲେ। ପ୍ରଥମତଃ ବିକାଶ କାର୍ଯ୍ୟ ଆଗେଇଛି, ଦ୍ବିତୀୟରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ଯାହାଫଳରେ ନକ୍ସଲଙ୍କ ଶକ୍ତି କମିଯିବାରୁ ଲୋକଙ୍କ ସାହାରା ଓ ସମର୍ଥନ ଜୁଟାଇବାକୁ ଚେଷ୍ଟା ଜାରି ରଖିଛନ୍ତି। ଏହା ଉପରେ ପୁଲିସର ନଜର ରହିଛି। ସମର୍ଥନ କମୁଥିବାରୁ ବିଚ୍ଛିନ୍ନାଞ୍ଚଳକୁ ଦୁଇ ଭାଗ କରିଦେବାକୁ ନକ୍ସଲ ଉଦ୍ୟମ କରୁଛନ୍ତି। ଏଥିପାଇଁ ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତିରେ ସୁଧାର ଆଣିବାକୁ ପୁଲିସ ପ୍ରୟାସ କରୁଥିବା ଡିଜିପି କହିଛନ୍ତି।

ସମ୍ବନ୍ଧିତ ଖବର