ଡକାୟତି ଘଟଣାରେ ଫେରାର ଅଭିଯୁକ୍ତଙ୍କୁ କାବୁ କଲା ପୁଲିସ, ୫ ଜଣଙ୍କୁ ଛାଡ଼ିଲା, ୫ କୋର୍ଟ ଚାଲାଣ

କଣ୍ଟାମାଳ : ମନମୁଣ୍ଡା ଥାନା ବିଳାସପୁର ନିକଟ ମେହେରୁଣି ନାଳ ନିକଟରେ ହୋଇଥିବା ଡକାୟତି ଘଟଣାରେ ପୁଲିସ ୯ ଜଣଙ୍କୁ ଧରିଥିବା ବେଳେ ଜଣେ ଫେରାର ହୋଇ ଯାଇଥିଲା। ସେହି ରାତିରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଫେରାର ହୋଇଥିବା ମହୁଲ ବାହାଲି ଗ୍ରାମର ଉମେଶ ସୁନାକୁ ଗିରଫ କରିଛି। ଏହି ଘଟଣାରେ ୧୦ ଜଣଙ୍କୁ ପୁଲିସ ଧରିଥିବା ବେଳେ ସୋମବାର ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅନ୍ୟ  ୫ ଜଣଙ୍କୁ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି। ଏହାକୁ ନେଇ ମନମୁଣ୍ଡା ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ମୁତାବକ ରବିବାର ବିଳାସପୁର ପଞ୍ଚାୟତର ପୂର୍ବ ସମିତିସଭ୍ୟ ସାଧବ ଖମାରୀ ଓରଫ ବୁଲୁ ରାତି ପ୍ରାୟ ୩ଟା ୩୦ ରେ ନିଜ ଗାଁ ଗମ୍ଭାରୀଗୋରାକୁ ଫେରୁଥିବା ବେଳେ ୧୦ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ମରଣାସ୍ତ୍ର ଦେଖାଇ ୨ ହଜାର ଟଙ୍କା ଲୁଟି ନେଇଥିଲେ। ଏହି ଘଟଣା ପ୍ରଘଟ ହେବା ସନ୍ଦେହରେ ତାଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ କରୁଥିବା ବେଳେ ବୁଲୁ ଦୌଡ଼ି ପଳାଇ ଜୀବନ ବଞ୍ଚାଇଥିଲେ। ପରେ ଥାନାରେ ଅଭିଯୋଗ କରିଥିଲେ। ମନମୁଣ୍ଡା ଥାନା ଏଏସଆଇ ସନ୍ତୋଷ ମହାକୁଡ଼ ସଦଳବଳେ ଘଟଣାସ୍ଥଳକୁ ଯାଇ ୯ ଜଣଙ୍କୁ ଧରିଥିବା ବେଳେ ବିଳମ୍ବିତ ରାତିରେ ଜଣକୁ ଧରିଥିବା କହିଛନ୍ତି। ଏହା ସହିତ ୪ଟି ବାଇକ୍‌ ମଧ୍ୟ ଜବତ କରାଯାଇଛି। ହେଲେ ସୋମବାର ସେମାନଙ୍କ ମଧ୍ୟରୁ ୪ ଜଣ କନ୍ଧମାଳ ଜିଲ୍ଲା ସେଲଗୁଡା ଗ୍ରାମର ପାଣ୍ଡୁରାମ ଦିଗାଲ(୨୪), ମନମୁଣ୍ଡା ଥାନା ତାଲୁପାଲି ଗ୍ରାମର ଦ୍ୱାରୁ ତାଣ୍ଡିଆ(୨୭), ରାକ୍ଷସକୁଟି ଗ୍ରାମର କୁଶ ଗୁନା(୧୮), ମହୁଲବାହାଲି ଗ୍ରାମର ଉମେଶ ସୁନା(୨୫)ଙ୍କୁ କଣ୍ଟାମାଳ କୋର୍ଟକୁ ଚାଲାଣ କରାଯାଇଥିବା ବେଳେ ଜଣେ ନାବାଳକ ଲୁଟେରାଙ୍କୁ ବ୍ରହ୍ମପୁର ଜୁଭେନାଇଲ କୋର୍ଟକୁ ନିଆଯାଇଛି। ୧୦ ଜଣଙ୍କ ବଦଳରେ ୫ ଜଣଙ୍କୁ କୋର୍ଟ ଚାଲାଣ କରିବା ଘଟଣାକୁ ନେଇ ମନମୁଣ୍ଡା ଅଞ୍ଚଳରେ ବିସ୍ମୟ ପ୍ରକାଶ ପାଇଛି।

ଏହି ଘଟଣାରେ ଅସନ୍ତୋଷ ପ୍ରକାଶ କରି ସ୍ଥାନୀୟ ଅଞ୍ଚଳର ସଚେତନ ନାଗରିକ ଏ ସମ୍ପର୍କରେ ମୋ ସରକାର, ମୁଖ୍ୟମନ୍ତ୍ରୀ ଓ ପୁଲିସ ମହାନିର୍ଦେଶକଙ୍କୁ ଟ୍ୱିଟ୍‌ କରି ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡ଼ିଛି। ଅପରାଧ ପ୍ରବଣ ମନମୁଣ୍ଡା ଅଞ୍ଚଳରେ ଅପରାଧକୁ ନିୟନ୍ତ୍ରଣ କରିବାକୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ପୁଲିସ ଅଭିଯୁକ୍ତଙ୍କୁ କ୍ଲିନ୍‌ଚିଟ୍‌ ଦେଇ ଛାଡ଼ିଦେବା ଘଟଣା ଆଜି ଦିନ ତମାମ ମନମୁଣ୍ଡା ଅଞ୍ଚଳରେ ମୁଖ୍ୟ ଆଲୋଚନାର ବିଷୟ ପାଲଟିଛି। ଏ ସମ୍ପର୍କରେ ମନମୁଣ୍ଡା ଥାନା ଭାରପ୍ରାପ୍ତ ଅଧିକାରିଣୀ ସସ୍ମିତା ମଗରଙ୍କ ମୋବାଇଲ ବନ୍ଦ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର