ବ୍ରହ୍ମପୁର: ଲୁଟେରାଙ୍କ ସଫ୍ଟ ଟାର୍ଗେଟ୍ରେ ମନ୍ଦିର। ଏହା ମଧ୍ୟରେ ଚାରିଟି ମନ୍ଦିରରୁ ଲୁଟ୍ ଘଟିଲାଣି, କୌଣସିଥିରେ ପୁଲିସକୁ ତଦନ୍ତରେ ସଫଳତା ମିଳିନି। ଗଲା ତିନିମାସରେ ଦୁଇଟି ମନ୍ଦିରରୁ ଅଳଙ୍କାର, ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍ ହେଲାଣି। ଆଗକୁ ରହିଛି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା’ କାଳୀଙ୍କ ଦଣ୍ଡଯାତ୍ରା। ଏଥିପାଇଁ ଦଣ୍ଡଯାତ୍ରାରେ ସାମିଲ ହେଉଥିବା ମାନସିକଧାରୀ ପ୍ରସ୍ତୁତି ଆରମ୍ଭ କଲେଣି। ଜିଲ୍ଲାର ବିଭିନ୍ନ ସ୍ଥାନରେ ରହିଥିବା କାଳୀ ମନ୍ଦିରରେ ଦଣ୍ଡଯାତ୍ରାକୁ ନେଇ ଉତ୍ସାହର ମାହୋଲ୍। କିନ୍ତୁ ବିଗତ ବର୍ଷରେ ସହର ଉପକଣ୍ଠରେ ଦୁଇଟି ମନ୍ଦିରରୁ ଲୁଟ୍ ହୋଇଥିବା ମା’ ଦକ୍ଷିଣକାଳୀଙ୍କ ଆଭୂଷଣ ଉଦ୍ଧାର କରିବାରେ ପୁଲିସ ଅଦ୍ୟାବଧି ସକ୍ଷମ ହୋଇ ନାହିଁ, ଯାହାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ପରିଲକ୍ଷିତ ହୋଇଛି। ଗୋପାଳପୁର ଥାନା-ଅନ୍ତର୍ଗତ ଆମ୍ବପୁଆ ଦକ୍ଷିଣକାଳୀ ମନ୍ଦିରରୁ ଚୋରମାନେ ମା’ଙ୍କ ସମସ୍ତ ଆଭୂଷଣ ଲୁଟ୍ କରି ନେଇଥିଲେ। ସେହିପରି ଗୋସାଇଁ ନୂଆଗାଁ ଥାନା-ଅନ୍ତର୍ଗତ ଖଜୁରିଆ ବାଇପାସ୍ ନିକଟରେ ଥିବା ଚନ୍ଦ୍ରଚୂଡ଼େଶ୍ବର ମନ୍ଦିର ପରିସରରୁ ମା’ ଦକ୍ଷିଣକାଳୀଙ୍କ ଆଭୂଷଣ ଚୋରି ହୋଇଥିଲା। ଏହି ଉଭୟ ଘଟଣାରେ ବର୍ତ୍ତମାନ ସୁଦ୍ଧା ପୁଲିସ ହାତ ଖାଲି। ପୁଲିସ ଏ ପର୍ଯ୍ୟନ୍ତ ଲୁଟେରାଙ୍କୁ ଠାବ କରିପାରି ନାହିଁ କି ଲୁଟ୍ ଅଳଙ୍କାର ଉଦ୍ଧାର କରିପାରି ନାହିଁ।
୨୦୨୦ ଜାନୁଆରି ୧୧ତାରିଖ ବିଳମ୍ବିତ ରାତ୍ରିରେ ଗୋପାଳପୁର ଥାନା-ଅନ୍ତର୍ଗତ ଆମ୍ବପୁଆ କାଳୀ ମନ୍ଦିରରୁ ଏକ ବଡ଼ଧରଣର ଚୋରି ହୋଇଥିଲା। ଚୋର ଗ୍ୟାଙ୍ଗ୍ ମନ୍ଦିରରେ ପଶି ଲକ୍ଷାଧିକ ଟଙ୍କାର ମା’ଙ୍କ ରୁପା ମୁକୁଟ, ନଥ, ସୁନା କାନଫୁଲ ଓ ଜିଭ ଚୋରି କରି ନେଇଥିଲେ। ଏପରିକି ଦୁର୍ବୃତ୍ତମାନେ ମା’ଙ୍କ ସୁନା ଆଖି ମଧ୍ୟ ତାଡ଼ି ନେଇଥିଲେ। ଏହା ସହିତ ଏକ ହୁଣ୍ଡି ଟେକି ନେଇଥିଲେ। ପୁଲିସ ୧୨ତାରିଖ ସକାଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ସାନକୁଶସ୍ଥଳୀ ନିକଟସ୍ଥ ଏକ ବିଲରୁ ଚୋରମାନେ ଲୁଟ୍ କରିଥିବା ହୁଣ୍ଡି ଜବତ ହୋଇଥିଲା। ସେହିପରି ୧୬ ନମ୍ବର ଜାତୀୟ ରାଜପଥ ଖଜୁରିଆ ବାଇପାସ୍ ନିକଟରେ ଥିବା ଚନ୍ଦ୍ରଚୂଡ଼େଶ୍ବର ମନ୍ଦିରରୁ ୨୦୨୦ ସେପ୍ଟେମ୍ବର ୧ତାରିଖ ବିଳମ୍ବିତ ରାତ୍ରିରେ ବଡ଼ ଧରଣର ଚୋରି ହୋଇଥିଲା। ଚୋରମାନେ ମନ୍ଦିର ପୂଜାରୀ ଓ କର୍ମଚାରୀଙ୍କୁ ବାହାର ପଟୁ କବାଟ କିଳି ମା’ ଦକ୍ଷିଣକାଳୀଙ୍କ ସମସ୍ତ ଆଭୂଷଣ ଚୋରି କରି ନେଇଥିଲେ। ଚୋରମାନେ ମା’ଙ୍କ ୩ଟି ସୁନା ଆଖି, ରୁପା ମୁକୁଟ, ହାର, ଚୁଡ଼ି ଓ ପାଉଁଜି ଚୋରି କରି ନେଇଥିଲେ। ଗୋସାଇଁ ନୂଆଗାଁ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ମନ୍ଦିରରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍ ସଂଗ୍ରହ କରି ପୁଲିସ ତଦନ୍ତ କରିଥିଲା। କିନ୍ତୁ ଅଦ୍ୟାବଧି ଲୁଟେରାଙ୍କୁ ପୁଲିସ ଧରିବାରେ ସକ୍ଷମ ହୋଇ ନାହିଁ।
ସେହିପରି ଗତ କିଛିଦିନ ତଳେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ମନ୍ଦିରରୁ ମା’ଙ୍କ ମୁକୁଟ ଚୋରି ହୋଇଥିବା ବେଳେ ହୁଣ୍ଡି ଭାଙ୍ଗି ଚୋରି ହୋଇଛି। ଗତ ୧୩ତାରିଖରେ ଜରଡ଼ା ଥାନା ପାଞ୍ଚାମ୍ବ ନିକଟରେ ଥିବା ଗଣେଶ ଓ କଳ୍ପେଶ୍ବର ମନ୍ଦିରରେ ଦୁର୍ବୃତ୍ତମାନେ ଲୁଟ୍ତରାଜ କରିଛନ୍ତି। ଗଣେଶ ପ୍ରଭୁଙ୍କ ରୁପାମୁକୁଟ ନେଇ ଯାଇଥିବା ବେଳେ କଳ୍ପେଶ୍ବର ମନ୍ଦିରର ହୁଣ୍ଡି ଭାଙ୍ଗି ଦୁର୍ବୃ୍ତ୍ତମାନେ ଟଙ୍କା ସମେତ ଅନ୍ୟ ମୂଲ୍ୟବାନ୍ ସାମଗ୍ରୀ ଲୁଟି ନେଇଛନ୍ତି। ସେହିପରି ଗତ ଡିସେମ୍ବର ୩ତାରିଖରେ ପାଟପୁର ଥାନା କଙ୍କୋରଡ଼ାର ସର୍ବପୁରାତନ ଶକ୍ତିପୀଠ ମା’ ନାରାୟଣୀ ମନ୍ଦିରର ଫାଟକ ଭାଙ୍ଗି ବିଗ୍ରହର ସୁନା ଅଳଙ୍କାର ଲୁଟିଲେ ଦୁର୍ବୃତ୍ତ। ମା’ଙ୍କ ମଥାର ତିନି ଗୋଟି ସୁନାଶିରି, ନାକର ସୁନା ଗୁଣା ସହ ଆଖି ତାଡ଼ି ନେଇଥିଲେ। ଲୁଟେରାମାନେ ମନ୍ଦିରକୁ ଏବେ ସଫ୍ଟ ଟାର୍ଗେଟରେ ରଖିଛନ୍ତି। ମନ୍ଦିରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ସେତେଟା କଡ଼ାକଡ଼ି ନ ଥିବାରୁ ଲୁଟେରାମାନେ ସହଜରେ ଚୋରି କରି ଚମ୍ପଟ ମାରୁଛନ୍ତି। ଯାହାକି ବର୍ତ୍ତମାନ ଚିନ୍ତାର ବିଷୟ ହୋଇଛି।