ମହଙ୍ଗା ପଡ଼ିଲା ବିଧାୟକଙ୍କ ପୂଜାରୀର ହେଲ୍‌‌ମେଟ୍ ଚେକିଂ

ରାତିଅଧିଆ ବଦଳି‌ଲେ ଥାନା ଏଏସ୍ଆଇ!

ବଅଁରପାଳ: ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କ ପୂଜାରୀଙ୍କ ହେଲ୍‌ମେଟ୍ ଚେକିଂ କରି ଜରିମାନା ଆଦାୟ ଘଟଣା ଜଣେ ପୁଲିସ୍‌ ଏଏସ୍‌ଆଇଙ୍କ ପାଇଁ ମହଙ୍ଗା ପଡ଼ିଛି। ତାଙ୍କୁ ରାତିଅଧିଆ ବଦଳି କରାଯାଇଛି। ତେବେ, ଏହି କାରଣ ପାଇଁ ତାଙ୍କୁ ବଦଳି କରାଯାଇନାହିଁ ବିଧାୟକ ଶ୍ରୀ ସିଂହ ତାଙ୍କ ପ୍ରତିକ୍ରିୟାରେ ସ୍ପଷ୍ଟ କରିଛନ୍ତି। ସୂଚନା ଅନୁଯାୟୀ, ତିନି ସପ୍ତାହ ତଳେ ଏସ୍‌ପିଙ୍କ ନିର୍ଦେଶକ୍ରମେ ବଅଁରପାଳ ଥାନା ଏଏସଆଇ ଭଗବାନ ସାହୁ ୫୫ ନମ୍ବର ଜାତୀୟ ରାଜପଥର ସନ୍ତ୍ରୀ ଛକରେ ହେଲ୍‌ମେଟ୍‌ ଯାଞ୍ଚ କରୁଥିଲେ। ସେହି ସମୟରେ ବିନା ହେଲ‌୍‌ମେଟ୍‌ରେ ଯାଉଥିବା ବିଧାୟକଙ୍କ ପୂଜାରୀ ତାଙ୍କ ହାବୁଡ଼ରେ ପଡ଼ିଥିଲେ। ପୂଜାରୀ ଜଣକ ପୁଲିସ୍‌ କବଳରୁ ବର୍ତ୍ତିବା ପାଇଁ କାହା ସହ କଥାହେବା ସହିତ ଏଏସ୍‌ଆଇ ଶ୍ରୀ ସାହୁଙ୍କୁ ଫୋନ୍‌ ଦେଇଥିଲେ। କିନ୍ତୁ ଶ୍ରୀ ସାହୁ କଥା ହେବାକୁ ମନା କରିଦେଇଥିଲେ। ଏହା ପରେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଶ୍ରୀ ସାହୁଙ୍କ ମୋବାଇଲ ନମ୍ବରକୁ ଫୋନ୍‌ କରିଥିଲେ। ହେଲେ ସେ ତାଙ୍କ ଫୋନ୍‌ ‌ଉଠାଇ ନଥିଲେ।

ଏହି ଘଟଣାର ଦୁଇଦିନ ପରେ ଏଏସ୍‌ଆଇ ଶ୍ରୀ ସାହୁଙ୍କୁ ନାଲ୍‌କୋନଗରକୁ ବଦଳି କରାଯାଇଛି। ତାଙ୍କ ବଦଳି ପଛରେ ଏହି ଘଟଣା ଏକ କାରଣ ବୋଲି ଚର୍ଚ୍ଚା ହେଉଛି। ମାତ୍ର, ଏହାକୁ ଖଣ୍ଡନ କରିଛନ୍ତି ବିଧାୟକ ଶ୍ରୀ ସିଂହ। ସେ କହିଛନ୍ତି ଯେ, ଘଟଣା ସମୟରେ ପୂଜାରୀ ତାଙ୍କୁ ଫୋନ୍‌ କରିଥିଲେ। ସବୁକଥା ଶୁଣିବା ପରେ ୧୦୦ ଟଙ୍କା ଜରିମାନା ଦେଇ ସେଠାରୁ ଆସିବା ପାଇଁ ପୂଜାରୀଙ୍କୁ କହିଥିଲି। କିନ୍ତୁ ଏଥିପାଇଁ ସଂପୃକ୍ତ ଏଏସ୍ଆଇଙ୍କ ବଦଳି ହୋଇନାହିଁ। ତାଙ୍କ ବିରୋଧରେ ବହୁତ ଦୁର୍ନୀତି ଓ ଚେକି˚ ଟଙ୍କା ହେର‌୍‌ଫେର‌୍‌ ଅଭିଯୋଗ ଥିବାରୁ ବଦଳି ହେଲା ବୋଲି ବିଧାୟକ ସେ କହିଛନ୍ତି। ଅପରପକ୍ଷରେ ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କୁ ପଚାରିବାରୁ ସେ ଏ ସଂକ୍ରାନ୍ତରେ କିଛି ଜାଣିନଥିବା କହିଛନ୍ତି।

ସମ୍ବନ୍ଧିତ ଖବର