ପୁଲିସକୁ ମିଳିଲା ଅଧିକ କ୍ଷମତା, ବିପର୍ଯ୍ୟୟ ପରିଚାଳନା ଆଇନରେ ମାମଲା ରୁଜୁ କରିପାରିବ

ଭୁବନେଶ୍ବର : କରୋନା ମୁକାବିଲାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପୁଲିସକୁ ମିଳିଲା ବଡ଼ କ୍ଷମତା। ବିପର୍ଯ୍ୟୟ ପରିଚାଳନା ଆଇନରେ ମାମଲା ରୁଜୁ କରିବା ଲାଗି ଆଉ ଜିଲ୍ଲାପାଳଙ୍କ ଅନୁମତିକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଥାନାଧିକାରୀ ସିଧାସଳଖ ମାମଲା ରୁଜୁ କରିପାରିବେ। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହେବା ସହ ପୁଲିସକୁ ଏହି କ୍ଷମତା ମିଳିଛି।

ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦ ୫ର ଧାରା ୫୧ରୁ ୬୦ରେ ମାମଲା ରୁଜୁ ଓ ତଦନ୍ତ କରିବା ଲାଗି ପୂର୍ବରୁ ଜିଲ୍ଲାପାଳ ଓ କିଛି ପ୍ରଶାସନିକ ଅଧିକାରୀଙ୍କଠାରୁ ପୁଲିସକୁ ଅନୁମତି ଆଣିବାକୁ ପଡ଼ୁଥିଲା। କିନ୍ତୁ ଏବେ ଆଉ ଅନୁମତିକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଆଇନ ଉଲ୍ଲଂଘନ ନେଇ ପୁଲିସ ଏବେ ମାମଲା ରୁଜୁ କରିପାରିବ ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଏହା ବେଶ୍ ସହାୟକ ହେବ।

ସରକାର ପୁଲିସକୁ ଏହି କ୍ଷମତା ପ୍ରଦାନ କରିବା ନିଶ୍ଚିତ ଭାବରେ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି କହିଛନ୍ତି ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ। କରୋନା ମୁକାବିଲା ଲାଗି ଏଭଳି ପଦକ୍ଷେପ ନିଶ୍ଚିତ ଭାବରେ ଭଲ। କାରଣ ସବୁବେଳେ ଜିଲ୍ଲାପାଳ କିମ୍ବା ଅଧିକୃତ ପ୍ରାଶାସନିକ ଅଧିକାରୀଙ୍କଠାରୁ ଅନୁମତି ନେବା ସମ୍ଭବପର ନ ଥିବା ହୃଦୟଙ୍ଗମ କରି ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। କିନ୍ତୁ ଏହି ଆଇନର ଯେପରି ଦୁରୁପଯୋଗ ନ ହୁଏ, ସେଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।

ବିପର୍ଯ୍ୟୟ ପରିଚାଳନା ଆଇନ(୨୦୦୫)ର ଏହି ଧାରା ଅଧୀନରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟ ରହିଛି। କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ପ୍ରାଧିକୃତ ଅଧିକାରୀ, ରିଲିଫ୍ ଅର୍ଥ ହଡ଼ପ, ଗୁଜବ କରି ଲୋକଙ୍କ ଭିତରେ ଭୟ ସୃଷ୍ଟି କରିବା, ଡ୍ୟୁଟି ଖିଲାପ କରୁଥିବା ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆଇନ ରହିଛି। ଏହି ଆଇନରେ ଜେଲ୍ ଦଣ୍ଡ ଓ ଜରିମାନାର ବ୍ୟବସ୍ଥା ବି ରହିଛି। ସର୍ବାଧିକ ୨ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଓ ଜରିମାନାର ବ୍ୟବସ୍ଥା ରହିଛି। ପୁଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ଏଥିସହ ମାମଲାର ତଦନ୍ତ କରି କୋର୍ଟରେ ଚାର୍ଜସିଟ୍ ଦାଖଲ କରିବାରେ ଆଉ କୌଣସି ଅସୁବିଧା ରହିବ ନାହିଁ।

କରୋନା ମୁକାବିଲା ନେଇ ପୂର୍ବରୁ ସରକାର ୧୨୩ବର୍ଷର ପୁରୁଣା ମହାମାରୀ ଆଇନକୁ କାର୍ଯ୍ୟକାରୀ କରିଥିଲେ। ଏହି ଆଇନ ଅନୁସାରେ, ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପୁଲିସକୁ କ୍ଷମତା ମିଳିଥିଲା। ଏବେ ବିନା କାରଣରେ ବାଇକ୍ ଧରି ବୁଲିବା, ରାଜରାସ୍ତାରେ ଛେପ ପକାଇବା, ମାସ୍କ ନ ପିନ୍ଧି ଘରୁ ବାହାରିବା ଭଳି ଘଟଣାରେ ପୁଲିସ ଘଟଣାସ୍ଥଳ‌ରେ ଜରିମାନା ଆଦାୟ କରିବାର କ୍ଷମତା ରହିଛି।

ସମ୍ବନ୍ଧିତ ଖବର