ଭବାନୀପାଟଣା : କଳାହାଣ୍ଡି ପୁଲିସକୁ ବୁଧବାର ଏକ ବଡ଼ ସଫଳତା ମିଳିଛି। ଫେକ କଲ କରି ବ୍ୟାଙ୍କ ଆକାଉଣ୍ଟରୁ ୨ ଲକ୍ଷ ୬୫ ହଜାର ଠକି ନେଇଥିବା ଏକ ଗ୍ୟାଙ୍ଗକୁ ଉତ୍ତରପ୍ରଦେଶର ହମିଦପୁରରୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଟାଉନ ଥାନା ପୁଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏ ବାବଦରେ ସୂଚନା ଦିଆଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୧୮ ତାରିଖ ଦିନ ୧୨ଟାରେ ଭବାନୀପାଟଣା ସହରର ଗଙ୍ଗାଧର ସୁବୁଦ୍ଧିଙ୍କୁ ଜଣେ ଅଜଣା ବ୍ୟକ୍ତି ଜିଓ ଫୋନ କଷ୍ଟମର କେୟାରରୁ କଲ୍ କରିଥିବା କହିଥିଲା। ସମସ୍ୟାର ସମାଧାନ କରିଦେବା କହି ବ୍ୟକ୍ତିଗତ ସୂଚନା ଓ ଠିକଣା ମାଗି ନେଇଥିଲା। ଏହାପରେ ଆପଣଙ୍କୁ ନୂଆବର୍ଷ ପାଇଁ ମାଗଣା ଅଫର ଅଛି, ମୋବାଇଲ ଗିଫ୍ଟ ମିଳିବ କହିଥିଲା। ରିମୋଟ୍ ଆକ୍ସସେ୍ସ ଜରିଆରେ ଆପ୍ ଡାଉନ୍ଲୋଡ୍ କରିବା ପାଇଁ କହିଥିଲା। ଠକର ସୂଚନାକୁ ଅନୁସରଣ କରିଥିଲେ ଗଙ୍ଗାଧର। ସାଇବର ଠକଜଣକ କିଛି ସମୟ ପରେ ଓଟିପି ନ ନେଇ ମଧ୍ୟ ବାରମ୍ବାର ଗଙ୍ଗାଧରଙ୍କ ଆକାଉଣ୍ଟରୁ ଗୁଗୁଲ ପେ’ ଜରିଆରେ ୨୦ ହଜାର ଲେଖାଏଁ ୫ ଥରରେ ୧ଲକ୍ଷ ଟଙ୍କା ଓ ବ୍ୟାଙ୍କ ଆକାଉଣ୍ଟରୁ ୪୫ହଜାର ଉଠାଇ ନେଇଥିଲା। ଏପରିକି ତାଙ୍କ ସ୍ତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ମଧ୍ୟ ୧ଲକ୍ଷ ୨୦ ହଜାର ଟଙ୍କା ଠକ ଉଠାଇ ନେଲା। ଗଙ୍ଗାଧର ଓ ତାଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରୁ ସମୁଦାୟ ୨ଲକ୍ଷ ୬୫ ହଜାର ଟଙ୍କା ନେଇଥିଲେ ସାଇବର ଠକ।
ଏ ସଂପର୍କରେ ଶ୍ରୀ ସୁବୁଦ୍ଧି ଭବାନୀପାଟଣା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ କଳାହାଣ୍ଡି ଏସ୍ପି ଡ. ଶ୍ରବଣ ବିବେକ ଏମ୍ ତତ୍ପରତା ପ୍ରକାଶ କରି ଏକ ସ୍ପେସାଲ ସ୍କ୍ବାଡ୍ ଗଠନ କରି ତଦନ୍ତ ନେତୃତ୍ୱ ନେଇଥିଲେ। ସଦର ଏସ୍ଡିପିଓ ରମେଶ ଚନ୍ଦ୍ର ସେଠୀ, ଟାଉନ୍ ଥାନା ଅଧିକାରୀ ସତ୍ୟକୁମାର ନନ୍ଦଙ୍କ ସମେତ ସବ୍ ଇନ୍ସ୍ପେକ୍ଟର ଶିବାଜୀ ପଣ୍ଡା ପ୍ରମୁଖ ତଦନ୍ତ ଆରମ୍ଭ କରିଥିଲେ। ଏସ୍ପିଙ୍କ ନିର୍ଦେଶକ୍ରମେ ସ୍ପେସାଲ ସ୍କ୍ୱାଡ୍ ଉତ୍ତରପ୍ରଦେଶର ହମିଦପୁରରୁ ୫ ଜଣ ସାଇବର ଅପରାଧୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ସେମାନଙ୍କ ନିକଟରୁ ସାମ୍ସଙ୍ଗ, ଓପୋ, ଭିଭୋ କମ୍ପାନିର ଅନେକ ମୋବାଇଲ ଫୋନ୍, ସିମ୍ କାର୍ଡ ଓ କିଛି ଟଙ୍କା ଜବତ କରି ହମିଦପୁର କୋର୍ଟରେ ହାଜର କରିବା ସହ ରିମାଣ୍ଡରେ ଭବାନୀପାଟଣା ଆଣିଥିଲେ। ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଅଭିଳାଷ ସିଂହ ଓରଫ ଗୌତମ, ପରବେଜ ଅହମ୍ମଦ, ୱାହିଦ ଖାଁ, ଶାହରୁଖ ଖାଁ ଓ ଜୁନେଦ ଅହମ୍ମଦକୁ ବୁଧବାର ପୁଲିସ କୋର୍ଟ ଚାଲାଣ କରିଛି। ଏହି ସମସ୍ତ ଅପରାଧୀ ଉତ୍ତରପ୍ରଦେଶର ହମିଦପୁର ଜିଲ୍ଲାର ବିଘେନା ଗ୍ରାମର ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ଫେରାର ଥିବା ଅନ୍ୟ ଜଣେ ସୋହେଲ ଅହମ୍ମଦକୁ ଶୀଘ୍ର ଗିରଫ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ ଶ୍ରୀ ସେଠୀ ଓ ଥାନା ଅଧିକାରୀ ଶ୍ରୀ ନନ୍ଦ ପ୍ରକାଶ କରିଛନ୍ତି। ତେବେ ଜିଲ୍ଲାବାସୀ ଏପରି କୌଣସି ଲୋଭ ଓ ଆକର୍ଷଣୀୟ ମିଥ୍ୟା ଫୋନ କଲ୍କୁ ବିଶ୍ୱାସ ନ କରିବା ସହ ସଚେତନ ରହିବାକୁ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/town-ps.jpg)