ଫସଲ ନଷ୍ଟ କରି ଘର ଭାଙ୍ଗିଲେ, ତହସିଲଦାରଙ୍କ ନାମରେ ଏତଲା

କାହା ଜାଗା ତାକୁ ନେଇ ଦ୍ୱନ୍ଦ୍ୱ

ଟାଙ୍ଗୀ : ଟାଙ୍ଗୀ ଥାନା କୟଥପଲାର ଜଣେ ବ୍ୟକ୍ତିଙ୍କ ସ୍ବତ୍ବ ଜାଗାରୁ ଘର ଭାଙ୍ଗିବା ଓ ଫସଲ ନଷ୍ଟ କରିବା ନେଇ ଟାଙ୍ଗୀ ତହସିଲଦାରଙ୍କ ବିରୋଧରେ ଟାଙ୍ଗୀ ଥାନା କୁହୁଡ଼ି ଫାଣ୍ତିରେ ଅଭିଯୋଗ ହୋଇଛି।

ଗତକାଲି କୟଥପଲା ଗ୍ରାମର ପୂର୍ଣ୍ଣଚନ୍ଦ୍ର ଗୁମାନସିଂହ ଅଭିଯୋଗ କରିଛନ୍ତି ଯେ ତାଙ୍କର ଅଂଶୀଦାର କୟଥପଲା ଗ୍ରାମର ଉପେନ୍ଦ୍ର ଗୁମାନସଂହ, ହାଡ଼ୁ ଗୁମାନସିଂହ, ଅଶୋକ ଗୁମାନସିଂହ, ଗିରିଧାରୀ ଗୁମାନସିଂହ ମିଳିତଭାବେ ସେମାନଙ୍କ ପିତାଙ୍କ ନାମରେ ରେକର୍ଡଭୁକ୍ତ ଜାଗାରେ ଦୀର୍ଘ ୫ବର୍ଷ ହେଲା ରବି ଫସଲ କରି ସେମାନଙ୍କର ପରିବାର ଚଳାଉଥିଲେ। ଏପରିକି ଫସଲ ଦେଖାଶୁଣା ପାଇଁ ସେ ଦୁଇ ବଖରା ଆଜ୍‌ବେଷ୍ଟସ୍‌ ଘର ମଧ୍ୟ ନିର୍ମାଣ କରିଥିଲେ। ଗତ ୧୪ ତାରିଖ ଦିନ ୧୨ଟା ବେଳେ କେତେକ ଅଚିହ୍ନା ବ୍ୟକ୍ତି ଘରେଥିବା ମହିଳାମାନଙ୍କୁ ବଳପୂର୍ବକ ବାହାର କରିଦେଇ ଏକ ଜେସିବିରେ ସେହି ଘର ଭାଙ୍ଗି ଦେଇଥିଲେ ଓ ପର୍ଯ୍ୟାପ୍ତ ପରିମାଣର ରବି ଫସଲ ନଷ୍ଟ କରିଦେଇଥିଲେ। ଗତ ୧୫ ତାରିଖରେ ପୂର୍ଣ୍ଣଚନ୍ଦ୍ର ନିଜର ଅଂଶୀଦାରମାନଙ୍କ ସହ ତହସିଲଦାରଙ୍କୁ ଘରଭଙ୍ଗା ସଂପର୍କରେ ଲିଖିତ ଭାବେ ଜଣାଇବା ସମୟରେ ସାଙ୍ଗରେ ଆସିଥିବା ମହିଳାମାନେ ଟାଙ୍ଗୀ ତହସିଲଦାର ଅଶ୍ବିନୀ କୁମାର ଦାସଙ୍କୁ ଚିହ୍ନିପାରିଥିଲେ। ତେଣୁ ତହସିଲଦାର ଶ୍ରୀ ଦାସ ବେଆଇନ ଭାବେ ରେକର୍ଡଭୁକ୍ତ ଯାଗାରୁ ସେମାନଙ୍କୁ ଉଚ୍ଛେଦ କରିଥିବା ନେଇ ଶ୍ରୀ ଗୁମାନସିଂହ ଥାନାରେ ଅଭିଯୋଗ କରିଛନ୍ତି।

ଏ ସମ୍ପର୍କରେ ଟାଙ୍ଗୀ ଥାନା ଅଧିକାରୀ ସରୋଜ ଉପାଧ୍ୟାୟ ଙ୍କୁପଚାରିବାରୁ ଅଭିଯୋଗ ହୋଇଛି ଏବଂ ଘଟଣାର ତଦନ୍ତ ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଏ ସମ୍ପର୍କରେ ତହସିଲ୍‌ଦାର ଶ୍ରୀ ଦାସଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଯେଉଁ ସ୍ଥାନରୁ ଉଚ୍ଛେଦ ହୋଇଛି, ତାହା ସମ୍ପୂର୍ଣ୍ଣଭାବେ ସରକାରୀ ଜମି। ରାଜସ୍ବ ନିରୀକ୍ଷକଙ୍କ ରିପୋର୍ଟ ଭିତ୍ତିରେ ସେଠାରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ତେବେ ଘଟଣା ସମ୍ପର୍କରେ ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଏପରି ଏକ ଅଭିଯୋଗ ଫାଣ୍ଡିରେ ହୋଇଛି। ପ୍ରକୃତରେ ଏହି ଜାଗା ରେକର୍ଡଭୁକ୍ତ କିମ୍ବା ସରକାରୀ ଜମି, ତାହା ମାପଚୁପ ହେବା ପରେ ଜଣାପଡ଼ିବ। ମାପଚୁପ ପରେ ଏ ନେଇ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ସମ୍ବନ୍ଧିତ ଖବର