ଭୁବନେଶ୍ବର: ରାଜଧାନୀରେ ଚାଷୀଙ୍କ ରଣହୁଙ୍କାର। ସାଧାରଣ ନିର୍ବାଚନ-୨୦୨୪ ପରେ ନବନିର୍ମାଣ କୃଷକ ସଙ୍ଗଠନ ଆଜି ନିଜର ଶକ୍ତିପ୍ରଦର୍ଶନ କରିଛି। ବିଧାନସଭା ଚାଲିଥିବା ସମୟରେ ହଜାର ହଜାର ପୁଲିସ ମୁତୟନ ସତ୍ତ୍ବେ ଶତାଧିକ ଚାଷୀ ଆଜି ଲୋକସେବା ଭବନମୁହାଁ ହୋଇଥିଲେ। ଶେଷ ମୁହୂର୍ତ୍ତରେ ଚାଷୀମାନଙ୍କୁ ଅଟକାଇବାରେ ପୁଲିସ ସଫଳ ହୋଇଥିଲେ ମଧ୍ୟ ଧସ୍ତାଧସ୍ତିରେ ୮ରୁ ଅଧିକ ଚାଷୀ ଆହତ ହୋଇଛନ୍ତି। ଦୁଇ ଜଣ ପୁଲିସ କର୍ମଚାରୀ ଆନ୍ଦୋଳନକାରୀଙ୍କ ଆକ୍ରୋଶର ଶିକାର ହୋଇ କାମୁଡ଼ା ଖାଇଛନ୍ତି। ଅଧ ଘଣ୍ଟା ମଧ୍ୟରେ ଚାଷୀଙ୍କ ଏଭଳି ଆନ୍ଦୋଳନ ଏବେ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ ସମବାୟ ସମ୍ପାଦକ, ମଣ୍ଡି ଦଲାଲ, ମିଲର ମିଳିତ ଭାବେ ଚାଷୀଙ୍କ ଧାନ ଉପରୁ କ୍ବିଣ୍ଟାଲ୍ ପିଛା ୫ରୁ ୧୦ କେଜି କାଟି ନେଉଥିବା ଅଭିଯୋଗରେ ନବନିର୍ମାଣ କୃଷକ ସଙ୍ଗଠନ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଅନଶନରେ ବସିଛନ୍ତି। କ୍ରମାଗତ ୨୪ ଦିନ ଧରି ଅନଶନରେ ବସିବା ପରେ ମଧ୍ୟ ରାଜ୍ୟ ସରକାରଙ୍କର ଜଣେ ବି ହେଲେ ମନ୍ତ୍ରୀ କିମ୍ବା ଅଫିସର ଆଲୋଚନା ପାଇଁ ଆସି ନ ଥିଲେ। ଫଳରେ ଶତାଧିକ ଚାଷୀ ଆଜି ସକାଳୁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବାକୁ ପଦଯାତ୍ରାରେ ବାହାରିଥିଲେ। ପଦଯାତ୍ରା ଆରମ୍ଭ ପୂର୍ବରୁ ସଙ୍ଗଠନର ଯୁବଛାତ୍ର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀଙ୍କୁ ପୁଲିସ ଉଠାଇ ନେଇଥିଲା। ସଙ୍ଗଠନ ସଦସ୍ୟମାନେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ବିଧାନସଭା ଅଭିମୁଖେ ବାହାରିଥିଲେ।
ଚାଷୀମାନେ ଯେପରି ଲୋୟର୍ ପିଏମ୍ଜି ଆଡ଼କୁ ଆଗ୍ରସର ହେବେ ନାହିଁ ସେଥିପାଇଁ ନବନିର୍ମାଣ ରାଜ୍ୟ କାର୍ଯ୍ୟାଳୟ ଚାରିପାଖରେ ବ୍ୟାରିକେଡ୍ କରିଥିଲା। ମାତ୍ର ଚାଷୀମାନେ ତାହାକୁ ଡେଇଁ ମାଷ୍ଟରକ୍ୟାଣ୍ଟିନ୍ ଛକରେ ପହଞ୍ଚିଥିଲେ। ଚାଷୀଙ୍କୁ ଅବରୋଧ କରିବାକୁ ସମସ୍ତ କୌଶଳ ଅବଲମ୍ବନ କରାଯାଇଥିଲେ ମଧ୍ୟ ଚାଷୀମାନେ ବିଭିନ୍ନ ଗଳି ରାସ୍ତା ଦେଇ ବିଧାନସଭା ଆଡ଼କୁ ମୁହାଁଇଥିଲେ। ଶତାଧିକ ଚାଷୀ ଆଇଜି ପାର୍କ ନିକଟରେ ପହଞ୍ଚିବା ସହ ଲୋକସେବା ଭବନ ଆଡ଼କୁ ଯିବାକୁ ଉଦ୍ୟମ କରିଥିଲେ। ଏତେ ସଂଖ୍ୟକ ଚାଷୀଙ୍କୁ ଦେଖି ପୁଲିସ ମଧ୍ୟ ହଡ଼ବଡ଼େଇ ଯାଇଥିଲା। କେଉଁ ରାସ୍ତା ବନ୍ଦ କରିବ ଓ କେଉଁଟା ଖୋଲା ରଖିବ ତାହା ଜାଣିପାରି ନ ଥିଲେ। ଆଗକୁ ବଢ଼ିବା ସମୟରେ ପୁଲିସ ଓ ଚାଷୀଙ୍କ ମଧ୍ୟରେ ପାଖାପାଖି ୩୦ ମିନିଟ୍ ଧରି ଧସ୍ତାଧସ୍ତି ହୋଇଥିଲା। ଯେଉଁଥିରେ ଅକ୍ଷୟ କୁମାର ଓ ଢେଙ୍କାନାଳ ପ୍ରଭାରୀ ଅଶ୍ବନୀ ଜେନା ଅସୁସ୍ଥ ହୋଇପଡ଼ିବାରୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅନ୍ୟ ଆନ୍ଦୋଳନକାରୀମାନଙ୍କୁ ପୁଲିସ ଜୋରଜବରଦସ୍ତ ଉଠାଇ ନେଇଥିଲା। ପରେ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଅକ୍ଷୟ କୁମାର ଫଳ ରସ ପିଇ ଅନଶନ ଭାଙ୍ଗିଥିଲେ। ସେପଟେ ଆନ୍ଦୋଳନକୁ ସମର୍ଥନ ଜଣାଇ ବିଜେଡିର ଏକ ପ୍ରତିନିଧି ଦଳ ଆଜି ଅକ୍ଷୟ କୁମାରଙ୍କୁ ସାକ୍ଷାତ କରିଛନ୍ତି। ଆଜିର ବିକ୍ଷୋଭରେ ନବନିର୍ମାଣ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ରାଜ୍ୟ ସହସଂଯୋଜକ ଉମାକାନ୍ତ ଭାରତ, ରାଜ୍ୟ କମିଟି ସଦସ୍ୟ ରଣଜିତ ପଟ୍ଟନାୟକ, ବିଳାସୀନ ମାହାନ୍ତ, ଖଗେଶ୍ବର ମାହାନ୍ତ, ରାଇମଣୀ ବିଶ୍ବାଳ, ଜତି ପ୍ରଧାନ, ପ୍ରସନ୍ନ ପ୍ରଧାନ, ଦେବୀ ପ୍ରସାଦ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।