ବାଲେଶ୍ୱର/କେନ୍ଦ୍ରାପଡ଼ା: ବାଲେଶ୍ୱରରେ ଗ୍ୟାଙ୍ଗଷ୍ଟର ହାଇଦରର ଶବ ବ୍ୟବଚ୍ଛେଦ ସରିଛି । ଶବ ବ୍ୟବଚ୍ଛେଦ ପରେ ହାଇରରର ମୃତଦେହକୁ କେନ୍ଦ୍ରାପଡ଼ା ସ୍ଥାନାନ୍ତରିତ କରାଯାଇଛି । ରଣପଡ଼ା ଗାଁକୁ ହାଇଦରର ମୃତଦେହ ଯାଇଛି ।

Advertisment

ଅନ୍ୟପଟରେ ଗ୍ୟାଙ୍ଗଷ୍ଟର ସେକ୍ ହାଇଦରର ମୃତଦେହ ରଣପଡ଼ା ଗାଁକୁ ପହଂଚିବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । ହାଇଦର ଶନିବାର ଅପରାହ୍ନରେ ପୁଲିସ ଏନ୍‌କାଉଣ୍ଟରରେ ନିହତ ହେବା ପରେ କେନ୍ଦ୍ରାପଡ଼ା ସହରରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରି ଦିଆଯାଇଛି । ମୃତ ହାଇଦରର ଘର ପାଖ ରାସ୍ତାରେ ପୁଲିସ କଡ଼ା ପହରା ଦେଉଛି । ଗରାପୁର-କେନ୍ଦ୍ରାପଡ଼ା କୋର୍ଟକୁ ଯାଉଥିବା ରାସ୍ତା ସିଲ କରିଛି । ସୁରକ୍ଷା ପାଇଁ ୨ ପ୍ଲାଟୁନ୍ ପୁଲିସ ମୁତୟନ ହୋଇଛନ୍ତି । ଏଥି ସହିତ ଏହି ରାସ୍ତା ଦେଇ ସର୍ବସାଧାରଣ ଯାତାୟତ ଉପରେ କଟକଣା ଲାଗୁ ହୋଇଯାଇଛି ।

publive-image Sambad

କେନ୍ଦ୍ରାପଡ଼ା ପୌରାଞ୍ଚଳସ୍ଥିତ ହାଇଦରର ଘର ରଣପଡ଼ା ଅଞ୍ଚଳ ପୁଲିସ ଛାଉଣିରେ ପରିଣତ ହୋଇଛି। କୌଣସି ଅପ୍ରୀତିକର ପରିସ୍ଥିତି ଆଶଙ୍କା‌ରେ ଏସଡିପିଓ ରାଜୀବ ଲୋଚନ ପଣ୍ଡା, କେନ୍ଦ୍ରାପଡ଼ା ଟାଉନ ଥାନା ଆଇଆଇସି ଜ୍ୟୋତିରଂଜନ ସାମନ୍ତରାୟଙ୍କ ନେତୃତ୍ବରେ ଗୋଟିଏ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ସମଗ୍ର ରଣପଡ଼ା ଅଞ୍ଚଳ ଉପରେ ପୁଲିସ ନଜର ରଖିଛି। ଅନ୍ୟପଟେ ଦୁହୁରିଆ, ତିନିମୁହାଣି, ଗରାପୁର ଆଦି ଅଞ୍ଚଳରେ ପୁଲିସ ଜୋରଦାର ଗାଡ଼ି ଯାଞ୍ଚ ଚଳାଇଛି। ସହରର ଏ ସମସ୍ତ ପ୍ର‌ବେଶ ପଥରେ କାର୍‌ ସମେତ ଅନ୍ୟାନ୍ୟ ଗାଡ଼ି ଯାଞ୍ଚ କରାଯାଉଛି। ଜିଲ୍ଲାର ସବୁ ଥାନା ଅଧିକାରୀମାନେ ଏଠାରେ ପରିସ୍ଥିତି ଉପରେ ସତର୍କ ନଜର ରଖିଛନ୍ତି। ଛକ ଛକରେ ପୁଲିସ ମୁତୟନ କରାଯାଇଛି। ଅନ୍ୟପଟେ ଜିଲ୍ଲାର ଅନ୍ୟ କେତେକ ସମ୍ବେଦନଶୀଳ ଅଞ୍ଚଳ ଉପରେ ପୁଲିସ ନଜର ରଖିଛି।