ଢେଙ୍କାନାଳ: ଚୋରି, ରାହାଜାନି, ଡକାୟତି ସହିତ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଥିବା କାମାକ୍ଷାନଗର ‘କିଙ୍ଗ୍ ଅଫ୍ ଫରେଷ୍ଟ୍’ ଗ୍ୟାଙ୍ଗ୍ର କୁଖ୍ୟାତ ଅପରାଧୀ ଦେବାଶିଷ ବେହେରା ଓରଫ୍ ହଣ୍ଡକୁ ଆଜି ପୁଲିସ ଏନ୍କାଉଣ୍ଟର୍ କରିଛି। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର କଇଁଆଗଡ଼ାଣି ସାଉଁଳିଆ ଜଙ୍ଗଲ ନିକଟରେ ଭୋର୍ରୁ ପୁଲିସ ଏହି ଏନ୍କାଉଣ୍ଟର୍ କରିଥିଲା। ପୁଲିସ ଉପରକୁ ଗୁଳି ଚଳାଇବା ପାଇଁ ଉଦ୍ୟମ କରୁଥିବା ବେଳେ ପୁଲିସର ପାଲଟା ଗୁଳିରେ ଆହତ ହୋଇଛି ଦେବାଶିଷ। ତାକୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ କଟକ ସ୍ଥାନାନ୍ତର କରାଯାଇଛି। ତେବେ ଦେବାଶିଷର ସହଯୋଗୀ ଲିପୁନ ସାସମଲ ଚମ୍ପଟ ମାରିଛି।
ପୁଲିସ ସୂଚନା ଅନୁଯାୟୀ, କାମାକ୍ଷାନଗର ଗୋରୁହାଟକୁ ଦେବାଶିଷ ବେହେରାର ବାପା ଗତବର୍ଷ ଦେଢ଼ ଲକ୍ଷ ଟଙ୍କାରେ ନିଲାମ ନେଇଥିଲେ। ଚଳିତବର୍ଷ ‘କିଙ୍ଗ୍ ଅଫ୍ ଫରେଷ୍ଟ’ ଗ୍ୟାଙ୍ଗ୍ର ସୁବାସ ଖୁଣ୍ଟିଆର ବାପା ଏହାକୁ ୭ ଲକ୍ଷ ଟଙ୍କାରେ ନିଲାମ ନେଇଛନ୍ତି। ଗୋରୁହାଟ ନିଲାମକୁ ନେଇ ଦେବାଶିଷ ଓ ସୁବାସ ପରସ୍ପରର ବିରୋଧୀ ହୋଇ ଯାଇଥିଲେ।
ଗତ ୨୨ ତାରିଖରେ ଦେବାଶିଷ, ଲିପୁନ ଓ କଟକର ୨ସହଯୋଗୀ କଟକଠାରେ ସୁବାସକୁ ରାସ୍ତାରୁ ହଟାଇବା ଲାଗି ଯୋଜନା କରିଥିଲେ। ସଦର ଥାନା ପୁଲିସ କୌଣସି ସୂତ୍ରରୁ ଖବର ପାଇ ଦେବାଶିଷ ଉପରେ ନଜର ରଖିଥିଲା। ସଦର ଥାନା ଅନ୍ତର୍ଗତ କାଙ୍କଡ଼ପାଳଠାରେ ଗତକାଲି ରାତିରେ ଏହି ୪ ଜଣ ଏକାଠି ହୋଇ ମଦ ପିଉଥିଲେ। ରାତି ୨ଟା ବେଳେ ପୁଲିସ ସେଠାରେ ଚଢ଼ଉ କରିଥିଲା। ପୁଲିସକୁ ଦେଖି କଟକର ୨ ଜଣ ସହଯୋଗୀ ତରଭା ଆଡ଼େ ପଳାଇଥିବା ବେଳେ ଦେବାଶିଷ ଓ ଲିପୁନ ଅନ୍ୟ ଏକ ବାଇକ୍ରେ ମଙ୍ଗଳପୁର ଅଭିମୁଖେ ପଳାଇଥିଲେ। ପୁଲିସ ପିଛା କରୁଥିବା ବେଳେ ମଙ୍ଗଳପୁର କଇଁଆଗଡ଼ାଣି ସାଉଁଳିଆ ଜଙ୍ଗଲରେ ପଛରେ ବସିଥିବା ଦେବାଶିଷ ବାଇକ୍ରୁ ଖସି ପଡ଼ିଥିଲା ଏବଂ ଲିପୁନ ଫେରାର୍ ହୋଇ ଯାଇଥିଲା। ପୁଲିସ ଦେବାଶିଷକୁ ଆତ୍ମସମର୍ପଣ ପାଇଁ କହିବାରୁ ସେ ପୁଲିସ ଉପରକୁ ଗୁଳିମାଡ଼ କରିଥିଲା। ପୁଲିସ ପାଲଟା ଗୁଳି ଚଳାଇବାରୁ ଦେବାଶିଷର ଡାହାଣ ଗୋଡ଼ ଆଣ୍ଠୁରେ ଗୁଳି ବାଜିଥିଲା। ଆହତ ଅବସ୍ଥାରେ ତାକୁ ଭୋର୍ ୫ଟାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି। ଦେବାଶିଷଠାରୁ ପୁଲିସ ଗୋଟିଏ ଦେଶୀ ବନ୍ଧୁକ ଓ ଗୁଳି ଜବତ କରିଥିବା ବେଳେ ଗୋଟିଏ ଖୋକା ମଧ୍ୟ ମିଳିଛି। ଚଢ଼ଉରେ ସଦର ଥାନା ଅଧିକାରୀ ପ୍ରିୟବ୍ରତ ଦାସ, ଟାଉନ ଥାନା ଅଧିକାରୀ ପ୍ରଭାତ ସାହୁ, ଭାପୁର ଫାଣ୍ଡି ଅଧିକାରୀ ପ୍ରଦୀପ ପାତ୍ର, ଇନ୍ସ୍ପେକ୍ଟର ଜିତେନ୍ଦ୍ର ମଲ୍ଲିକ ପ୍ରମୁଖ ସାମିଲ ଥିଲେ। ପ୍ରକାଶଥାଉକି, ‘କିଙ୍ଗ୍ ଅଫ୍ ଫରେଷ୍ଟ’ ଗ୍ୟାଙ୍ଗ୍ର ମୁଖ୍ୟ କାର୍ପଟଦାର ରାକେଶ ନାଥର ମୁଖ୍ୟ ସହଯୋଗୀ ହେଉଛି ଦେବାଶିଷ। ତା’ ନାଁରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଥାନାରେ ୧୮ଟି ମାମଲା ରହିଛି। ସଦର ଥାନାରେ ଗୁଳିଚାଳନା, ଅପହରଣ ଭଳି ୨ଟି ମାମଲାରେ ଦେବାଶିଷ ମୋଷ୍ଟ ୱାଣ୍ଟେଡ୍ ଲିଷ୍ଟରେ ଥିଲା। ଏହି ଗ୍ୟାଙ୍ଗ୍ରେ ୩୦ରୁ ଅଧିକ ସଦସ୍ୟ ଥିବା ବେଳେ ଗ୍ୟାଙ୍ଗ୍ର ମୁଖ୍ୟ ରାକେଶ ନାଥ ଏବେ ଚୌଦ୍ୱାର ଜେଲରେ ଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/25/AKSmhVg57yaLrFBlxYGw.jpg)