ବେତନଟୀସଦର: ଆଗକୁ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଏଥିପୂର୍ବରୁ ସମସ୍ତ ବିଭାଗ ପକ୍ଷରୁ ମକ୍ଡ୍ରିଲ ଓ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସମଗ୍ର ନିର୍ବାଚନ ମଣ୍ଡଳୀରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା ପାଇଁ ସଜାଗ ରହିଛି ପୁଲିସ ପ୍ରଶାସନ। ପେଷାଦାର ଅପରାଧୀ ଓ ଜେଲ୍ ଫେରନ୍ତାଙ୍କ ଉପରେ ରଖାଯାଇଛି କଡ଼ା ନଜର। ଏହି ପରିପ୍ରେକ୍ଷୀରେ ବୁଧବାର ଦିନ ବୈଶିଙ୍ଗା ଥାନା ପକ୍ଷରୁ ମଧ୍ୟ ଫ୍ଲାଗମାର୍ଚ୍ଚ କରାଯାଇଛି।
ବେତନଟୀ ଏସଡିପିଓ ସୁଦର୍ଶନ ଦାଶଙ୍କ ପ୍ରତକ୍ଷ ତତ୍ୱାବଧାନରେ ବୈଶିଙ୍ଗା ଥାନା ଅଧିକାରୀ ତପନ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏସଆଇ ଦେବାଶିଷ ମଣ୍ଡଳ, ସିଆଇଏସଏଫ ଇନ୍ସପେକ୍ଟର ରାଜୀବ ଲୋଚନ ଆଚାର୍ଯ୍ୟ, ଏଏସଆଇ ତରୁଣ କୁମାର ବେଜ, ଏଏସଆଇ ଏମବି ହୁସେନ, ଏଏସଆଇ ରମେଶ ଚନ୍ଦ୍ର ବାଗ ସିଂ ଓ ବୈଶିଙ୍ଗା ଥାନାର ଏକାଧିକ କର୍ମଚାରୀ ସମେତ ସିଆଇଏସଏଫର ୧ କମ୍ପାନି ଯବାନ ଫ୍ଲାଗମାର୍ଚରେ ବାହାରି କଳମା ପଞ୍ଚାୟତର କାନ୍ଥି, ମହେଶପୁର, ଦାହିବାଡି, ଗୋବିନ୍ଦରାୟପୁର, ତାଳପଦା ସମେତ ବୈଶିଙ୍ଗା ପଞ୍ଚାୟତ ଅଧୀନ ବୈଶିଙ୍ଗାବଜାର, ମହୁରୀ, କେନ୍ଦୁଆ ପ୍ରଭୁତି ଅଞ୍ଚଳରେ ବୁଲି ଲୋକଙ୍କୁ ଭୟଭୀତ ନହୋଇ ନିଜ ନିଜ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ସଚେତନ କରାଯାଇଥିଲା। ଆଜିର ଉକ୍ତ ଫ୍ଲାଗମାର୍ଚ୍ଚ ନିର୍ବାଚନ ସମୟରେ ଅପରାଧୀଙ୍କ ଗତିବିଧି ଓ କାର୍ଯ୍ୟକଳାପ ଉପରେ ରୋକ ଲଗାଇବାରେ ସହାୟକ ହେବା ସହ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ମତଦାନ ହୋଇପାରିବ ବୋଲି ଏସଡିପିଓ ଶ୍ରୀଦାଶ ପ୍ରକାଶ କରିଛନ୍ତି।