ଭୁବନେଶ୍ବର: ପୁଲିସର ଦକ୍ଷତା କମିଗଲାଣି। ଅହେତୁକ ରାଜନୈତିକ ଚାପ ଯୋଗୁ ପୁଲିସ ହତାଶ ହୋଇପଡ଼ିଛି। ଶାସକ ଦଳର ନେତା ସୁରକ୍ଷା ଦେଉଛନ୍ତି ବୋଲି ଅପରାଧୀଙ୍କ ମନୋବଳ ବଢ଼ୁଛି। ଅପରାଧୀଙ୍କୁ ଏ ସରକାର ଲାଇସେନ୍ସ ଦେଇ ସାରିଲେଣି। ଆଜି ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ରାଜ୍ୟ ସରକାରଙ୍କୁ ଏମିତି ଟାର୍ଗେଟ୍‌ କରିଥିଲେ ବିଜେଡି ବିଧାୟକ।  ‘ଭରତପୁର‌ରେ ପୁଲିସ-ଜନତା ଖଣ୍ଡଯୁଦ୍ଧ, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ’ ଶୀର୍ଷକ ମୁଲତବୀ ଆଲୋଚନାରେ ଭାଗ ନେଇ ପ୍ରତାପ ଦେବ କହିଲେ, ସରକାର ଦିଶାହୀନ ଓ ମେରୁଦଣ୍ଡବିହୀନ। ମିଛ କହିବା ହିଁ ସରକାରଙ୍କ ବାସ୍ତବତା। ସରକାରରେ ବାମ ହାତ କ’ଣ କରୁଛି, ଡାହାଣ ହାତ ଜାଣୁନି। ରାଜଧାନୀରେ ଦିନ ଦ୍ବିପହରରେ ହତ୍ୟାକାଣ୍ଡ ହେଉଛି। ପୁଲିସ ପ୍ରଶାସନରେ ରାଜନୈତିକ ହସ୍ତକ୍ଷେପ ଓ ପ୍ରିୟାପ୍ରୀତି ତୋଷଣ ଅଧିକ ଚାଲିଛି। ମୁଖ୍ୟମନ୍ତ୍ରୀଙ୍କୁ ଭ୍ରମିତ କରାଯାଉଛି। ଡିଜିଙ୍କୁ ତ ଦାରୁଭୂତ ମୁରାରି କରିଦିଆଯାଇଛି। ଜିଲ୍ଲାସ୍ତରରେ ଅପରାଧ ବଢ଼ିଚାଲିଛି। ପୁଲିସ ପ୍ରତି ଲୋକଙ୍କ ଭୟ ଛାଡ଼ିଗଲାଣି। ଥାନାରେ କର୍ମଚାରୀ ନାହାନ୍ତି। ଆଇନଶୃଙ୍ଖଳା ଛାଡ଼ି ଯଦି ପୁଲିସ ବାଲି ଗାଡ଼ି ପଛରେ ଧାଇଁବ, ଅନ୍ୟ କାମ କେମିତି ହେବ? ନେତା ସୁରକ୍ଷା ଦେଉଛନ୍ତି  ବୋଲି ଅପରାଧୀଙ୍କ ମନୋବଳ ବଢ଼ୁଛି। 

Advertisment

ପୂର୍ବ ସରକାର ପୁଲିସକୁ ରାଜନୈତିକ କାମରେ ବ୍ୟବହାର କରୁଥିଲା: ବିଜେପି

ଡିଜିଙ୍କୁ ଦାରୁଭୂତ ମୁରାରି କରିଦିଆଯାଇଛି

ବ୍ୟୋମକେଶ ରାୟ କହିଲେ, ଏ ସରକାର କହୁଛନ୍ତି କୌଣସି ଅପରାଧୀଙ୍କୁ ଛଡ଼ାଯିବନି। କିନ୍ତୁ ରାଜ୍ୟପାଳଙ୍କ ପୁଅ ଜଣେ ଏଏସ୍‌ଓଙ୍କୁ ମାଡ଼ ମାରିବା ଘଟଣାରେ ଅଭିଯୁକ୍ତ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି? ଚିକିଟି ମଦମୃତ୍ୟୁ ମାମଲାରେ ଆର୍‌ଡିସି ତଦନ୍ତ ହେଲା କି? ରଥଯାତ୍ରା ଅବ୍ୟବସ୍ଥାର ତଦନ୍ତ ରିପୋର୍ଟ କୁଆଡ଼େ ଗଲା? ଚାନ୍ଦବାଲିରେ ଗୋଟିଏ ଜାଗାରେ ୧୪୪ ଧାରା ଜାରି ହୋଇଥିଲା। ମୋତେ ସେଠାକୁ ଯିବାକୁ ବାରଣ ହେଲା। କିନ୍ତୁ ବିଜେପିର ରାଜ୍ୟ ସଭାପତି ସମର୍ଥକମାନଙ୍କୁ ନେଇ ସେଠାରେ ଶୋଭାଯାତ୍ରା କଲେ। ତାଙ୍କ ବେଳକୁ ଆଇନ କୁଆଡ଼େ ଗଲା? ଲୋକ ପୁଲିସ ଉପରେ ରାଗିକି ମାଡ଼ ମାରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ବିଜେପିର ନିର୍ଦ୍ଦିଷ୍ଟ ନେତାମାନେ ବଦନାମ କରୁଛନ୍ତି। ବିଜେପି କାର୍ଯ୍ୟାଳୟରୁ ହିଁ ତାଙ୍କୁ ଛୁରି ମରାଯାଉଛି। ଶାରଦା ଜେନା କହିଲେ, ରାଜ୍ୟରେ ଅପରାଧକୁ ବିଜେପିର ବିଧାୟକମାନେ ହାଲ୍‌କା ଭାବେ ନେଉଛନ୍ତି। କେବଳ ୨୪ ବର୍ଷର ଦ୍ବାହି ଦେଇ ଖସିଗଲେ ହେବନି। ଅପରାଧୀଙ୍କୁ ତ ଏ ସରକାର ଲାଇସେନ୍ସ ଦେଇଛନ୍ତି।

ଶାସକ ଦଳ ଜବାବ ଦେଇ କହିଥିଲେ, ଆମ ସରକାରରେ ପୁଲିସ ଉପରେ ରାଜନୈତିକ ହସ୍ତକ୍ଷେପ ନାହିଁ। ଭରତପୁର ଘଟଣାରେ ପୁଲିସ ଧୈର୍ଯ୍ୟର ସହ ସେଠାରେ ରାତିରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ପୂର୍ବ ସରକ‌ାରରେ ତ ମନ୍ତ୍ରୀ ଥାନା ଭାଙ୍ଗୁଥିଲେ। ହତ୍ୟା ମାମଲାରେ ଜଡ଼ିତ ଥିଲେ। ତୃତୀୟ ମହଲାରେ ପୁଲିସକୁ ଟିକେଟ ବାଣ୍ଟିବା ଓ ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀଙ୍କୁ ଧମକଚମକ ଦେବା କାମରେ ନିୟୋଜିତ କରାଯାଉଥିଲା। ଏ ସରକାରରେ ଯିଏ ଦୋଷ କରିବ, ତାକୁ ଛଡ଼ାଯିବନି। ଶାସକ ଦଳ ପକ୍ଷରୁ ଈରାଶିଷ ଆଚାର୍ଯ୍ୟ, ବାବୁ ସିଂହ, ଅମରେନ୍ଦ୍ର ଦାସ ଓ ଗୋବିନ୍ଦ ଚନ୍ଦ୍ର ନାୟକ ଆଲୋଚନାରେ ଭାଗ ନେଇଥିଲେ।