ନାବାଳିକା ଦୁଷ୍କର୍ମ ଘଟଣା: ଶହେ ଦିନ ପରେ ମଧ୍ୟ ଅଭିଯୁକ୍ତକୁ ଧରିବାରେ ପୁଲିସ ବିଫଳ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ଥାନା ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ନନ୍ଦଗିରି ଗ୍ରାମର ଜଣେ ନାବାଳିକାକୁ ଦୁଷ୍କର୍ମ ହେବାର ଇତି ମଧ୍ୟରେ ଶହେ ଦିନ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତକୁ ଧରିବାରେ ପୁଲିସ ବିଫଳ ହୋଇଥିବା ଅଭିଯୋଗ କରି ପୀଡିତାଙ୍କ ପରିବାର ଏବଂ ସାହିଭାଇ ଆଜି ଘୁ.ଉଦୟଗିରି ଥାନାରେ ପହଂଚି ଅଧିକାରୀଙ୍କୁ ପ୍ରଶ୍ନ କରିଛନ୍ତି। ଆମେ ନ୍ୟାୟ ପାଇବା ପାଇଁ କେତେ ଦିନ ଥାନାକୁ ଦୌଡ଼ିବୁ ଆମ ଝିଅକୁ କେବେ ନ୍ୟାୟ ମିଳିବ ଆପଣମାନେ ଅଭିଯୁକ୍ତକୁ ଧରିପାରିବେ ନା ନାହିଁ କୁହନ୍ତୁ ବୋଲି ପଚାରିଛନ୍ତି।  ଯଦି ଧରିପାରିବେ ନାହିଁ ତାହାହେଲେ ଆମକୁ କହି ଦିଅନ୍ତୁ ଆମେ ଉପରକୁ ଯିବୁ। ଏହିଭଳି ଅନେକ ପ୍ରଶ୍ନ ଏବଂ ଅଭିଯୋଗ ନେଇ ଆଜି ପୀଡିତାର ପରିବାର ଲୋକ ସ୍ଥାନୀୟ ଥାନାରେ ଦୀର୍ଘ ସମୟ ହୋହାଲ୍କା କରିଥିବା ଦେଖିବାକୁ ମିଳିଥିଲା।

ପ୍ରାପ୍ତ ସୂଚନାନୁସାରେ ଗନ ଜାନୁଆରି ୫ ତାରିଖ ରାତି ପ୍ରାୟ ୧୨ ଟା ସମୟରେ ନନ୍ଦଗିରି ଗ୍ରାମରର ଜଣେ ନାବାଳିକା ନିଜ ଘର ସମ୍ମୁଖରେ ପରିସ୍ରା ନିମନ୍ତେ ଯାଇଥିବା ବେଳେ ପଡ଼ିଶା ଘରର ଜଣେ ୪୦ ବର୍ଷୀୟ ବିବାହିତ ଯୁବକ ନାବାଳିକାଙ୍କୁ ବଳପୂର୍ବକ ଉଠାଇ ନେଇଥିଲା। କିଛି ନିଶା ଦ୍ରବ୍ୟ ସୁଙ୍ଘେଇ କିଛି ଦୂରକୁ ନେଇଯିବା ସହ ଦୁଷ୍କର୍ମ କରିଥିବା ନେଇ ପୀଡ଼ିତାଙ୍କ ପରିବାର ତରଫରୁ ଥାନାରେ ଏତଲା ଦିଆଯାଇଥିଲା। ଝିଅ ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକୋ ଖୋଜା ଖୋଜି କରିବା ବେଳେ ଅନ୍ୟ ଏକ ଘର ପଛ ପଟରୁ ନିଜ ଝିଅକୁ ଉଦ୍ଧାର କରିଥିଲେ। ଘରକୁ ଯାଇ ଝିଅ ଘଟଣା ବିଷୟରେ ନିଜ ବାପା ମାଁ ଙ୍କୁ କହିଥିଲେ। ଏହାପରେ ସାହି ପଡିଶା ଲୋକ ଘଟଣା ବିଷୟରେ ଜାଣିବା ପରେ ସେ ବିଷୟ ନେଇ ପରିବାର ଲୋକେ ଥାନାରେ ଜଣେଇଥିଲେ ଓ ଲିଖିତ ଏତଲା ଦେବା ପରେ ସ୍ଥାନୀୟ ପୁଲିସ ଅଭିଯୁକ୍ତଙ୍କୁ ଖୋଜାଖୋଜି କରିଥିଲା। କିନ୍ତୁ ଅଭିଯୁକ୍ତ ଫେରାର ଥିବାରୁ ଗିରଫ ହୋଇନଥିବା ସୂଚନା ଦେଇଥିଲା ।

ସମ୍ବନ୍ଧିତ ଖବର