କେବଳ ନାଁକୁ ମାତ୍ର ଡିଜିଙ୍କ ନିର୍ଦ୍ଦେଶ! ପୁଲିସ୍‌ କରୁଛନ୍ତି ୧୮ରୁ ୨୦ ଘଣ୍ଟା ଡ୍ୟୁଟିି

କଟକ : ଲକ୍‌ଡାଉନ ସମୟରେ ପ୍ରତ୍ୟେକ ପୁଲିସ ଅଫିସର ଓ କର୍ମଚାରୀ ସର୍ବାଧିକ ୮ ଘଣ୍ଟା ଡ୍ୟୁଟି କରିବେ। ଧାର୍ଯ୍ୟ ସମୟଠାରୁ ଅଧିକ ଏମାନଙ୍କୁ ଡ୍ୟୁଟିରେ ନିୟୋଜିତ କରାଯିବନାହିଁ। ସପ୍ତାହକୁ ଗୋଟିଏ ଦିନ ଛୁଟି ମିଳିବ। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଜିଲ୍ଲା ଏସପି/ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏହି ନିର୍ଦ୍ଦେଶ କିଭଳି କାର୍ଯ୍ୟକାରୀ ହେବ, ତାହା ଏସ୍‌ପି ଏବଂ ଡିସିପି ନିଜେ ବୁଝି ପାରୁନାହାନ୍ତି।

ଲକ୍‌ଡାଉନ୍‌ କଟକଣା କଡ଼ାକଡ଼ିି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ପୁଲିସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। କ୍ବାରାଣ୍ଟିନ ନିୟମ ସହିତ ଲକ୍‌ଡାଉନ୍‌ କଟକଣା ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପୁଲିସ ଡିଜି ଅଭୟ ଗଲା ୨୯ ତାରିଖରେ ଜିଲ୍ଲା ଓ୍ବାରି ଏସପି/ଡିସିପିଙ୍କ ସହିତ ଭିଡିଓ କନଫରେନ୍ସିଂରେ ଏ ପ୍ରସଂଗରେ ଆଲୋଚନା କରିଥିଲେ। ସେହି ସମୟରେ ପୁଲିସ ଅଫିସର ଓ କର୍ମଚାରୀଙ୍କ ପାଇଁ ଡ୍ୟୁଟି ସଂକ୍ରାନ୍ତ ଏକ ମାର୍ଗଦର୍ଶିକା ଜାରି କରିଥିଲେ। ନିଜ ଜିଲ୍ଲାର ପୁଲିସ ମୁଖ୍ୟ ଉଭୟ ସହର ଓ ସଡ଼କରେ ମୁତୟନ ହୋଇଥିବା ପୁଲିସ ଅଫିସର ଓ କର୍ମଚାରୀଙ୍କ କାର୍ଯ୍ୟର ପୁଣିଥରେ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସମସ୍ତ ପୁଲିସ ଅଫିସର ଓ କର୍ମଚାରୀଙ୍କୁ ସପ୍ତାହକୁ ଗୋଟିଏ ଦିନ ଛୁଟି ଏବଂ ୮ ଘଣ୍ଟିଆ ଡ୍ୟୁଟି ସୁନିଶ୍ଚିତ କରିବାକୁ ଡିଜି ନିର୍ଦ୍ଦେଶ ଦେଇଥିବାବେଳେ ଏବେ ଭିନ୍ନ ଚିତ୍ର ସାମନାକୁ ଆସିଛି। ଅଫିସରମାନେ ୮ ଘଣ୍ଟା ବଦଳରେ ଦୈନିକ ପାଖାପାଖି ୧୮ରୁ ୨୦ ଘଣ୍ଟା ଡ୍ୟୁଟିରେ ନିୟୋଜିତ ହେଉଛନ୍ତି। ଉପାନ୍ତ ଜିଲ୍ଲାଗୁଡ଼ିକରେ ସ୍ଥିତି ଆହୁରି ସଂଗିନ। ତେଣୁ ଡିଜିଙ୍କ ନିର୍ଦ୍ଦେଶ ଏଯାଏ କାର୍ଯ୍ୟକାରୀ ହେଉନଥିବା ପୁଲିସ ଅଧିକାରୀମାନେ ସିଧାସଳଖ ଅଭିଯୋଗ ଉଠାଇଛନ୍ତି।

ପୁଲିସ ବିଭାଗରୁ ମିଳିଥିବା ତଥ୍ୟ ମୁତାବକ, ରାଜ୍ୟରେ ଏବେ ୨୫ ଶହ ପୁଲିସ ଅଫିସର ଅଛନ୍ତି। ୬ ହଜାର ପୁଲିସ କର୍ମଚାରୀ ପଦବି ଖାଲି ପଡ଼ିଛି। ଓଡ଼ିଶା ପୁଲିସରେ ଏବେ ଏଏସଆଇଙ୍କ ମଞ୍ଜୁରି ପଦବି ସଂଖ୍ୟା ୬ ହଜାର ଥିବାବେଳେ ୧୨ ଶହ ପଦବି ଖାଲି ପଡ଼ିଛି। ସେହିପରି ଏସ୍ଆଇ ପଦବି ୨ ହଜାର ଥିବାବେଳେ ୮୫୦ଟି ଖାଲି ପଡ଼ିଛି। ଇନସ୍ପେକ୍ଟର ୨ ହଜାର ପଦବି ଥିବାବେଳେ ୧୫୦ ଖାଲି ଏବଂ ଡିଏସପି ୮୦୦ ପଦବି ଥିବା ବେଳେ ୩୦୦ ଖାଲି ପଡ଼ିଛି। ଉଭୟ କନେଷ୍ବବଳ ଓ ହାବିଲଦାରଙ୍କ ମଞ୍ଜୁରିପ୍ରାପ୍ତ ପଦବି ସଂଖ୍ୟା ୫୩ ହଜାର ଥିବା ବେଳେ ଏବେ ପାଖାପାଖି ୬ ହଜାର ଖାଲି ପଡ଼ିଛି। କନେଷ୍ବବଳରୁ ଏଏସ୍ଆଇ ଦୁଇ ବର୍ଷ ହେବ ୧୨ ଶହ ପଦୋନ୍ନତି ଅଟକି ରହିଛି। କୌଣସି ବୋର୍ଡ ବସିନାହିଁ।

ବ୍ୟୁରୋ ଅଫ୍ ପୁଲିସ ରିସର୍ଚ୍ଚ ଆଣ଼୍ଡ ଡେଭଲପମେଣ୍ଟ(ବିପିଆରଡି)ର ସର୍ଭେ ଅନୁଯାୟୀ, ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠାରେ ପୁଲିସ ସର୍ବାଧିକ ୧୮ ଘଣ୍ଟା ଡ୍ୟୁଟି କରୁଛି। ଓଡ଼ିଶାରେ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ୯୮ ଟି ପୁଲିସ ପଦବି ମଞ୍ଜୁରୀ ମିଳିଛି। ସେଥିରୁ ପୁଣି ୧୫ ପ୍ରତିଶତ ପଦବି ଖାଲି ପଡ଼ିଛି। ଅର୍ଥାତ ଏକ ଲକ୍ଷ ଜନସଂଖ୍ୟାରେ ପାଖାପାଖି ୮୪ ଜଣ ପୁଲିସ ଅଫିସର ଓଡ଼ିଶାରେ କାର୍ଯ୍ୟ କରୁଛନ୍ତି। କିନ୍ତୁ ବର୍ତ୍ତମାନ ଯେଉଁ ସ୍ଥିତି‌ ସୃଷ୍ଟି ହୋଇଛି, ସେଥିରେ ପୁଲିସ ଅଧିକାରୀ ଅଥବା କର୍ମଚାରୀଙ୍କ ଡ୍ୟୁଟି ୮ ଘଣ୍ଟା ମଧ୍ୟରେ ସୀମିତ ନରଖିଲେ, ସେମାନଙ୍କର ଉଭୟ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନ ପ୍ରଭାବିତ ହେବାର ଆଶଙ୍କା ରହିଛି।

ପୂର୍ବତନ ପୁଲିସ ଡିଜି ବିପିନ ବିହାରୀ ମିଶ୍ରଙ୍କ କହିବା ଅନୁଯାୟୀ, ଓଡ଼ିଶା ପୁଲିସ ଏଭଳି ଢଙ୍ଗରେ ଅଧିକ ଦିନ କାମ କଲେ ମାନସିକ ଚାପ ବୃଦ୍ଧି ପାଇବ। ଅନେକ ସମୟରେ ଅଫିସରମାନେ ଚାପଗ୍ରସ୍ତ ହୋଇ ଧୈର୍ଯ୍ୟହରା ହୋଇଯାଉଛନ୍ତି। ଏହାର ପ୍ରଭାବ ସାଧାରଣଲୋକଙ୍କ ଉପରେ ପଡ଼ୁଛି। ବାଧ୍ୟ ହୋଇ ପୁଲିସ ମାତ୍ରାଧିକ କାର୍ଯ୍ୟ କରୁଥିବା ଭଳି ଘଟଣା ମଧ୍ୟ ସାମନାକୁ ଆସୁଛି।

ସମ୍ବନ୍ଧିତ ଖବର