ଜୟପୁର: ଚୋରି ସୁନା ପାଇବା ପରେ ଲୁଟର ଶିକାର ହୋଇଥିବା ଦୁଇ ମହିଳା ଜୟପୁର ଟାଉନ୍ ଥାନା ପୁଲିସକୁ ସାଧୁବାଦ ଜଣାଇଛନ୍ତି। ଏଥିସହ ଥାନାରେ ପହଞ୍ଚି ଥାନା ଅଧିକାରୀ ସମ୍ବିତ କୁମାର ବେହେରା ଏବଂ ତଦନ୍ତକାରୀ ଅଧିକାରୀ ସଞ୍ଜୀବ ମହାନ୍ତିଙ୍କୁ ଫୁଲତୋଡ଼ା ଓ ମିଠା ଦେଇ ସମ୍ବର୍ଦ୍ଧିତ କରିଛନ୍ତି।
ଚଳିତ ମାସ ୭ ତାରିଖରେ ଜୟପୁର ଟାଉନ୍ ଥାନା ଅନ୍ତର୍ଗତ ଜୟନଗର ପାଇକ ସାହିର ରଶ୍ମି ଦୁବେ ବିଦ୍ୟାଳୟରୁ ଘରକୁ ଫେରୁଥିବା ବେଳେ ରାସ୍ତାରେ ଦୁର୍ବୃତ୍ତମାନେ ତାଙ୍କର ବେକରୁ ସୁନା ଚେନ୍ ଓ ମଙ୍ଗଳସୂତ୍ର ଝାମ୍ପି ନେଇଯାଇଥିଲେ।
ଏହି ମାମଲାରେ ପୁଲିସ ତଦନ୍ତ କରି ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ଚୋରି ସୁନା ଜବତ କରିଥିଲା। ରଶ୍ମି ଦୁବେ କହିବା ହେଲା ସେ ବିଦ୍ୟାଳୟରୁ ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କର ବେକରୁ ଦୁଇଟି ସୁନା ଚେନ୍ ଝାମ୍ପି ନେଇଯାଇଥିଲେ। ସେ ଧରିବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ସଫଳ ହୋଇପାରିନଥିଲେ। ସ୍ଥାନୀୟ ଲୋକେ ଦେଖୁଥିଲେ ମଧ୍ୟ କେହି ସହଯୋଗ ପାଇଁ ଆସିନଥିଲେ। ଶିକ୍ଷକତା କରି ଯେଉଁ ଟଙ୍କା ପାଇଥିଲି ସୁନା ଚେନ୍ ଓ ମଙ୍ଗଳସୂତ୍ର କରିଥିଲି। ତାହାକୁ ଲୁଟେରା ନେଇଯାଇଥିବା ବେଳେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲି। ଏନେଇ ଜୟପୁର ଟାଉନ୍ ଥାନାରେ ଅଭିଯୋଗ ଦେବା ପେରେ ପୁଲିସ ମାନବିକତା ଦେଖାଇବା ସହ ଧୈର୍ଯ୍ୟ ଦେଇଥିଲା ବୋଲି କହିଛନ୍ତି ରଶ୍ମି କୁମାରୀ ଦୁବେ। ଲୁଟ୍ ହୋଇଯାଇଥିବା ସୁନା ଚେନ୍ ଓ ମଙ୍ଗଳସୁତ୍ର ପାଇବା ପରେ ଟାଉନ୍ ଥାନା ପରିସରରେ କାନ୍ଦି ପକାଇଛନ୍ତି ରଶ୍ମି। ପୁଲିସ ପାଇଁ ଆଜି ୪୪ ଗ୍ରାମର ଦୁଇଟି ସୁନା ଚେନ୍ ପାଇଥିବା ସେ ପ୍ରକାଶ କରିଛନ୍ତି। ଅଳଙ୍କାର ପାଇବା ପରେ ସେ ଟାଉନ୍ ଥାନା ଅଧିକାରୀ ସମ୍ବିତ କୁମାର ବେହେରା ଓ ତଦନ୍ତକାରୀ ଅଧିକାରୀ ସଞ୍ଜୀବ ମହାନ୍ତିଙ୍କୁ ଫୁଲତୋଡ଼ା ଓ ମିଠା ଦେଇ ଶୁଭେଚ୍ଛା ଜଣାଇଛନ୍ତି। ଏଥିରେ ୧ ନମ୍ବର ୱାର୍ଡର କାଉନସିଲର ଗୋପୀନାଥ ମହାନ୍ତି ସହଯୋଗ କରିଥିବା ସେ କହିଛନ୍ତି।
ସେହିପରି ଲୁଟର ଶିକାର ହୋଇଥିବା ଅନ୍ୟ ଜଣେ ଅଭିଯୋଗକାରିଣୀ ରୀତା ପଣ୍ଡାଙ୍କୁ ମଧ୍ୟ ଚୋରି ଯାଇଥିବା ସୁନା ମୁଦି ଓ ମୋବାଇଲ ପ୍ରଦାନ କରିଛି ପୁଲିସ। ରୀତା କହିବାନୁଯାୟୀ, ସ୍ବାମୀ ଗୁମୁଡ଼ାରେ ଶିକ୍ଷକତା କରୁଥିବା ଯୋଗୁଁ ସେଠାରେ ରହୁଛନ୍ତି। ଗତ ୬ ତାରିଖ ଦିନ ପିଲାମାନେ ସ୍କୁଲ ଯିବା ପରେ ଘରେ ତାଲା ପକାଇ ପ୍ରସାଦରାଓ ପେଟାରେ ଥିବା ବାପା ଘରକୁ ଯାଇଥିଲେ। ଆସିବା ବେଳକୁ ଘର ତାଲା ଭାଙ୍ଗି ଆଲମିରାରୁ ସୁନା ମୁଦି, ଲକେଟ, ମୋବାଇଲ ଓ ଟଙ୍କା ଚୋରି ହୋଇଯାଇଥିଲା। ଘରେ ଏକୁଟିଆ ମହିଳା ହୋଇଥିବାରୁ ଥାନାକୁ ଆସିବାକୁ ଭୟ କରୁଥିଲି। ପଡ଼ୋଶୀ ସାହାଯ୍ୟରେ ଥାନାକୁ ଆସି ଅଭିଯୋଗ କରିଥିଲି। ତଦନ୍ତକାରୀ ଅଧିକାରୀ ଏସ୍ଆଇ ମନୀଷା ସାହୁ ବହୁ ସହଯୋଗ କରିବା ସହ ସାହସ ଦେଇଥିଲେ। ଚୋରି ହୋଇଥିବା ମୁଦି ସ୍ବାମୀଙ୍କର ୨୦ ବର୍ଷର ତଳର ହୋଇଥିବା ବେଳେ ତାକୁ ପାଇ ସେ ଖୁସି ହୋଇଥିବା ରୀତାରାଣୀ ପ୍ରକାଶ କରିଛନ୍ତି। ରୀତା ମଧ୍ୟ ପୁଲିସକୁ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଇଛନ୍ତି