ନାଲିଫିତା ତଳେ ଅପଗ୍ରେଡେସନ୍‌ ନିର୍ଦ୍ଦେଶନାମା

ପୁଲିସ ସିଗନାଲ୍ସରେ ତିନି ବର୍ଷ ହେଲା ବାହାରୁନି ଗ୍ରେଡେସନ୍‌ ତାଲିକା, ଖାଲି ପଡ଼ିଛି ୫୦୦ରୁ ଅଧିକ ପଦବି

କଟକ : ପୁଲିସ ବିଭାଗରେ ସିଗନାଲ୍ସ ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ। ଏହାର କର୍ମଚାରୀମାନେ ବୈଷୟିକ ଭାବେ ପାରଙ୍ଗମ ହୋଇଥିବା ବେଳେ ବ୍ୟବସ୍ଥିତ ଢାଞ୍ଚାରେ ତ୍ବରିତ ଖବର ଆଦାନ ପ୍ରଦାନ କରିଥାନ୍ତି। କିନ୍ତୁ ବିଭାଗରେ ଚାଲିଥିବା କେତେକ ଅବହେଳା ଓ ଅବ୍ୟବସ୍ଥା ପାଇଁ ଏବେ ୫୦୦ରୁ ଅଧିକ ପଦବି ଦୀର୍ଘ ଦିନ ଧରି ପୂରଣ ହୋଇପାରୁନି। ସିଗ୍‌ନାଲ୍ସରେ ନୂଆ କ୍ୟାଡର ନିୟମ ପ୍ରଚଳନ ହୋଇସାରିଥିଲେ ବି ଗ୍ରେଡେସନ୍‌ ତାଲିକା ପ୍ରକାଶିତ ହେଉନାହିଁ। ଏଥିସହିତ ପୂର୍ବରୁ ପ୍ରଚଳନ ହୋଇଆସୁଥିବା ବେସିକ୍‌ ଓ ଆଡ୍‌ଭାନ୍ସ କମ୍ୟୁନିକେସନ୍‌ ତାଲିମ ସହିତ ରିଫ୍ରେସର ପାଠ୍ୟକ୍ରମକୁ ଯୋଡ଼ି ଦିଆଯାଇଥିବାରୁ ଅନେକ କର୍ମଚାରୀ ଓ ଅଧିକାରୀ ପଦୋନ୍ନତି ପାଇପାରୁ ନ ଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ବିଭାଗରେ ଏବେ ୫ ଡିଏସ୍‌ପି, ୨୪ ଇନ୍ସପେକ୍ଟର, ୧୨୦ ଏସ୍‌ଆଇ, ୧୫୦ ଏଏସ୍‌ଆଇ, ୨୦୦ରୁ ଅଧିକ କନଷ୍ଟେବଳ ପଦବି ଖାଲି ପଡ଼ିଛି।

୨୦୧୬ ଏପ୍ରିଲ ମାସରୁ ସିଗ୍‌ନାଲ୍ସର ନୂତନ କ୍ୟାଡର ନିୟମ ପ୍ରଚଳନ ହୋଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ନୂଆ ନିଯୁକ୍ତି କିମ୍ବା ପଦୋନ୍ନତି ଦିଆଯାଇନାହିଁ। ପଦୋନ୍ନତିରେ ବାଧକ ସାଜିଛି ରିଫ୍ରେସର ପାଠ୍ୟକ୍ରମ। ଏହି ପାଠ୍ୟକ୍ରମରେ କୃତିତ୍ବ ଅର୍ଜନ କଲେ ପଦୋନ୍ନତି ମିଳିବ। କ୍ୟାଡର ନିୟମର ୧୮ତମ ଧାରା ଅନୁଯାୟୀ କେବଳ ପ୍ରଶିକ୍ଷଣ ପାଇଁ ସିଲାବସ ପ୍ରସ୍ତୁତି କରିବାକୁ ପୁଲିସ ମହାନିର୍ଦ୍ଦେଶକଙ୍କୁ କ୍ଷମତା ଦିଆଯାଇଛି। ଡିଜିପିଙ୍କ ଦ୍ବାରା ଗଠନ ହୋଇଥିବା ସ୍ବତନ୍ତ୍ର କମିଟି ସିଲାବସ୍‌ ନିର୍ଧାରଣ କରିବ ଓ ତାହାକୁ ଡିଜି ଓ ଆଇଜି ସ୍ବୀକୃତି ପ୍ରଦାନ କରିବେ। ସେହି ଅନୁଯାୟୀ ୨୦୧୭ ଫେବ୍ରୁଆରି ୨୮ ତାରିଖରେ କମିଟି ବସିବା ସହ ସିଲାବସ ପ୍ରସ୍ତୁତ କରିଥିଲା। ଯେଉଁ ଏସ୍‌ଆଇ ଓ ଏଏସ୍‌ଆଇମାନେ ଗ୍ରେଡ୍‌-୧ ଓ ୩ ପାଠ୍ୟକ୍ରମ ପାସ୍‌ କରିଥିବେ, ସେମାନଙ୍କୁ ୩୦ ଦିନିଆ ବେସିକ୍‌ ରିଫ୍ରେସର ପାଠ୍ୟକ୍ରମ ପାସ୍‌ କରିବାକୁ ହେବ ଏବ˚ ଏହାପରେ ହିଁ ସେମାନେ ଯଥାକ୍ରମେ ଇନ୍ସପେକ୍ଟର ଓ ଏସ୍‌ଆଇ ପଦବିକୁ ପଦୋନ୍ନତି ପାଇବାକୁ ଯୋଗ୍ୟ ବିବେଚିତ ହେବେ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏହି ରିଫ୍ରେସର ପାଠ୍ୟକ୍ରମ ଗଲା ତିନି ବର୍ଷ ହେବ ସରୁନାହିଁ। ଉଲ୍ଲେଖନୀୟ କଥା ହେଉଛି, ବର୍ତ୍ତମାନର କର୍ମଚାରୀଙ୍କ ପାଇଁ କ୍ୟାଡର ନିୟମରେ କୌଣସି ବ୍ୟବସ୍ଥା ଉଲ୍ଲେଖ ନାହିଁ। ଅନ୍ୟ ବିଭାଗରେ ରିଫ୍ରେସର ପାଠ୍ୟକ୍ରମକୁ ପଦୋନ୍ନତିର ମାନଦଣ୍ତ ଭାବେ ବିଚାର ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ବି ଏହାକୁ ସିଗ୍‌ନାଲ୍ସରେ ପାଳନ କରାଯାଉନାହିଁ।

ଫଳରେ କତ୍ତୃର୍ପକ୍ଷଙ୍କ ଅବହେଳା ପାଇଁ ୧୯୮୮ ଓ ୧୯୯୩ ବ୍ୟାଚର ଏଏସ୍‌ଆଇମାନେ ଆଜି ପର୍ଯ୍ୟନ୍ତ ପଦୋନ୍ନତିରୁ ବଞ୍ଚିତ ହୋଇଆସୁଛନ୍ତି। ଉକ୍ତ ଏଏସ୍‌ଆଇମାନଙ୍କୁ ଏସ୍‌ଆଇ ପଦବିକୁ ଅପଗ୍ରେଡେସନ୍‌ ପାଇଁ ରାଜ୍ୟ ସରକାର ୧୯୯୭ ଓ ୨୦୧୪ରେ ଦୁଇ ଥର ସ୍ବୀକୃତି ପ୍ରଦାନ କରିଥିଲେ। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବହୀନତା ପାଇଁ ତାହା ଏବେ ନାଲିଫିତା ତଳେ ରହିଯାଇଛି। ୧୯୯୭ ମସିହାର ସ୍ବୀକୃତି ପରେ ଅପଗ୍ରେଡେସନ୍‌ ପଦବିରେ ଓଆର‌୍‌ଭି ଆଇନ ଲାଗୁ ହେବ କି ନାହିଁ, ତାର ସ୍ପଷ୍ଟୀକରଣ ଲୋଡ଼ା ଯାଇଥିଲା। କିନ୍ତୁ ଅପଗ୍ରେଡେସନ୍‌ ପଦବିରେ ଓଆର‌୍‌ଭି ଆଇନ ଲାଗୁ ହେବ ନାହିଁ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିବା ସତ୍ତ୍ବେ ବାରମ୍ବାର ସ୍ପଷ୍ଟୀକରଣ ଆଳରେ କର୍ମଚାରୀଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଏଭଳି ଅବ୍ୟବସ୍ଥା ଯୋଗୁଁ ବିଭାଗରେ ବର୍ତ୍ତମାନ ଜଣେ ମାତ୍ର ଇନ୍ସପେକ୍ଟର କାର୍ଯ୍ୟରତ ଅଛନ୍ତି। ନିକଟ ଭବିଷ୍ୟତରେ ଏସ୍‌ଆଇ ସ୍ତରରେ ପଦୋନ୍ନତି ଆଶା ମଧ୍ୟ ନାହିଁ। ବିଭାଗୀୟ କତ୍ତୃର୍ପକ୍ଷଙ୍କ ଦୂରଦୃଷ୍ଟି ଅଭାବରୁ ଅନେକ ଏସ୍‌ଆଇ ପଦୋନ୍ନତି ନ ପାଇ ଅବସର ନେଉଛନ୍ତି। ତେଣୁ ଏହା ଉପରେ ସରକାର ହସ୍ତକ୍ଷେପ କରି ସିଗ୍‌ନାଲ୍ସ କର୍ମଚାରୀଙ୍କ ନ୍ୟାୟ ପ୍ରଦାନ କରିବାକୁ କର୍ମଚାରୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର