ମାଲକାନଗିରିରେ ପୁଲିସ ଡିଜିଙ୍କ ସମୀକ୍ଷା : ‘ସ୍ବାଭିମାନ ଅଂଚଳକୁ ମାଓ ମୁକ୍ତ କରାଯିବ’

ମାଲକାନଗିରି : ସ୍ବାଭିମାନ ଅଂଚଳକୁ ମାଓ ମୁକ୍ତ କରାଯିବ। ଆଗାମୀ ଦିନରେ ସ୍ବାଭିମାନ ଅଂଚଳରେ ବିକାଶ ପହଞ୍ଚିବା ପରେ ମାଓବାଦୀ ଶୂନ୍ୟ ହେବ। ଯେଉଁ ଅଂଚଳଗୁଡିକକୁ ମାଓ ମୁକ୍ତ କରାଗଲା ସେହି ଅଂଚଳକୁ ପୁଣି ଅନୁଧ୍ୟାନ କରାଯିବ। ଆଜି ମାଲ୍‌କାନଗିରିରେ ମାଓ ସ୍ଥିତିର ସମୀକ୍ଷା କରିବା ପରେ ରାଜ୍ୟ ପୁଲିସ୍‌ ମହାନିର୍ଦ୍ଦେଶକ ଆର୍‌ପି ଶର୍ମା ଏହା କହିଛନ୍ତି।

ଅପରେସନ ‘ୱିଣ୍ଟର’ରେ ଓଡ଼ିଶା ପୁଲିସକୁ ଗତକାଲି ବଡ଼ ସଫଳତା ମିଳିଥିବା ବେଳେ ଯବାନଙ୍କ ମନୋବଳ ବଢ଼ାଇବାକୁ ଡିଜି ଶ୍ରୀ ଶର୍ମା ଆଜି ମାଲକାନଗିରି ଗସ୍ତରେ ଆସିଥିଲେ। ଏହି ଗସ୍ତରେ ଡିଜିଙ୍କ ସହ ଏଡିଜି ଆର.ପି. କୋଚେ, ଆଇଜି ଏସଆଇଡବ୍ଲୁ ଘନଶ୍ୟାମ ଉପାଧ୍ୟାୟ, ଆଇଜି ଆର.କେ.ଶର୍ମା, ଡିଆଇଜି ଆଶିଷ ସିଂହ, ଏସଓଜି କମାଣ୍ଡାଣ୍ଟ ଅନିରୁଦ୍ଧ ସିଂ ପ୍ରମୁଖ ସାମିଲ୍‌ ହୋଇଥିଲେ। ମାଲକାନଗିରି ପହଞ୍ଚିବା ପରେ ଏସ୍‌ପି ଜଗମୋହନ ମୀନା ସମସ୍ତଙ୍କୁ ସ୍ବାଗତ ଜଣାଇବା ପରେ ଏକ ଜରୁରି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମାଲକାନଗିରି ପୁଲିସର ସଫଳତାକୁ ପ୍ରଶଂସା କରାଯାଇଥିଲା।୫ ଜଣ ନକ୍ସଲ ନିପାତ ହେବା ସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରିବା ଏକ ବଡ ସଫଳତା ବୋଲି କୁହାଯାଇଥିଲା। ଏଥିସହିତ, ଏନ୍‌କାଉଣ୍ଟରରେ ଅଂଶଗ୍ରହଣ କରିଥିବା ଏସ୍‌ଓଜି ଏବଂ ଡିଭିଏଫ୍‌ ଯବାନଙ୍କୁ ଧନ୍ୟବାଦ ଦେଇଥିଲେ। ‘ ଆଗାମୀ ଦିନରେ ମାଲକାନଗିରିକୁ ସଂପୂର୍ଣ୍ଣ ରୂପେ ମାଓ ମୁକ୍ତ କରାଯିବା ସହ ବିକାଶର ଧାରା ଜାରି ରହିବ। ଓଡ଼ିଶା ପୁଲିସ ଏତିକିରେ ସନ୍ତୁଷ୍ଟ ନୁହେଁ। ଆଗାମୀ ଦିନରେ ପୁଣି ଚଢ଼ାଉ କରି ମାଓ ଶିବିରକୁ ଧ୍ବଂସ କରାଯିବ,’ ବୋଲି ଡିଜି ଶ୍ରୀ ଶର୍ମା କହିଥିଲେ।

ସମ୍ବନ୍ଧିତ ଖବର