ସୀମା ଲଙ୍ଘିଲା ଖାକିର ବର୍ବରତା : ବୃଦ୍ଧା ଚା’ ଦୋକାନୀଙ୍କ ଦେହରେ ତତଲା ଚା’ ଢାଳିଦେଲେ ମଦ୍ୟପ ପୁଲିସ କର୍ମଚାରୀ

କୋରାପୁଟ: ସୀମା ଲଙ୍ଘିଲା ଖାକି ବାବୁଙ୍କ ବର୍ବରତା । ଚା’ ଦେବାରେ ବିଳମ୍ବ ହେବାରୁ ବୃଦ୍ଧା ଚା’ ଦୋକାନୀଙ୍କ ଦେହରେ ଗରମ ଚା’ ଢାଳି ଦେଲେ ମଦ୍ୟପ ପୁଲିସ କର୍ମଚାରୀ । କୋରାପୁଟ ଜିଲ୍ଲା ଦାମନଯୋଡ଼ିରେ ଘଟିଛି ଏହି ଅମାନବୀୟ ଘଟଣା । ଦାମନଯୋଡ଼ି ଥାନାର ହାବିଲଦାର ସାରଥୀ ହୋତା ଆଜି ସକାଳେ ଚା’ ଦୋକାନକୁ ଚା’ ପିଇବାକୁ ଯାଇଥିଲେ ।

ହେଲେ ଦୋକାନରେ ଥିବା ବୃଦ୍ଧା ଚା’ ଦେବାରେ ବିଳମ୍ବ କରିବାରୁ ରାଗି ଯାଇଥିଲେ ସାରଥୀ ହୋତା । ଆଉ ଚା’କୁ ବୃଦ୍ଧାଙ୍କ ପିଠିରେ ଢାଳି ଦେଇଥିବା ଅଭିଯୋଗ ହୋଇଛି । ଗରମ ଚା’ ପଡ଼ିବାରୁ ବୃଦ୍ଧାଙ୍କ ପିଠିରୁ ଛାଲ ଉତୁରି ଯାଇଛି । ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

ପୀଡ଼ିତା ବୃଦ୍ଧାଙ୍କ କହିବା ମୁତାବକ, ମୁଁ ୨-୩ଜଣଙ୍କୁ ଚା’ ଦେଉଥିବା ବେଳେ ମୋ ପଛପଟୁ ପୁଲିସ ବାବୁ ଆସି ମୋ ଦେହରେ ଚା’ ଢ଼ାଳି ଦେଲେ। ତେବେ ଗୁରୁତର ଥିବା ବୃଦ୍ଧାଙ୍କର ଏବେ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ନେଇ ସୂଚନା ମିଳିଛି।

ସମ୍ବନ୍ଧିତ ଖବର