ତାଳଚେର: ଅନୁଗୁଳଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ତାଳବେଡ଼ା ଜଙ୍ଗଲରେ ବୁଧବାର ରାତିରେ ପୁଲିସ୍ ଏନ୍କାଉଣ୍ଟରରେ କୁଖ୍ୟାତ ଅପରାଧୀ ଝାମୁ ଓରଫ ସୁଶାନ୍ତ ନାଏକ ଗୁରୁତର ଆହତ ହୋଇଛି। ସୁଶାନ୍ତକୁ ପ୍ରଥମେ ତାଳଚେର ଉପଖଣ୍ଡ ଚିକିତ୍ସାଳୟ ଓ ପରେ ଅନୁଗୁଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁଶାନ୍ତର ସହଯୋଗୀ ପ୍ରଫୁଲ୍ଲ ନାଏକକୁ ମଧ୍ୟ ପୁଲିସ ଧରିବାରେ ସଫଳ ହୋଇଛି।
୫ଟି ଜିଲ୍ଲାରେ ରହିଛି ଅପରାଧର ସାମ୍ରାଜ୍ୟ
ବିଭିନ୍ନ ଥାନାରେ ୩୦ରୁ ଅଧିକ ମାମଲା
କୁଖ୍ୟାତ ଅପରାଧୀ ସୁଶାନ୍ତ ନାଏକ ୨୦୧୮ ମସିହାରୁ ବିଭିନ୍ନ ଅପରାଧରେ ଜଡ଼ିତ ଥିଲେ ମଧ୍ୟ ପୁଲିସ୍ ପଞ୍ଝାରେ ପଡ଼ୁନଥିଲା। ଚଳିତବର୍ଷ ଜାନୁଆରିରେ ତାଳଚେର ଥାନା ଅନ୍ତର୍ଗତ ଅଙ୍ଗାରୁଆ ଶନିବାର ସାପ୍ତାହିକ ହାଟ ପଡ଼ିଆରେ ଡକାୟତି ଯୋଜନା କରୁଥିବା ସମୟରେ ପୁଲିସ୍ର ସ୍ବତନ୍ତ୍ର ସ୍କ୍ବାଡ୍ ସୁଶାନ୍ତକୁ ଧରିବାକୁ ଉଦ୍ୟମ କରିଥିଲା। କିନ୍ତୁ ସୁଶାନ୍ତ ଗୁଳି ଫୁଟାଇ ଖସି ପଳାଇବାକୁ ସମର୍ଥ ହୋଇଥିଲା। ଗତକାଲି ରାତିରେ ସୁଶାନ୍ତ ଓ ପ୍ରଫୁଲ୍ଲ ତାଳବେଡ଼ା ଜଙ୍ଗଲରେ ଥିବାବେଳେ ତାଳଚେର ପୁଲିସ୍ ଓ ସ୍ବତନ୍ତ୍ର ସ୍କ୍ବାଡ୍ ଚଢ଼ଉ କରିଥିଲେ। ଏହି ସମୟରେ ସୁଶାନ୍ତ ପ୍ରଥମେ ୨ରାଉଣ୍ଡ ଗୁଳି ଫୁଟାଇ ଖସିଯିବାକୁ ଉଦ୍ୟମ କରିଥିଲା। ପୁଲିସ ମଧ୍ୟ ଏକ ରାଉଣ୍ଡ ଫାଙ୍କା ଗୁଳିଚାଳନା କରି ଆତ୍ମସମର୍ପଣ କରିବାକୁ କହିଥିଲା। ତେବେ ସୁଶାନ୍ତ ପୁଣି ଗୁଳି ଚଳାଇବାରୁ ପୁଲିସ ପକ୍ଷରୁ ଜବାବ ଦିଆଯାଇଥିଲା। ଫଳରେ ଗୋଟିଏ ଗୁଳି ସୁଶାନ୍ତର ବାମ ଗୋଡ଼ରେ ବାଜିଥିଲା। ସୁଶାନ୍ତକୁ ପୁଲିସ ଗୁରୁତର ଅବସ୍ଥାରେ ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ଏବଂ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ସୁଶାନ୍ତ ଅନୁଗୁଳ, ଯାଜପୁର, ଦେବଗଡ଼, ଢେଙ୍କାନାଳ ଓ କେନ୍ଦୁଝର ଆଦି ୫ଟି ଜିଲ୍ଲାରେ ଅପରାଧ ସମ୍ରାଜ୍ୟ ବିସ୍ତାର କରିଥିଲା। ଏହି ୫ଟି ଜିଲ୍ଲାର କାରାଗାରରେ ଥିବା କୁଖ୍ୟାତ ଅପରାଧୀମାନଙ୍କୁ ଜାମିନ୍ରେ ଆଣିବା ସହ ସେମାନଙ୍କ ରହିବା ପାଇଁ ଘର ଓ ମାସିକ ଦରମା ପ୍ରଦାନ କରୁଥିଲା। ସେମାନଙ୍କ ଜରିଆରେ ଡକାୟତି ଓ ରାହାଜାନି ଭଳି ଅପରାଧ ଘଟାଉଥିଲା। ସୁଶାନ୍ତ ନାମରେ ୩୦ରୁ ଅଧିକ ଆପରାଧିକ ମାମଲା ଓ ୮ରୁ ଅଧିକ ଜାମିନବିହୀନ ଗିରଫ ପରୱାନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/04/dTDsz5IXO87QYGfN4cwf.jpg)