ଈଶ୍ୱର ବେହେରା ତଦନ୍ତରେ ପୁଲିସ ବିଫଳ!

କଟକ : ଚାନ୍ଦିପୁର ଆଇଟିଆରରୁ ୬ ବର୍ଷ ତଳେ ଗିରଫ ହୋଇଥିବା ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଏଜେଣ୍ଟ ଈଶ୍ବର ବେହେରାର କଲିକତାରେ ଥିବା ପାକିସ୍ତାନର ହ୍ୟାଣ୍ଡଲର ନିକଟରେ ବର୍ତ୍ତମାନ ସୁଦ୍ଧା ପହଞ୍ଚି ପାରିନାହିଁ ପୁଲିସ। ପୁଲିସର ଏଭଳି ବିଫଳତା ପୁଣିଥରେ ତଥ୍ୟ ଲିକ୍ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଥିଲା ବୋଲି ସ୍ପଷ୍ଟ ହେଉଛି।

୨୦୦୭ରୁ ଆଇଟିଆରରେ କାମ କରିଆସୁଥିବା ଈଶ୍ବର ୨୦୧୫ ଜାନୁଆରି ୨୩ ତାରିଖରେ ଗିରଫ ପରେ ଆବୁଧାବି, ମୁମ୍ବାଇ, ଆନ୍ଧ୍ରପ୍ରଦେଶ, ବିହାର, ମିରଟରୁ ତା’ ନିକଟରୁ ଇଣ୍ଟରନେଟ୍ ବ୍ୟାଙ୍କିଂ ଯୋଗେ ଟଙ୍କା ଆସିଥିବା ପ୍ରମାଣ ଲାଗିଥିଲା। ଏମିତିକି ଈଶ୍ବର ଆଇଟିଆରର କ୍ଷେପଣାସ୍ତ୍ର ଘାଟିରୁ କ୍ଷେପଣାସ୍ତ୍ର ଲଞ୍ଚ ହେବାର ସମୟ ଏବଂ ପରୀକ୍ଷା ହେବାକୁ ଥିବା କ୍ଷେପଣାସ୍ତ୍ରର ତାରିଖ ସହିତ ଘାଟିର ଫଟୋ ଓ ଭିଡିଓ କଲିକତାରେ ଥିବା ହ୍ୟାଣ୍ଡଲରଙ୍କୁ ଦେଇଥିବା ପୁଲିସ ନିକଟରେ ପ୍ରମାଣ ବି ଥିଲା। ଈଶ୍ବର ପ୍ରାୟ ୧୦ ଥର କଲିକତାରେ ହ୍ୟାଣ୍ଡଲରକୁ ଭେଟିବାକୁ ଯାଇଥିବା ବି ପ୍ରମାଣ ସେହି ସମୟରେ ପୁଲିସ ନିକଟରେ ଥିବା ସତ୍ତ୍ବେ ଏହି ମାମଲାରେ ଉଭୟ ଏନଆଇଏ ଓ ଓଡ଼ିଶା ପୁଲିସ ପାକିସ୍ତାନୀ ଆଇଏସଆଇ ଲିଙ୍କକୁ ସମ୍ପୂର୍ଣ୍ଣ ଅଣଦେଖା କରିଦେଲେ। ଦେଶ ଭିତରୁ ପ୍ରାୟ ୫ଟି କିସ୍ତିରେ ଟଙ୍କା ଈଶ୍ବର ନିକଟକୁ ଆସିଥିବାରୁ ଗୋଟିଏ କଥା ସ୍ପଷ୍ଟ ଯେ ଭାରତର ଏକାଧିକ ରାଜ୍ୟରେ ପାକିସ୍ତାନୀ ହ୍ୟାଣ୍ଡଲର୍ ସକ୍ରିୟ ଅଛନ୍ତି। ପୁଲିସ କେବଳ ଈଶ୍ବରକୁ ଜେଲ୍ ପଠାଇ ମାମଲାକୁ ଏକ ପ୍ରକାର ବନ୍ଦ କରିଦେଲା। ଯାହାର ଫଳସ୍ବରୂପ ସମାନ ଘଟଣା ସେହି ଆଇଟିଆରରେ ମାତ୍ର ୬ ବର୍ଷ ବ୍ୟବଧାନରେ ଘଟିବା କୁହାଯାଉଛି।

ସମ୍ବନ୍ଧିତ ଖବର