ଯାଜପୁର: ବିଭିନ୍ନ ପଞ୍ଚାୟତରେ ପୁଲିସର ଫ୍ଲାଗ ମାର୍ଚ୍ଚ

ଆଇନଶୃଙ୍ଖଳା ଭଙ୍ଗକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ଚେତାବନୀ

ଯାଜପୁରସଦର : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଯାଜପୁର ପୁଲିସ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି। ଯାଜପୁର ଥାନା ଅଧୀନରେ ଥିବା ପଞ୍ଚାୟତଗୁଡ଼ିକରେ ରାଜନୈତିକ କାରଣରୁ ସାମାନ୍ୟ ଗଣ୍ଡଗୋଳ ହେଉଥିବା ଯାଜପୁର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇଲା ପରେ ଯାଜପୁର ଥାନା ଅଧିକାରୀ ଅଜୟ କୁମାର ଜେନା ଘଟଣାକୁ ତଦନ୍ତ କରି ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ନୋଟିସରେ ଛାଡୁଥିବା ଦେଖିବାକୁ ମିଳିଛି। ଗୁରୁତର ଅଭିଯୋଗ ହେଲେ ମାମଲା କରାଯାଇ କୋର୍ଟଚାଲାଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ପଞ୍ଚାୟତରେ ଆଇନଶୃଙ୍ଖଳାକୁ ସୁଧାରିବା ପାଇଁ ପୁଲିସ ପକ୍ଷରୁ ଯାଜପୁର ଥାନା ଅଧିକାରୀ ଅଜୟ କୁମାର ଜେନାଙ୍କ ନେତୃତ୍ୱରେ ବିଚିତ୍ରପୁର ପଞ୍ଚାୟତ, ଅକରପଡ଼ା, ତଳିହା, ରାହାସୋଇ, ମାର୍କଣ୍ଡପୁର, ବାସୁଦେବପୁର, ସାନସୁଆର, ବଡ଼ସୁଆର, ଖଣ୍ଡରା ପଞ୍ଚାୟତରେ ଫ୍ଲାଗମାର୍ଚ୍ଚ କରାଯାଇଛି। ଏଥିରେ ଏସଆଇ ମହେନ୍ଦ୍ର ସେଠୀ, ମିନତି ବେହେରା, ଏଏସଆଇ ପଦ୍ମନାଭ ମହାନ୍ତି, କନେଷ୍ଟବଳ ହୃଦାନନ୍ଦ ସାହୁ, ପ୍ଲାଟୁନ କମାଣ୍ଡର ଉମାକାନ୍ତ ରାଉତ, ହୋମଗାର୍ଡ ସୋମନାଥ ନାୟକ ସମେତ ବହୁ ପୁଲିସ ସାମିଲ ହୋଇଥିଲେ। ସକାଳେ ୪ଟି ପଞ୍ଚାୟତରେ ଓ ଅପରାହ୍‌ଣରେ ୫ଟି ପଞ୍ଚାୟତରେ ଫ୍ଲାଗମାର୍ଚ୍ଚ କରାଯାଇଛି। ଆଇନଶୃଙ୍ଖଳା ଭଙ୍ଗକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଚେତାବନୀ ଦେଇଥିଲା।

ସମ୍ବନ୍ଧିତ ଖବର