ଥାନା ଭିତରକୁ ଧସେଇ ପଶିବା ଘଟଣା: ୬୬ ଜଣଙ୍କ ନାଁରେ ମାମଲା ରୁଜୁ କଲା ପୁଲିସ

ଦଶରଥପୁର : ମଙ୍ଗଳପୁର ଥାନାରେ ଭିତରକୁ ଧସେଇ ପଶିବା ଘଟଣାରେ ପୁଲିସ ନିଜ ଆଡୁ ୬୬ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ଘଟଣା ସମୟରେ ପୁଲିସ୍ ନିରବ ରହିଥିବାବେଳେ ଦୁଇଦିନ ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ସେଦିନର ଭିଡିଓ ଫୁଟେଜକୁ ଆଧାର କରି ଥାନା କେସ୍ ନଂ. ୩୯୯/୨୧ ରୁଜୁ କରି ଦଫା ୪୨୭/୫୦୬/୨୯୪/୩୪୧ ଲଗାଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଅନଶନର ନେତୃତ୍ୱ ନେଇଥିବା ତରପଦା ପଞ୍ଚାୟତର ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ସାହୁ, ଯୁବନେତା ତାପସ ଜେନ, ସାରଥି ଜେନା, ମମତା ଜେନା, ସୁରେଖା ଜେନା, ବିଷ୍ଣୁ ଜେନାଙ୍କ ସମେତ ୬୬ରୁ ଊର୍ଦ୍ଧ୍ୱ ପୁରୁଷ ଓ ମହିଳାଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି।

ମଙ୍ଗଳପୁର ଥାନା ତରପଦା ପଞ୍ଚାୟତ ଗୋପକୂଳ ଗ୍ରାମର ବିଷ୍ଣୁ ଜେନାଙ୍କ ଘରେ ପଶି ସେହି ଗ୍ରାମର ଅଜୟ ଜେନା, ଭୀମ ଜେନା ଓ ପ୍ରଶାନ୍ତ ଜେନା ଆକ୍ରମଣ କରିଥିଲେ। ପୁଲିସର କୋହଳ ଆଭିମୁଖ୍ୟ ଯୋଗୁଁ ଅଭିଯୁକ୍ତଙ୍କୁ ସହଜରେ ଜାମିନ୍ ମିଳିଯାଇଥିବା ଅଭିଯୋଗ କରିଥିଲେ ବିପକ୍ଷ ଗୋଷ୍ଠୀ। ଗତ ୧୯ ତାରିଖ ପୂର୍ବାହ୍ନରେ ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ସାହୁ ଓ ସମିତି ସଭ୍ୟାଙ୍କ ପ୍ରତିନିଧି ତାପସ ଜେନାଙ୍କ ନେତୃତ୍ୱରେ ତରପଦା ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ମଙ୍ଗଳପୁର ଥାନା ଆଗରେ ଧାରଣା ଦେଇଥିଲେ। ବହୁ ସମୟ ପର୍ଯ୍ୟନ୍ତ କୌଣସି ପୁଲିସ୍ ଅଧିକାରୀ ଆଲୋଚନା ପାଇଁ ନଆସିବାରୁ ଶତାଧିକ ଗ୍ରାମବାସୀ ଅତର୍କିତ ଭାବେ ଥାନା ଭିତରକୁ ଧସେଇ ପଶିଥିଲେ। ଏହି ସମୟରେ ଧାରଣାକାରୀ ଓ ପୁଲିସ୍ କର୍ମଚାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। କିଛି ଗ୍ରାମାବସୀ ଥାନାର ଟେବୁଲ ଓ ଚୌକି ଫିଙ୍ଗିଥିଲେ। ଖବର ପାଇ ଏସ୍‌ଡିପିଓ ସରୋଜ କୁମାର ଉପାଧ୍ୟାୟ ସେଠାରେ ପହଞ୍ଚି ଆଲୋଚନା କରିଥିଲେ। ଗ୍ରାମବାସୀଙ୍କ ନିକଟକୁ ଆସି ଅଭିଯୁକ୍ତଙ୍କ ବିରୋଧରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ମାତ୍ର ଆଜି ଆନ୍ଦୋଳନର ନେତୃତ୍ବ ନେଇଥିବା କିଛି ଲୋକଙ୍କୁ ଥାନାରେ ଅଟକ ରଖାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର