ପୁଲିସ ନ୍ୟାୟ ଦେଲାନି: ବିଧାନସଭା ସାମ୍ନାରେ ମା’ ଝିଅଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ବର: ‘ଝିଅକୁ ଶ୍ବଶୁର ଘର ଲୋକେ ନାନା ନିର୍ଯାତନା ଦେ‌ଇ ଘରୁ ତଡ଼ିଦେଲେ। ନ୍ୟାୟ ପାଇଁ ଥାନାକୁ ଦୌଡ଼ିଲୁ। ଧାରଣା ଦେଲୁ। ତଥାପି ପୁଲିସ କିଛି କଲାନାହିଁ। ପୁଲିସ ନିଷ୍କ୍ରିୟତାର ସୁଯୋଗ ନେଇ ଜ୍ବାଇଁ ତାଙ୍କ ସ୍ବାମୀକୁ ରାସ୍ତାରୁ ଅପହରଣ କରିବା ପ‌ରେ ଦରମରା କରି ଫିଙ୍ଗି ଦେଲା। ଜ୍ବାଇଁ ସହ ୮ ଜଣ ଏହି କାଣ୍ଡ କଲେ। ମାତ୍ର ପୁଲିସ ୨ ଜଣଙ୍କୁ ଗିରଫ କରି ଚୁପ୍ ବସିଗଲା। ଏବେ ସେମାନେ ମୋତେ ଓ ମୋ ଝିଅକୁ ହତ୍ୟା କରିବାକୁ ଧମକ ଦେଇଛନ୍ତି। ପୁଲିସ କିନ୍ତୁ ଆମ ଅଭିଯୋଗ ଶୁଣୁନାହିଁ। ‌ତେଣୁ ଏମିତି ସେମାନଙ୍କ ହାତରେ ମରିବା ଅପେକ୍ଷା ବିଧାନସଭା ଆଗରେ ଆତ୍ମାହୁତି ଦେଇଦେବା ଭଲ। ରାଜ୍ୟବାସୀ ଜାଣନ୍ତୁ, ଓଡ଼ିଶା ପୁଲିସ ଓ ସରକାର ଲୋକଙ୍କୁ କିଭଳି ନ୍ୟାୟ ଦେଉଛନ୍ତି।’ ଆଜି ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବାକୁ ବସିଥିବା ବେଳେ ପୁଲିସ ଦ୍ବାରା ଉଦ୍ଧାର ହୋଇଥିବା ଜଣେ ମହିଳା ଓ ତାଙ୍କ ଝିଅ ଏମିତି କହିଥିଲେ। ସେମାନେ ହେଲେ ବାଲେଶ୍ବରର ମିଲନ୍‌ବାଳା ବେହେରା ଓ ତାଙ୍କ ଝିଅ ଶୁଭାସ୍ମିତା।

ସୂଚନା ମୁତାବକ, ଶୁକ୍ରବାର ପାଖାପାଖି ସାଢ଼େ ୧୧ଟା ସମୟରେ ଲୋୟର ପିଏମ୍‌ଜିରେ ମିଲନବାଳା ଓ ତାଙ୍କ ଝିଅ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ। ପୁଲିସ ଛାଉଣୀ ସତ୍ତ୍ବେ ସେମାନେ ହଠାତ୍ ଧାରଣାସ୍ଥଳକୁ ପଶି ଆସି ଏଭଳି କାଣ୍ଡ କରିବାକୁ ଯାଉଥିଲେ। ତେବେ ସେଠାରେ ଥିବା ପୁଲିସ କର୍ମଚାରୀମାନେ ତୁରନ୍ତ ଧାଇଁ ଆସି ସେମାନଙ୍କୁ ଉଦ୍ଧାର କରିଥିଲେ ଓ ଉଭୟଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲେ। ସେମାନେ ଦେହରେ ନିଆଁ ଲଗାଇବା ପୂର୍ବରୁ ପୁଲିସ ସେମାନଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା। ମିଲନବାଳା କହିଛନ୍ତି ଯେ ଯୌତୁକ ପାଇଁ ଶ୍ବଶୂର ଘର ଲୋକେ ତାଙ୍କ ଝିଅ ଶୁଭାସ୍ମିତାକୁ ନିର୍ଯାତନା ଦେଇଆସୁଥିଲେ ଓ ଘରୁ ତଡ଼ି ଦେଇଥିଲେ। ନ୍ୟାୟ ପାଇଁ ଝିଅ ଧାରଣାରେ ବସିଥିବା ବେଳେ ଗତ ମାର୍ଚ୍ଚ ମାସରେ ଜ୍ବାଇଁ ହରିପଦ ଦେ ଓ ତାଙ୍କ ପରିବାର ଲୋକ ମିଶି ତାଙ୍କ ସ୍ବାମୀ ଗୟାପ୍ରସାଦ ବେହେରାଙ୍କୁ ନାବ୍ରା ରାସ୍ତାରୁ ଅପହରଣ କରିନେଇଥିଲେ। ନିସ୍ତୁକ ମାଡ଼ମାରି ଗୁରୁତ ଅବସ୍ଥାରେ ଫୋପାଡ଼ି ଦେଇଥିଲେ। ଏନେଇ ସେ ସିଙ୍ଗଲା ଥାନାରେ ୮ଜଣଙ୍କ ନାମରେ ଅଭିଯୋଗ କରିଥିଲେ। ହେଲେ ପୁଲିସ ମାତ୍ର ଦୁଇ ଜଣଙ୍କୁ ବାନ୍ଧିଥିଲା ଓ ଅନ୍ୟମାନଙ୍କୁ ଗିରଫ କଲାନାହିଁ। ଫେରାର୍‌ ଥିବା ଅଭିଯୁକ୍ତମାନେ ତାଙ୍କୁ ଏବଂ ତାଙ୍କ ଝିଅଙ୍କୁ ମାରିଦେବାକୁ ଧମକ ଦେଇଛନ୍ତି। ଜୀବନ ପ୍ରତି ବିପଦ ଥିବା ନେଇ ସେମାନେ ସିଙ୍ଗଲା ଥାନା ପୁଲିସକୁ ଜଣାଇଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ନେଉନାହିଁ। ତେଣୁ ସେମାନେ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ।

ବାଲେଶ୍ବର ଏସ୍‌ପି ସୁଧାଂଶୁ‌ ଶେଖର ମିଶ୍ର କହିଛନ୍ତି ଯେ ଗତ ମାର୍ଚ୍ଚ ମାସରେ ଏନେଇ ସିଂଗଲା ଥାନାରେ କେସ୍‌ ନଂ-୬୮ରେ ଆଇପିସି ଦଫା ୩୬୫, ୩୪୨, ୩୨୩, ୩୨୫, ୩୦୭, ୩୭୯, ୫୦୬ ଏବଂ ୩୪ରେ ମାମଲା ରୁଜୁକରାଯାଇଥିଲା। ଜୁନ୍‌ ମାସରେ ଜ୍ବାଇଁ ହରିପଦ ଦେ ଓ ତା’ ଭଉଣୀ ବାସନ୍ତି ଦାସ ଓରଫ କନକଲତାଙ୍କୁ ଗିରଫ କରାଯାଇଛି। ସେହିପରି ହରିପଦର ବଡ଼ ଭାଇଙ୍କ ବିରୋଧରେ ମଧ୍ୟ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆର୍ମି କମାଣ୍ଡିଂ ଅଫିସରଙ୍କୁ ଚିଠି କରାଯାଇଛି। ଏନେଇ ତଦନ୍ତ ଜାରି ରହିଛି ବୋଲି ଏସ୍‌ପି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର