ହଜିଗଲା ଆର୍‌ପି ଶର୍ମାଙ୍କ ସୁପାରିସ! ସ୍ବାସ୍ଥ୍ୟବୀମାରୁ ବଂଚିତ ୨. ୮୦ ଲକ୍ଷ ପୁଲିସ ପରିବାର

କଟକ : ରାଜ୍ୟରେ କାର୍ଯ୍ୟରତ ୯୦ ହଜାର ପୁଲିସ କର୍ମଚାରୀ ଓ ସେମାନଙ୍କ ପରିବାର ସ୍ବାସ୍ଥ୍ୟବୀମାରୁ ବଞ୍ଚିତ। ପ୍ରତି ପୁଲିସ ପରିବାରର ହାରାହାରି ଭାବେ ୪ ଜଣଙ୍କୁ ମିଶାଇ ମୋଟ୍‌ ୨ ଲକ୍ଷ ୮୦ ହଜାର ଜଣଙ୍କ ପାଇଁ ସ୍ବାସ୍ଥ୍ୟବୀମା ଯୋଜନା ହୋଇଥିଲା। ପରିବାର ପିଛା ୫ ଲକ୍ଷ ଟଙ୍କା ଲେଖାଏ ସ୍ବାସ୍ଥ୍ୟବୀମା କରିବାକୁ ପୂର୍ବତନ ପୁଲିସ ଡିଜି ଡାକ୍ତର ଆର.ପି.ଶର୍ମା ରାଜ୍ୟ ସରକାରଙ୍କୁ ଏକ ରିପୋର୍ଟ ଦେଇଥିଲେ। ମହାରାଷ୍ଟ୍ର ଢାଞ୍ଚାରେ ଏହି ସ୍ବାସ୍ଥ୍ୟବୀମା ପ୍ରଦାନ କରିବାକୁ ଏକ କମିଟି ବି ଓଡ଼ିଶା ପୁଲିସ ଗଠନ କରିଥିଲା। ‌ ୫ ବର୍ଷ ହେଲା ଏ‌ହା କାର୍ଯ୍ୟକାରୀ ତ ‌ହୋଇପାରିନି, ଆର. ପି. ଶର୍ମାଙ୍କ ସୁପାରିସ ଏବେ ହଜିଯାଇଥିବା ବି ସନ୍ଦେହ କରାଯାଉଛି।

୨୦୧୮ମସିହାରେ ପୁଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ କାର୍ଯ୍ୟକାଳ ସମୟରେ ରାଜ୍ୟରେ ସିପାହୀଙ୍କଠାରୁ ପୁଲିସ ଡିଜିପିଙ୍କ ଯାଏ ସମସ୍ତଙ୍କୁ ସ୍ବାସ୍ଥ୍ୟବୀମା ଅନ୍ତର୍ଭୁକ୍ତ କରିବାକୁ ଯୋଜନା ହୋଇଥିଲା। ସେତେବେଳେ ରାଜ୍ୟରେ ବାଟାଲିୟନ ଓ ଜିଲ୍ଲା ପୁଲିସକୁ ମିଶାଇ ମୋଟ୍‌ ୭୨ ହଜାର ପୁଲିସ କର୍ମଚାରୀ ଥିଲେ। ଏବେ ଏହି ସଂଖ୍ୟା ୯୦ ହଜାର ଛୁଇଁଲାଣି। ରାଜ୍ୟରେ ପ୍ରତି ପୁଲିସ କର୍ମଚାରୀଙ୍କ ସମେତ ତାଙ୍କ ପତ୍ନୀ ଓ ସର୍ବାଧିକ ଦୁଇ ସନ୍ତାନଙ୍କୁ ମିଶାଇ ପରିବାର ପିଛା ୫ ଲକ୍ଷ ଟଙ୍କା ଲେଖାଏ ସ୍ବାସ୍ଥ୍ୟବୀମା ସୁବିଧା ଦେବାକୁ ରାଜ୍ୟ ସରକାରଙ୍କୁ ଡାକ୍ତର ଶର୍ମା ପ୍ରସ୍ତାବ ଦେଇଥିଲେ। ମହାରାଷ୍ଟ୍ରରେ ଢାଞ୍ଚାରେ ଏହାକୁ କାର୍ଯ୍ୟକାରୀ କରିବାକୁ ଯୋଜନା କରାଯିବା ସହିତ ତତ୍କାଳୀନ ମୁମ୍ବାଇ ପୁଲିସ କମିସନର ଅରୂପ ପଟ୍ଟନାକଙ୍କ ସହିତ ଏ ସମ୍ପର୍କରେ ଓଡ଼ିଶା ପୁଲିସର ଶୀର୍ଷସ୍ତରର ଅଧିକାରୀ ଆଲୋଚନା କରିଥିଲେ। ମହାରାଷ୍ଟ୍ର ପୁଲିସ ଓ ବୀମାସଂସ୍ଥାର ଏକ ଟିମ୍ ଭୁବନେଶ୍ବର ସ୍ପେଶାଲ ଆର୍ମଡ ଫୋର୍ସ(ଏସଏପି) କାର୍ଯ୍ୟାଳୟକୁ ଆସି ଡାକ୍ତର ଶର୍ମାଙ୍କ ସହ ଆଲୋଚନା କରିଥିଲେ। ପୁଲିସ ସଂଘର କର୍ମକର୍ତ୍ତା ବି ଏଥିରେ ସାମିଲ୍‌ ହୋଇଥିଲେ।

ଏହାପରେ, ବୀମା ପ୍ରସଙ୍ଗରେ ଏକ କମିଟି ଗଠନ କରାଯାଇଥିଲା। ତତ୍କାଳୀନ ଏସ୍‌ଏପି ଏଡିଜି ମନୋଜ ଛାବ୍ରାଙ୍କୁ କମିଟିର ଅଧ୍ୟକ୍ଷ କରାଯାଇଥିଲା। କମିଟି ଅନୁଧ୍ୟାନ କରି ଏକ ରିପୋର୍ଟ ଡିଜିଙ୍କୁ ଦେଇଥିଲେ। ଡିଜି ଏହି ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରିଥିଲେ। କଟକ ପୁଲିସ ମୁଖ୍ୟାଳୟର ୱେଲ୍‌ଫେୟାର୍‌ ସେକ୍ସନ ଏହାକୁ ତଦାରଖ କରୁଥିଲା। ଏହି ସ୍ବାସ୍ଥ୍ୟ ବୀମାରେ ଉଭୟ ପୁଲିସ ଓ ରାଜ୍ୟ ସରକାରଙ୍କ ଭାଗିଦାରୀ ରହିବା ନେଇ ପୁଲିସ କର୍ମଚାରୀମାନେ ପ୍ରସ୍ତାବ ଦେଇଥିଲେ। କେତେ ଟଙ୍କାର ବୀମା କିସ୍ତି ଦେଲେ କେତେ ସ୍ବାସ୍ଥ୍ୟ ବୀମା ବାବଦ ଅର୍ଥ ମିଳିବ, ସେ ନେଇ ବୀମା ସଂସ୍ଥା ଏକ ରିପୋର୍ଟ ବି କରିଥିଲେ। ମାତ୍ର , କେଉଁ ଅଦୃଶ୍ୟ କାରଣ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେଲା ନାହିଁ, ତାହା ରହସ୍ୟ ହୋଇ ରହିଯାଇଛି।

କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ଓ ସେମାନଙ୍କ ପରିବାରକୁ କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ୍‌ କରିଥିବା ବେଳେ ସେହିଢାଞ୍ଚାରେ ଓଡ଼ିଶାରେ ବିଜୁ ସ୍ବାସ୍ଥ୍ୟ ଯୋଜନାରେ କିମ୍ବା କୌଣସି ନଗଦବିହୀନ ଅର୍ଥ ବୀମା(କ୍ୟାସଲେସ୍) ଯୋଜନାରେ ପୁଲିସ କର୍ମଚାରୀଙ୍କୁ ସାମିଲ୍‌ ପାଇଁ ଉଠିଥିବା ଦାବି କିନ୍ତୁ ସରକାରୀ ସ୍ତରରେ ଚାପି ଦିଆଯାଇଛି।

ସମ୍ବନ୍ଧିତ ଖବର