ଦୁଷ୍କର୍ମ ପରେ ହତ୍ୟା! : ମାସେ ପରେ ଅପମୃତ୍ୟୁ ମାମଲା

ଭୁବନେଶ୍ୱର : ବେବିନା, ଇତିଶ୍ରୀ, ମାଧବୀ ଲତା ଓ ସୋନାଲୀ କାଣ୍ଡି ଭଳି ସମ୍ବେଦନଶୀଳ ଘଟଣାକୁ ନେଇ ପୁରୀ ଜିଲ୍ଲା ପୁଲିସ ଚର୍ଚ୍ଚାରେ ରହିଥିବା ବେଳେ ଆହୁରି ଏକ ଚାଞ୍ଚଲ୍ୟକର ଘଟଣା ପଦାକୁ ଆସିଛି। ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ବ୍ରହ୍ମଗିରି ଥାନାରେ ଅଭିଯୋଗ ହୋଇଛି। ଘଟଣାର ମାସକ ପରେ ବ୍ରହ୍ମଗିରି ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତକା ଦଳିତବର୍ଗର ହୋଇଥିବାରୁ ମାମଲାକୁ ଚାପି ଦେବାପାଇଁ ପୁଲିସ ପ୍ରାଣପଣେ ଉଦ୍ୟମ କରିଛି। ମୃତ ମହିଳାଙ୍କ ମୁଣ୍ଡରେ ଗଭୀର କ୍ଷତ ଥିବା ବେଳେ ଶରୀର ବିଭିନ୍ନ ସ୍ଥାନରୋ କ୍ଷତ ଚିହ୍ନ ରହିଥିଲା। ତେବେ ପୁଲିସ ମାସେ ପରେ କାହିଁକି ଅପମୃତ୍ୟୁ ମାମଲା ରୁଜୁ କଲା ସେ ନେଇ ପ୍ରଶ୍ନ ଉଠିଛି। ଅନ୍ୟପଟେ ମାସେ କାଳ ଧରି ବ୍ୟବଚ୍ଛେଦ ରିପୋର୍ଟ ପୁଲିସ ପାଇ ନଥିବା କହିଛି। ଶବ ପାର୍ଶ୍ବରୁ ଜଣେ ଯୁବକଙ୍କୁ ନିଶାସକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ହେଲେ ସମ୍ପୃକ୍ତ ଯୁବକଙ୍କୁ ପୁଲିସ ପଚରା ଉଚରରା ପରେ ଛାଡ଼ି ଦେଇଥିବାରୁ ସନ୍ଦେହ ବଢ଼ିଛି। ସମ୍ପୃକ୍ତ ଯୁବକ ଜଣେ ନେତାଙ୍କ ଛତ୍ର ଛାୟା ତ‌ଳେ ରହିଥିବାରୁ ପୁଲିସ ଚାପରେ ପଡ଼ି ଏପରି କରିଥିବା ଜାତୀୟ ଦଳିତ, ଆଦିବାସୀ, ସଂଖ୍ୟାଲଘୁ ମହାସଂଘ ଅଭିଯୋଗ କରିଛି। ଆଜି କେଶରୀ ହୋଟେଲ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ହେବା ସହ ଆଗକୁ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି ସଂଘ।

ଅଭିଯୋଗ ମୁତାବକ, ଡିସେମ୍ବର ୧୦ ତାରିଖ ଦିନ ସମ୍ପୃକ୍ତ ମହିଳା ବାସନ ଧୋଇବା ପାଇଁ ବାଡ଼ିପଟକୁ ଯାଇଥିବା ବେଳେ ଆଉ ଫେରି ନଥିଲେ। ୧୦ ତାରିଖ ଦିନ ସାତପଡ଼ା ଫାଣ୍ଡିରେ ଏକ ନିଖୋଜ ଏତଲା ଦିଆଯାଇଥିଲା। ହେଲେ ପୁଲିସ ଏହାକୁ ଗୁରୁତର ସହ ନେଇ ନଥିଲା। ୧୧ ତାରିଖ ଦିନ ଘରଠାରୁ ୪ କିଲୋମିଟର ଦୂରରେ ମହିଳାଙ୍କର କ୍ଷତବିକ୍ଷତ ଶବ ମିଳିଥିଲା। ପିନ୍ଧାବସ୍ତ୍ର ଚିରା ଯାଇଥିବା ବେଳେ ଅର୍ଦ୍ଧନଗ୍ନ ଅବସ୍ଥାରେ ଶବକୁ ପୁଲିସ ଜବତ କରିଥିଲା। ଶବ ନିକଟରେ ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ପଡ଼ିଥିଲେ। ନିକଟରୁ ଏକ ବାଇକ୍‌ ମଧ୍ୟ ଉଦ୍ଧାର କରାଯାଇଥିଲା। ପୁଲିସ ତଦନ୍ତ କରିବା ଆଳରେ ଶବ ଜବତ କରିବା ସହ ଅନ୍ୟାନ୍ୟ ପାରିପାର୍ଶ୍ବକ ଅବସ୍ଥାକୁ ରେକର୍ଡ କରି ଚାଲି ଯାଇଥିଲା। ହେଲେ ଥାନାକୁ ଯାଇ ପଟ୍ଟ ପରିବର୍ତ୍ତନ କରିଥିଲା। ଅଭିଯୋଗକାରୀ କମ୍‌ପାଠ ପଢ଼ିଥିବାରୁ ଜଣେ ଅଧିକାରୀ ଏତଲା ଡାକିଥିଲେ, ଅଭିଯୋଗକାରୀ ଲେଖିଥିଲା। ସେଥିରେ ହତ୍ୟା କିମ୍ବା ଦୁଷ୍କର୍ମ ସମ୍ବନ୍ଧରେ ଗୋଟିଏ ଶବ୍ଦ ନଥିଲା। ଏହାକୁ ବିରୋଧ କରିବାରୁ ପାଣ୍ଡି ଅଧିକାରୀ ଗାଳିଗୁଲଜ କରିଥିଲେ। ଏହା ପରେ ମାମଲା ଚପି ଯାଇଥିଲା। ଦୀର୍ଘ ଦିନ ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ବସି ଯାଇଛି। ପାଲଟା ଅଭିଯୋଗରେ ଅଭିଯୋଗକାରୀଙ୍କୁ ବାନ୍ଧିବା ପାଇଁ ଯୋଜନା ଥିବାରୁ ଅଭିଯୋଗକାରୀ ବିପଦରେ ପଡ଼ିଛି। ପୁରୀ ଏସ୍‌ପି ମଧ୍ୟ ଏ ନେଇ ନିରବ ବୋଲି ସଂଘ ଅଭିଯୋଗ କରିଛି।

ସମ୍ବନ୍ଧିତ ଖବର