ଚିଠି ଲେଖିଲେ ପୁଲିସ୍ ଡିଜି : ଲକଡାଉନ୍ ସମୟରେ ପରିଚୟପତ୍ର ଦେଖାଇ ସ୍ବଚ୍ଛନ୍ଦରେ ଯାତାୟାତ କରିପାରିବେ ସ୍ୱାସ୍ଥ୍ୟକର୍ମୀ

କଟକ: କରୋନା ଭାଇରସର ମୁକାବିଲା ପାଇଁ ସାରା ରାଜ୍ୟକୁ ଲକଡାଉନ୍ ଘୋଷଣା କରାଯାଇଥିବା ବେଳେ ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ବଡ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡିଜି ଅଭୟ । ସେ କହିଛନ୍ତି, ରାଜ୍ୟରେ ମୁକ୍ତ ଭାବେ ଯାତାୟାତ କରିପାରିବେ ସ୍ୱାସ୍ଥ୍ୟକର୍ମୀ । ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲର ଡାକ୍ତର, ନର୍ସ ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀ ନିଜର ପରିଚୟପତ୍ର ଦେଖାଇ ଲକଡାଉନ୍ ସମୟରେ ଯାତାୟତ କରିପାରିବେ। ଏଥିଲାଗି  ରାଜ୍ୟର ସମସ୍ତ ଏସପି ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ପୁଲିସ ଡିଜି ଅଭୟ। ଏହି ବ୍ୟବସ୍ଥା ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଲକଡାଉନ୍ ସମୟରେ ଘରୋଇ ଯାନବାହନ ଚଳାଚଳ ବନ୍ଦ ରହିଥିବା ବେଳେ ଜରୁରୀ ସେବାରେ ଥିବା ବ୍ୟକ୍ତିଙ୍କ ଗାଡ଼ି  ଲାଗି ପାସ ପ୍ରଦାନ ପାଇଁ ଏକ ୱେବ୍ଆଧାରିତ ବ୍ୟବସ୍ଥା କରାଯାଉଛି । ମାତ୍ର ସେ ପର୍ଯ୍ୟନ୍ତ ପରିଚୟପତ୍ର ଦର୍ଶାଇ ସ୍ୱାସ୍ଥ୍ୟକର୍ମୀ ସ୍ବଚ୍ଛନ୍ଦରେ ଯାନବାହନ ନେଇ ଯାତାୟାତ କରିପାରିବେ।

 

ତେଣେ ଜରୁରୀକାଳୀନ ସେବାରେ ଏବେ ଲୋକଙ୍କୁ ପାସ ଦିଆଯିବନି ବୋଲି କହିଛନ୍ତି ଭୁବନେଶ୍ବର-କଟକ ପୁଲିସ କମିସନର  । ଚଳପ୍ରଚଳ ବେଳେ ପରିଚୟ ପତ୍ର ବ୍ୟବହାର କରନ୍ତୁ ବୋଲି କମିସନର କହିବା ସହ ପାସ ପାଇଁ ଭିଡ ହେବାରୁ ବ୍ୟବସ୍ଥା ବାତିଲ କରାଗଲା ବୋଲି ସ୍ପଷ୍ଟ କରିଛନ୍ତି । ଏହା ସହ ଏକ ଆଇଟି ପ୍ଲାଟଫର୍ମ ପ୍ରସ୍ତୁତ କରାଯାଉଛି ଓ କାଲି ସୁଦ୍ଧା ଏହି ପ୍ଲାଟଫର୍ମ ପ୍ରସ୍ତୁତ ହୋଇଯିବା ସହ ଲୋକ ଭିଡ ନ ଜମାଇ ଏହି ପ୍ଲାଟଫର୍ମରୁ ସୁବିଧା ପାଇପାରିବେ ବୋଲି ସେ ସୂଚନା ଦେଇଛନ୍ତି।

 

ସମ୍ବନ୍ଧିତ ଖବର