୩ ଚାଳକଙ୍କୁ ଗିରଫ ମାମଲା: ଡ୍ରାଇଭର ପୁଲିସ ମୁହାଁମୁହିଁ, ଥାନା ଘେରିଲା ମହାସଂଘ

ଜୟପୁର :ଗାଡି ଚାଳକଙ୍କ ଆନ୍ଦୋଳନ ଜାରି ରହିଥିବାବେଳେ ପୁଲିସ ଗିରଫ କରିଥିବା ତିନିଜଣ ଆନ୍ଦୋଳନକାରୀଙ୍କୁ ମୁକୁଳାଇବାକୁ ଆଜି ଏଠାରେ ମୁହାଁମୁହିଁ ହୋଇଛନ୍ତି ପୁଲିସ ଓ ଚାଳକ। ଟାଉନ ଥାନାକୁ ଚାଳକ ମହାସଙ୍ଘ ଘେରାଉ କରିଥିବାବ‌େଳେ ତିନିଜଣ ଜାମିନରେ ମୁକୁଳିଛନ୍ତି। ଅନ୍ୟପକ୍ଷରେ ମହାସଂଘ ପକ୍ଷରୁ ବସ ଡ୍ରାଇଭର ସାହିଲ ଦାଶଙ୍କ ନାଁରେ ପାଲଟା ଏତଲା ଦିଆଯାଇଛି।

ସୂଚନା ଅନୁସାରେ, ଅଟକ ଡ୍ରାଇଭରଙ୍କୁ ତୁରନ୍ତ ଛାଡିବାକୁ ଦାବି କରି ଡ୍ରାଇଭର ମହାସଂଘ ପକ୍ଷରୁ ସକାଳୁ ଥାନା ଘେରାଉ କରାଯାଇଥିଲା। ସଂଘ ସଂପାଦକ ସହଦେବ ଦୁର୍ଗାଙ୍କୁ ପୁଲିସ ଉଠାଇ ଆଣିବା ସହ ଭିଡିଓରେ ଥିବା ଅନ୍ୟ ଜଣକୁ ଆଣିଲେ ସହଦେବଙ୍କୁ ଛଡାଯିବ ବୋଲି ପୁଲିସ କହିଥିଲା। ଏହା ପରେ ସଂଘ ପକ୍ଷରୁ ଅନ୍ୟ ଜଣକୁ ଆଣି ପୁଲିସକୁ ହସ୍ତାନ୍ତର କରାଯାଇଥିଲା। ଅଟକ ଥିବା ସୁନୀଲ କୁମାର ଖରା, ସୋମନାଥ ନାଗ ଓ ପି.ବଂଶୀଙ୍କୁ ଡାକ୍ତରୀ ମାଇନା ପାଇଁ ନେବା ସହ କୋର୍ଟ ଚାଲାଣ କରିବାକୁ ପୁଲିସ ଯୋଜନା କରୁଥିବା ବେଳେ ମହାସଂଘ କର୍ମକର୍ତ୍ତା ଥାନାର ବାଟ ଓଗାଳିଥିଲେ। ମାମଲା ରୁଜୁ ନକରି ତିନି ଜଣଙ୍କୁ ନ ଛାଡ଼ିବା ପର୍ଯ୍ୟନ୍ତ ହଟିବେ ନାହିଁ ବୋଲି ଜିଦ୍ ଧରିଥିଲେ। ଏସଡିପିଓ ହରିଶ ବି.ସି, ଟାଉନଥାନା ଅଧିକାରୀ ସମ୍ବିତ କୁମାର ବେହେରା, ସଦରଥାନା ଅଧିକାରୀ ଈଶ୍ବର ତାଣ୍ଡି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ସଙ୍ଘ ସଭାପତି ଅବଦୁଲି ଜିଲାନୀ, ଉପଦେଷ୍ଟା ଗଣେଷ ପଣ୍ଡା, ଆଇନ ଉପଦେଷ୍ଟା ତେଜେଶ୍ବର ପଣ୍ଡା ଆଦିଙ୍କ ସହ ପୁଲିସ ଆଲୋଚନା କରିଥିଲା। ଆନ୍ଦୋଳନକାରୀ ପରେ ହାଲୋ ଜୟପୁର ସମ୍ମୁଖକୁ ଯିବା ସହ ସେଠାରେ ଦିନ ତମାମ ରହିଥିଲେ। ପୁଲିସ ସୁନୀଲ, ସୋମନାଥ, ପି.ବଂଶୀଙ୍କୁ କୋର୍ଟକୁ ଚାଳାଣ କରିଥିଲା।

ସୂଚନାଯୋଗ୍ୟ, ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନକୁ ଘରୋଇ ବସ କର୍ମଚାରୀ ସଂଘ ସମର୍ଥନ କରୁ ନଥିବା ପୂର୍ବରୁ ଜଣାଇଥିଲେ। ଗତ କାଲି ଅପରାହ୍ଣରେ କୋରାପୁଟରୁ ଜୟପୁର ଆସି ପୁଣି କୋରାପୁଟ ଆଡକୁ ଯାଉଥିବା ଯୀଶୁ ବସକୁ ହୋଟେଲ ହାଲୋ ଜୟପୁର ନିକଟରେ ଆନ୍ଦୋଳନକାରୀ ଅଟକାଇଥିଲେ। ବସ ଭିତରେ ପଶି ଜଣେ ଆନ୍ଦୋଳନକାରୀ ଚାଳକଙ୍କ ମୁଣ୍ଡକୀ ମାଡ ମାରିଥିଲେ। ଚାଳକ ସାହିଲ କୁମାର ଦାଶଙ୍କୁ ଜୋରଜବରଦସ୍ତ ତଳକୁ ଓହ୍ଲାଇ ଫୁଳମାଳ ପିନ୍ଧାଇବାକୁ ଯାଇଥିଲେ। ଚାଳକ ଏହାର ବିରୋଧ କରିଥିଲେ। ଏ ସମୟରେ ତାଙ୍କୁ ଠେଲା ପେଲା ବି କରାଯାଇଥିଲା। ଏହାର ଭିଡିଓ ଭାଇରାଲ ପରେ ପୁଲିସ ୩ ଜଣଙ୍କୁ ଉଠାଇ ଆଣିଥିଲା। ଅନ୍ୟପକ୍ଷରେ, ବସ୍‌ ଚାଳକ ଆନ୍ଦୋଳନକାରୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ଓ ଅସଭ୍ୟ ଭାଷାରେ ସଂଘ ବି‌ରୋଧରେ ଗାଳି ଗୁଳଜ କରିଥିବା ଅଭିଯୋଗ ହୋଇଥିଲା।

ଜୟପୁର ମୋଟର କର୍ମଚାରୀ ସଂଘ ସଭାପତି ଅବଦୁଲ ଜିଲାନୀ ଓ ଉପଦେଷ୍ଟା ଶ୍ରୀ ପଣ୍ଡା କହିଛନ୍ତି, ଶାନ୍ତିଶୃଙ୍ଖଳା ସହ ଆନ୍ଦୋଳନ ଚାଲିଛି। ପୁଲିସ ଆମ ପ୍ରତି ଅନ୍ୟାୟ କରି ଆମର ତିନି ଜଣଙ୍କୁ ଛାଡିଦେବାକୁ କହି କୋର୍ଟକୁ ଚାଲାଣ କରିବା ନ୍ୟାୟ ସଙ୍ଗତ ନୁହେଁ। ଉଭୟ ପକ୍ଷର ଏତଲାକୁ ଭିତ୍ତିକରି ୨ଟି ମାମଲା ରୁଜୁ କରାଯାଇଛି ବୋଲି କହିଛନ୍ତି ଏସଡିପିଓ।

ସମ୍ବନ୍ଧିତ ଖବର